ଫେବ୍ରୁଆରୀ ୬ ତାରିଖ ସୁଦ୍ଧା ମୋବାଇଲରେ ଆଧାର ଲିଙ୍କ କରିବା ବାଧ୍ୟତାମୂଳକ ! ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା କେନ୍ଦ୍ର

37

କନକ ବ୍ୟୁରୋ : ଆଧାର ଆଇନର ସାମ୍ବିଧାନିକ ବୈଦ୍ଧତା ନେଇ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଗତକାଲି ହୋଇଥିବା ଏ ସଂପର୍କୀତ ଏକ ଆବେଦନକୁ ଗ୍ରହଣ କରିବା ସହ ଆଜି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ଆଜିର ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ଆଧାରର ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି କୁହାଯାଉଛି । କାରଣ ବିଭିନ୍ନ ସରକାରୀ ସେବା ଓ ଯୋଜନାରେ ଆଧାରକୁ ବାଧ୍ୟତାମୂଳକ କରି ସମାଲୋଚନାର ଶିକାର ହେଉଛନ୍ତି କେନ୍ଦ୍ରରେ ମୋଦି ସରକାର । ଆଧାରକୁ ନେଇ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ୧୧୩ ପୃଷ୍ଠାର ସତ୍ୟପାଠ ଦାଖଲ କରିଛନ୍ତିା

aadhaar-mobile-connection-verificationଆଇନଜୀବୀ ଜୋହେବ ହୁସେନଙ୍କ ଜରିଆରେ ଗୁରୁବାର ଏହି ସତ୍ୟପାଠ ଦାଖଲ କରିଛନ୍ତି ସରକାର । କେନ୍ଦ୍ର ସରକାର କୋର୍ଟରେ କହିଛନ୍ତି ଯେ, ଲୋକନୀତି ଫାଉଣ୍ଡେସନ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ହିଁ ଆଧାରକୁ ଫୋନ ନମ୍ବର ସହ ଯୋଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏବଂ ଗୋଟିଏ ବର୍ଷ ମଧ୍ୟରେ ଏହି କାମ ଶେଷ କରିବାକୁ କହିଥିଲେ । ତେଣୁ ଫେବ୍ରୁଆରୀ ୬ ତାରିଖ ସୁଦ୍ଧା ସମସ୍ତେ ନିଜ ମୋବାଇଲ ଫୋନକୁ ଆଧାର ସହ ଲିଙ୍କ କରିବା ବାଧ୍ୟତାମୂଳକ କରାଯାଇଛି । ଏବଂ ସରକାର କେବଳ ବ୍ୟାଙ୍କ ଖାତା ସହ ଆଧାର ଯୋଡିବାର ସମୟ ସୀମାକୁ ୨୦୧୮ ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି କରିଛନ୍ତି ।

ଆଧାରକୁ ଚ୍ୟାଲେଞ୍ଜ କରି ଅନେକ ପିଟିସନ ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ପଡିରହିଥିବାବେଳେ ଏହାର ତୁରନ୍ତ ଶୁଣାଣି ପାଇଁ ଆବେଦନ କରିଥିଲେ କର୍ଣ୍ଣାଟକର ମାଥ୍ୟୁ ଥୋମାସ । ବ୍ୟାଙ୍କ ଖାତା ଓ ମୋବାଇଲ ଫୋନ ସହ ଆଧାରକୁ ଲିଙ୍କ କରିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତି, ବ୍ୟକ୍ତିଗତ ଗୋପନୀୟତାକୁ କ୍ଷୁଣ୍ଣ କରୁଥିବା ଦର୍ଶାଇ ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଥୋମାସ ।

ଜଷ୍ଟିସ ଜେ. ଚେଲାମେଶ୍ୱରଙ୍କ ଖଣ୍ଡପୀଠରେ ଆଧାର ସଂପର୍କୀତ ମାମଲାର ତୁରନ୍ତ ଶୁଣାଣି ପାଇଁ ଆବେଦନ କରିଥିଲେ ମାଥ୍ୟୁ ଥୋମାସଙ୍କ ଓକିଲ । ଏହାପରେ କୋର୍ଟ ବିଚାର ପାଇଁ ଆବେଦନକୁ ଗ୍ରହଣ କରିଛନ୍ତି । ଗତ ଅକ୍ଟୋବର ୩୦ ତାରିଖରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଖଣ୍ଡପୀଠ କହିଥିଲେ ଯେ, ଆଧାର ସଂପର୍କୀତ ସମସ୍ତ ଆବେଦନର ବିଚାର କରିବାକୁ ଏକ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରାଯିବ । ଏବଂ ନଭେମ୍ବର ଶେଷ ସପ୍ତାହ ଆଡକୁ ସମସ୍ତ ଆବେଦନର ଏକକାଳୀନ ଶୁଣାଣି ହେବ ।