ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର: ପାଣି ଢାଳିବା ପାଇଁ ଶୈବପୀଠଗୁଡିକରେ କାଉଡିଆଙ୍କ ଭିଡ

179

କନକ ବ୍ୟୁରୋ: ଆଜି ଦ୍ୱିତୀୟ ଶ୍ରାବଣ ସୋମବାର । ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ବିଭିନ୍ନ ଶୈବପୀଠରେ କାଉଡିଆମାନେ ଧାଡି ଲଗାଇଛନ୍ତି । ଶିବମନ୍ତ୍ରରେ ଫାଟିପଡୁଛି ଶୈବପୀଠ । ଶିଶୁଙ୍କଠାରୁ ମହିଳା ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ମାନସିକଧାରୀ କାଉଡିଆ ମହାଦବଙ୍କୁ ଜଳାଭିଷେକ କରୁଛନ୍ତି ।

ଶୃଙ୍ଖଳିତ ଭାବେ ଜଳଲାଗି କରିବା ପାଇଁ ମନ୍ଦିରମାନଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କାନ୍ଧରେ କାଉଡି ଧରି ପାଣି ଭାର ବୋହି ତୁଣ୍ଡରେ ବୋଲବମ୍ ହରହର ବମ୍ ମନ୍ତ୍ର ଉଚ୍ଚାରଣ କରି କାହିଁ କେତେ ବାଟରୁ କାଉଡିଆମାନେ ଧାଇଁ ଆସିଛନ୍ତି ଶିବାଳୟକୁ । ବିଶ୍ୱାସ ରହିଛି ଶ୍ରାବଣ ସୋମବାରରେ ଶିବଲିଙ୍ଗରେ ଜଳଲାଗି କଲେ ମାନସିକ ପୂରଣ ହୋଇଥାଏ ।

ରାତି ସାରା ବର୍ଷାରେ ଭିଜିଲେ

ଆଜି ଶ୍ରାବଣ ସୋମବାର ପାଇଁ ଏକାମ୍ର କ୍ଷେତ୍ରରେ ଭିଡ଼ ଜମାଉଥିବା କାଉଡ଼ିଆମାନେ ଗତକାଲି ସଂଧ୍ୟାର ପ୍ରବଳ ବର୍ଷାରେ ସଂପୂର୍ଣ୍ଣ ଭିଜି ଯାଇଛନ୍ତି। ଶିଶୁଙ୍କଠାରୁ ଆରମ୍ଭ କରି ମହିଳା କାଉଡ଼ିଆ, ସମସ୍ତେ ସାରା ରାତି ବର୍ଷାରେ ଭିଜିଥିଲେ। ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ସେମାନେ ଆଶ୍ରୟ ଖୋଜିଥିଲେ। କିଛି ଭଜନ ମଣ୍ଡପ, ଲିଙ୍ଗରାଜ ମାର୍କେଟ୍ ବିଲଡିଂରେ ଆଶ୍ରୟ ନେଇଥିଲେ ହେଁ ଶହ ଶହ କାଉଡ଼ିଆ କୌଣସି ସ୍ଥାନ ନ ପାଇ ବର୍ଷାରେ ଭିଜିଥିବା ଜଣାଯାଇଛି। ବିଶେଷକରି ଶିଶୁ ଓ ମହିଳା କାଉଡ଼ିଆମାନେ ବେଶି ସମସ୍ୟା ଭୋଗିଥିଲେ। ଏପରି ସ୍ଥିତିକୁ ଏଡ଼ାଇବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ମନ୍ଦିର ସମ୍ମୁଖରେ ଟିଣ ସେଡିଂ ପାଇଁ ୬ ମାସ ତଳେ ଶୁଭ ଦିଆଯାଇଥିଲା। କିନ୍ତୁ ଏଯାବତ୍ କାମ ଶେଷ ହୋଇନାହିଁ।