ଆଜି ପୁଣି ବସିବ ସ୍କ୍ରିନିଂ କମିଟି ବୈଠକ: ୯ ଲୋକସଭା, ୬୩ ବିଧାନସଭା ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ, ରାହୁଲଙ୍କ ମୋହରକୁ ଅପେକ୍ଷା

193

କନକ ବ୍ୟୁରୋ: ଓଡ଼ିଶାରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୯ଟି ଲୋକସଭା ଓ ୬୩ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀମାନଙ୍କ ତାଲିକା ଚୂଡ଼ାନ୍ତ ହୋଇସାରିଛି। ଗତକାଲି ନୂଆଦିଲ୍ଲୀରେ ବସିଥିବା ସ୍କ୍ରିନିଂ କମିଟିର ମାରାଥନ୍ ବୈଠକରେ ଚୂଡ଼ାନ୍ତ ହୋଇଥିବା ତାଲିକାକୁ କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି)କୁ ପଠାଯାଇଛି। ସେ ପଟେ ସିଇସି ବୈଠକରେ ଏହାର ତର୍ଜମା କରାଯାଉଛି। ସିଇସି ଏହାକୁ ଚୂଡ଼ାନ୍ତ କରିବା ପରେ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଯେ କୌଣସି ମୁହୂର୍ତରେ ଏହି ତାଲିକା ଉପରେ ମୋହର ମାରିପାରନ୍ତି। ଗତକାଲି ତେଲେଙ୍ଗାନା ରାଜ୍ୟ କଂଗ୍ରେସ ପାଇଁ କିଛି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ଅନୁରୂପ ଭାବେ ଆଜି ଓଡ଼ିଶା ପାଇଁ ପ୍ରଥମ ୨ଟି ପର୍ଯ୍ୟାୟର ପ୍ରାର୍ଥୀମାନଙ୍କ ନାମ ଘୋଷଣା ହେବାର ସମ୍ଭାବନା ଅଧିକ ରହିଛି ।

ଗତକାଲି ସକାଳ ୯ଟାରୁ ନୂଆଦିଲ୍ଲୀର ୧୦ ଲୋଧି ଇଷ୍ଟେଟରେ କଂଗ୍ରେସ ସ୍କ୍ରିନିଂ କମିଟିର ବୈଠକ ଆରମ୍ଭ ହୋଇଥିଲା। ଏଥିରେ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି.ଡି.ସାଥୀସାନ୍, ସଦସ୍ୟ ଜିତିନ୍ ପ୍ରସାଦ ଓ ନୌସାଦ୍ ସୋଲାଙ୍କି, ଏଆଇସିସି ପ୍ରଭାରୀ ଜିତେନ୍ଦ୍ର ସିଂହ, ସାମୟିକ ପ୍ରଭାରୀ ଟି.ଏସ୍. ସିଂହଦେଓ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଏଆଇସିସି ସଂପାଦକ ରୂଦ୍ର ରାଜୁ, ଅନିଲ ଚୌଧୁରୀ, ସେକ୍ ମସ୍ତାନ ଅଲ୍ଲୀ, ପିସିସି କାର‌୍ୟ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ, ପ୍ରଦୀପ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ସନ୍ଧ୍ୟା ୭ଟା ବେଳକୁ ଏହି ବୈଠକ ସରିଥିଲା।
ପାଖାପାଖି ୧୧ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା

ଲୋକସଭା ଓ ବିଧାନସଭା ଆସନ ପାଇଁ ପ୍ରାର୍ଥୀମାନଙ୍କ ତାଲିକାର ରୂପରେଖ ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ବିଶେଷ କରି ଯେଉଁ ଆସନରେ ଏକାଧିକ ପ୍ରାର୍ଥୀଙ୍କ ନାମ ଆଲୋଚନାକୁ ଆସିଛି, ସେଠାରେ ଜଣେ ପ୍ରାର୍ଥୀଙ୍କ ନାମକୁ ଚୂଡ଼ାନ୍ତ କରାଯାଇଥିବା କୁହାଯାଉଛି। କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ବ୍ରହ୍ମପୁର ଭଳି ଲୋକସଭା ଆସନରେ ଜଣେ ଲେଖାଏଁ ପ୍ରାର୍ଥୀଙ୍କ ନାମ ସୁପାରିସ କରିଛି ସ୍କ୍ରିନିଂ କମିଟି। ତେବେ କନ୍ଧମାଳ, କୋରାପୁଟ ଭଳି କିଛି ଆସନ ରହିଛି, ଯେଉଁଠି ଏକାଧିକ ପ୍ରାର୍ଥୀଙ୍କ ନାମ ସୁପାରିସ କରାଯାଇଛି। ଏହା ସହିତ ୨ଟି ପର୍ଯ୍ୟାୟର ନିର୍ବାଚନ ପାଇଁ ୬୩ଟି ବିଧାନସଭା ଆସନ ନିମନ୍ତେ ନାମ ସୁପାରିସ କାମ ସାରିଛି ସ୍କ୍ରିନିଂ କମିଟି। ଏହି ତାଲିକାରେ ମଧ୍ୟ କିଛି ଆସନରେ ଏକାଧିକ ପ୍ରାର୍ଥୀଙ୍କ ନାମ ସୁପାରିସ ହୋଇଥିବାର ସୂଚନା ମିଳିଛି।

ସ୍କ୍ରିନିଂ କମିଟିର ମାରାଥନ୍ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ କହିଲେ, ଗତକାଲି ଅନୁଷ୍ଠିତ ହେଉଥିବା ସିଇସି ବୈଠକରେ ୨ଟି ପର୍ଯ୍ୟାୟର ପ୍ରାର୍ଥୀ ତାଲିକାକୁ ଅନୁଧ୍ୟାନ କରାଯାଇ ଚୂଡ଼ାନ୍ତ ହେବ। ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଉପରେ ହାଇକମାଣ୍ଡଙ୍କ ସବୁଜ ସଂକେତ ମିଳିବା ପରେ ପ୍ରାର୍ଥୀଙ୍କ ନାମ ଯଥାଶୀଘ୍ର ଘୋଷଣା କରାଯିବ। ଆଜି ସ୍କ୍ରିନିଂ କମିଟି ବୈଠକ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାରେ ୩ୟ ଓ ୪ର୍ଥ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଲୋକସଭା ଓ ବିଧାନସଭା ଆସନ ପାଇଁ ପ୍ରାର୍ଥୀମାନଙ୍କ ତାଲିକାକୁ ଚୂଡ଼ାନ୍ତ କରାଯିବ। ସେହି ତାଲିକା ଚୂଡ଼ାନ୍ତ ହେବା ପରେ ଆସନ୍ତା ୧୮ ତାରିଖରେ ପୁନର୍ବାର ସିଇସି ବୈଠକ ବସିବ। ସେହି ବୈଠକରେ ପ୍ରାର୍ଥୀମାନଙ୍କ ନାମ ଚୂଡ଼ାନ୍ତ କରାଯିବ।