ଆଜି ସୁପର ମୁନ୍ : ଆକାଶରେ ଚମକିଲା ଚନ୍ଦ୍ର , ଦେଖାଗଲା ୧୫ ପ୍ରତିଶତ ବଡ ଓ ୩୦ ପ୍ରତିଶତ ଅଧିକ ଉଜ୍ୱଳ

50

କନକ ବ୍ୟୁରୋ : ଆଜି ସମସ୍ତେ ଦେଖିପାରିବେ ଏକ ମହାଜାଗିତିକ ଦୃଶ୍ୟ । ବଡ଼ ଚନ୍ଦ୍ରର ଉଜ୍ୱଳ ଆଲୋକରେ ଆଜି ଝଲସିବ ପୃଥିବୀ । ୧୫ ପ୍ରତିଶତ ବଡ଼ ଚନ୍ଦ୍ର ଆକାଶରେ ଝଟକି ଉଠିବ । କେବଳ ଆକାରରେ ବଡ଼ ଦେଖାଯିବ ନାହିଁ, ୩୪ ପ୍ରତିିଶତ ଅଧିକ ଉଜ୍ୱଳ ଆଲୋକ ମଧ୍ୟ ଆଲୋକିତ କରିବ ପୃଥିବୀକୁ । ହେଲେ ପ୍ରକୃତରେ ଚନ୍ଦ୍ର ବଡ଼ ହୋଇଯିବ ନାହିଁ କି ଏହା ଅଧିକ ଆଲୋକ ବିକିରଣ କରିବ ନାହିଁ । କିନ୍ତୁ ପୃଥିବୀର ନିକଟତର ହେବ ତା’ର ପ୍ରାକୃତିକ ଉପଗ୍ରହ । ଆଉ ଏଇଥିପାଇଁ ମହାକାଶରେ ଦେଖାଯିବ ସୁପର ମୁନ୍ ।

ପ୍ରତି ମାସରେ ପୃଥିବୀ ଚାରିପଟେ ଥରେ ଘୁରି ଆସେ ଚନ୍ଦ୍ର । କକ୍ଷପଥ ଅଣ୍ଡାକୃତି ହୋଇଥିବାରୁ କେତେବେଳେ ନିକଟତର ତ କେତେବେଳେ ଦୂରପଥରେ ପ୍ରଦକ୍ଷଣ କରିଥାଏ ଚନ୍ଦ୍ର । ୪ ଲକ୍ଷ ୬ ହଜାର କିଲୋମିଟରରେ ଦୂରରେ ପ୍ରଦକ୍ଷଣ କରୁଥିବା ଚନ୍ଦ୍ର ଯେତେବେଳେ ପାଖକୁ ଆସି ୩ ଲକ୍ଷ ୫୬ ହଜାର କିଲୋମିଟର ନିକଟରେ ପ୍ରଦକ୍ଷଣ କରିଥାଏ, ଏହାର ଆକାର ବଡ଼ ଦେଖାଯାଏ । ଆଉ ଯଦି ସଂଯୋଗବଶତଃ ପୂର୍ଣିମା ତଥିରେ ନିକଟତର ହୁଏ ଚନ୍ଦ୍ର, ତେବେ ଏହି ସୁପର ମୁନ୍କୁ ଦେଖିପାରନ୍ତି ପୃଥବୀବାସୀ । ଏହି ଜାଗତିକ ଦୃଶ୍ୟକୁ ଉପଭୋଗ କରିବା ପାଇଁ ବେଶ ଉକ୍ରଣ୍ଠା ସୃଷ୍ଟି ହୋଇଥାଏ । ଭୁବନେଶ୍ୱର ପ୍ଲାନେଟୋରିୟମରେ ଏହି ଦୃଶ୍ୟକୁ ଦେଖିବା ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।

ଦିଗବଳୟରେ ଚନ୍ଦ୍ର ଉଦୟ ଓ ଅସ୍ତ ବେଳେ ଏହା ସବୁଠୁ ବଡ଼ ଦେଖାଯିବ । ଆଜି ସଂଧ୍ୟାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଏହି ଦୃଶ୍ୟ ଦେଖିହେବ । ୨୦୧୭ର ଏହା ପ୍ରଥମ ଓ ଶେଷ ସୁପର ମୁନ୍ ହୋଇଥିବା ବେଳେ ଆସନ୍ତା ଜାନୁୟାରୀ ୧ ଏବଂ ଜାନୁୟାରୀ ୩୧ ତାରିଖରେ ଆଉ ଦୁଇଟି ସୁପରମୁନ୍ ଦୃଶ୍ୟମାନ ହେବ ।