ବିନା ଶୁଳ୍କରେ ଚିକିତ୍ସା ପାଇବେ କରୋନା ସଂକ୍ରମିତ ବ୍ୟକ୍ତି : ସମସ୍ତ ଖର୍ଚ୍ଚ ବହନ କହିବେ ରାଜ୍ୟ ସରକାର

603

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ରାଜ୍ୟରେ ଜରୁରୀକାଳୀନ ଭିତ୍ତିରେ କୋଭିଡ଼୍ ୧୯ ହସ୍ପିଟାଲ ନିର୍ମାଣ ଚାଲିଛି । ରାଜ୍ୟ ସରକାରଙ୍କ ଏଭଳି ଏକ ବଳିଷ୍ଠ ପଦକ୍ଷେପକୁ ସାରା ଦେଶ ସ୍ୱାଗତ କରୁଛି । କୋଭିଡ଼୍ ୧୯ ହସ୍ପିଟାଲ ନିର୍ମାଣ କାମ ଶେଷ କରିବାରେ ବିଭିନ୍ନ ବେସରକାରୀ ସଂସ୍ଥାଙ୍କ ସହ ରାଜ୍ୟ ସରକାର ଚୁକ୍ତି କରିଛନ୍ତି । ସେଠାରେ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା, ଖାଇବା ରହିବା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ତେବେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଟଙ୍କାପଇସା ପାଇଁ ଚିନ୍ତିତ ହୁଅନ୍ତୁ ନାହିଁ । ଦୃଢ଼ ମନୋବଳ ସହ କରୋନା ମୁକାବିଲା କରନ୍ତୁ । ସରକାର ସମସ୍ତ ସେବା ଆକ୍ରାନ୍ତଙ୍କୁ ବିନା ଶୁଳ୍କରେ ଉପଲବ୍ଧ କରାଇବେ ବୋଲି ଆଜି ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଜିଲ୍ଲା ପ୍ରଶାସନ ସଜାଗ ଅଛନ୍ତି । ସେମାନଙ୍କ ମନୋବଳ ପ୍ରଶଂସନୀୟ । କରୋନା ମୁକାବିଲା ପାଇଁ ସମସ୍ତେ ତତ୍ପର ଅଛନ୍ତି । ତେବେ ସରକାରଙ୍କ ଲକଡାଉନ୍ ନିର୍ଦ୍ଦେଶକୁ ବର୍ତ୍ତମାନ ସମୟରେ ରାଜ୍ୟର ୯୦ ପ୍ରତିଶତ ବ୍ୟକ୍ତି ପାଳନ କରୁଛନ୍ତି । ହେଲେ ଦୁର୍ଭାଗ୍ୟବଶତଃ ୧୦ ପ୍ରତିଶତ ଲୋକ ଘଟଣାର ଗୁରୁତ୍ୱ ବୁଝୁ ନାହାନ୍ତି । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶ କଥା ଦୋହରାଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ।

ଅନ୍ୟପଟେ ପୋଲିସ ଡିଜି କହିଛନ୍ତି, ଓଡ଼ିଶାରେ ଲକଡାଉନ୍ ପ୍ରତି ଥାନାକୁ ସଶକ୍ତ କରାଯାଇଛି । ଥାନାକୁ ୭୦୦ରୁ ଉର୍ଦ୍ଧ୍ୱ ସବଇନିସପେକ୍ଟ ଅତିରିକ୍ତ ଦିଆଯାଇଛି । ୧୬୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ହଜାରେରୁ ଉର୍ଦ୍ଧ୍ୱ ଗାଡ଼ି ପ୍ରଦାନ କରାଯାଇଛି । ତେବେ ଏପରି ସମୟରେ ବିନମ୍ର ରହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମସ୍ତ ପୋଲିସ କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏବେ ସୁଦ୍ଧା ୬୧ ଜଣଙ୍କ ବିରୋଧରେ ହୋମ କ୍ୱାରେଣ୍ଟିନ ଅବମାନନା ମାମଲା ରୁଜୁ କରାଯାଇଛି । ୧୫୦୦ରୁ ଅଧିକ ଲୋକଙ୍କ ବିରୋଧରେ ତାଲାବନ୍ଦ ଉଲ୍ଲଙ୍ଘନ ମାମଲା ହୋଇଛି । ଏବଂ ୧୪୦୦ ଜଣଙ୍କୁ ଗିରଫ କରାଯାଇଛି । ପୋଲିସ୍ ଓ ପ୍ରଶାସଙ୍କ ସହ ସହଯୋଗ କରନ୍ତୁ । ଲକ ଡାଉନକୁ ସ୍ୱେଚ୍ଛାରେ ପାଳନ କରନ୍ତୁ  । ଭୟଭୀତ ହେବାର କୌଣସି କାରଣ ନାହିଁ । କୋଭିଡ଼ ୧୯ ଉପରେ ନିୟନ୍ତ୍ରଣ ନାହିଁ । ହେଲେ ସଚେତନ ହେଲେ ସବୁ କିଛି ସମ୍ଭବ ବୋଲି କହିଛନ୍ତି ପୋଲିସ୍ ଡିଜି ଅଭୟ ।