ହକି ବିଶ୍ୱକପ୍  ଖେଳ ସୂଚୀରେ ପରିବର୍ତ୍ତନ : ୪.୪୫ ପରିବେର୍ତ୍ତ ସନ୍ଧ୍ୟା ୭ଟାରେ ଖେଳାଯିବ ଭାରତ-ନେଦରଲ୍ୟାଣ୍ଡ ମହାମୁକାବିଲା 

ଅପରାହ୍ନ ୪.୪୫ ମିନିଟ ପରିବର୍ତେ ଏହି ମ୍ୟାଚ୍ ରାତି ୭ଟାରେ ଖେଳାଯିବ

230

ହକି ବିଶ୍ୱକପ୍ ଖେଳ ସୂଚୀରେ ହେଲା ପରିବର୍ତ୍ତନ । ୪.୪୫ ପରିବେର୍ତ୍ତ ସନ୍ଧ୍ୟା ୭ଟାରେ ଖେଳାଯିବ ଭାରତ-ନେଦରଲ୍ୟାଣ୍ଡ ମହାମୁକାବିଲା ଓଡ଼ିଶା ପୁରୁଷ ହକି ବିଶ୍ୱକପରେ ଭାରତ ଗୁରୁବାର ଖେଳିବ ସାମ୍ପ୍ରତିକ ଇତିହାସର ସବୁଠୁ ବଡ଼ ମ୍ୟାଚ୍। ସେମିଫାଇନାଲ୍ ଆଶାରେ ଥିବା ଭାରତୀୟ ଦଳ ଆଗରେ ଏବେ ୩ ଥର ବିଜେତା ନେଦରଲାଣ୍ଡ୍ ବଡ଼ ପ୍ରତିବଂଧକ। ଗତ ଥରର ଉପ ବିଜେତା ନେଦରଲାଣ୍ଡକୁ ହରାଇବା ସହଜ ନ ଥିଲେ ବି କଳିଙ୍ଗ ପ୍ରଶଂସକ ଏବଂ ଆଟାକିଂ ହକିକୁ ଆଧାର କରି ଭାରତ ଇତିହାସ ରଚିବା ଲକ୍ଷ୍ୟରେ ରହିଛି। ଗୁରୁବାର ଅପରାହ୍ନ ୪.୪୫ ମିନିଟ ପରିବର୍ତେ ଏହି ମ୍ୟାଚ୍ ରାତି ୭ଟାରେ ଖେଳାଯିବ ବୋଲି ଏଫଆଇଏଚର ସଂଶୋଧିତ ଖେଳସୂଚୀରୁ ଜଣାପଡ଼ିଛି।

ଅପରାହ୍ନ ୪.୪୫ ମିନିଟରେ ତୃତୀୟ କ୍ୱାର୍ଟର ଫାଇନାଲରେ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ବେଲଜିୟମ୍ ଭେଟିବ ୨ ଥର ବିଜେତା ଜର୍ମାନିକୁ। ଇତିହାସକୁ ପଛରେ ପକାଇ ନୂଆ ଫର୍ଦ ଯୋଡ଼ିବା ଲକ୍ଷ୍ୟରେ ରହିଛି ହରେନ୍ଦ୍ର ସିଂହଙ୍କ ଭାରତୀୟ ଦଳ। ଭାରତୀୟ ଦଳ ଏବେ ଶାରୀରିକ ଓ ମାନସିକ ଭାବେ ପ୍ରସ୍ତୁତ ବୋଲି ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ହରେନ୍ଦ୍ର। ଭାରତ ଲିଗ୍ ପର୍ଯ୍ୟାୟରେ ୩ରୁ ଦୁଇଟି ବିଜୟ ଏବଂ ଗୋଟିଏ ଅମୀମାଂସିତ ରଖି ସିଧାସଳଖ କ୍ୱାର୍ଟର ଫାଇନାଲ୍ ପହଞ୍ଚିଥିଲା। ନେଦରଲାଣ୍ଡ୍ ପୁଲ୍ ‘ଡି’ରେ ୨ ବିଜୟ, ୧ ପରାଜୟ ସହିତ ଦ୍ୱିତୀୟ ସ୍ଥାନରେ ରହି କ୍ରସ୍ ଓଭର ଖେଳି ଆସିଛି। ମଙ୍ଗଳବାର କ୍ରସ୍ ଓଭରରେ ବେଲଜିୟମ୍ ୫-୦ରେ ପାକିସ୍ତାନକୁ ଏବଂ ନେଦରଲାଣ୍ଡ୍ ସମାନ ଗୋଲ୍ ବ୍ୟବଧାନ ୫-୦ରେ କାନାଡ଼ାକୁ ହରାଇଥିଲା।

ଏହି ଦେଶ ମଧ୍ୟରେ ଖେଳାଯାଇଥିବା ବିଶ୍ବକପ୍ ହେଉ ଅବା ମୋଟ ମୁକାବିଲା କିଛି ବି ଭାରତ ସପକ୍ଷରେ ନାହିଁ। ବିଶ୍ୱକପରେ ଉଭୟ ଦେଶ ୬ ଥର ଭେଟିଥିଲେ। ନେଦରଲାଣ୍ଡକୁ ବିଶ୍ୱ ମଇଦାନରେ ହରାଇ ନାହିଁ ଭାରତ । ୫ ଥର ସିଧାସଳଖ ହାରିଥିବା ବେଳେ ଅନ୍ୟଟି ପେନାଲଟି ସୁଟଆଉଟରେ ହାରିଛି। ଶେଷ ଥର ପାଇଁ ଚଳିତ ବର୍ଷ ବ୍ରେଡା (ନେଦରଲାଣ୍ଡ)ରେ ଅନୁଷ୍ଠିତ ଚାମ୍ପିଅନ୍ସ ଟ୍ରଫିରେ ଭାରତ ୧-୧ ଗୋଲରେ ଅମୀମାଂସିତ ରଖିବା ଦଳକୁ ଆତ୍ମବିଶ୍ୱାସରେ ରଖିଛି। ଭାରତ ୧୯୭୫ ମସିହାରେ ଶେଷ ଥର ପାଇଁ ସେମିଫାଇନାଲ୍ ପ୍ରବେଶ କରିବା ସହ ଏକମାତ୍ର ଥର ବିଶ୍ବ ବିଜେତା ହୋଇଥିଲା। ଏବେ ସେହି ଇତିହାସର ପିଛା କରୁଛି ଭାରତ। ସାମ୍ପ୍ରତିକ ପ୍ରଦର୍ଶନ ଏବଂ ମାନ୍ୟତା ଦୃଷ୍ଟିରୁ ଉଭୟ ଦଳ ମଧ୍ୟରେ ବିଶେଷ ପ୍ରଭେଦ ନାହିଁ। ମାନ୍ୟତାରେ ଭାରତ ୫ ଏବଂ ନେଦରଲାଣ୍ଡ୍ ୪ରେ ରହିଛନ୍ତି। ଏହି ବିଶ୍ବକପରେ ନେଦରଲାଣ୍ଡ୍ ୪ ମ୍ୟାଚ୍ ଖେଳି କ୍ଲାନ୍ତ ଥିବାରୁ ଭାରତ ଏହାର ଫାଇଦା ନେଇପାରେ। ଭାରତ ୫ ଦିନର ବିଶ୍ରାମ ପରେ ଏବଂ ନେଦରଲାଣ୍ଡ ମାତ୍ର ଗୋଟିଏ ଦିନର ବିରାମ ପରେ ଆସି ଖେଳିବ।