କିଏ ରହିବ ଶ୍ରେଷ୍ଠ ଶହେ ତାଲିକାରେ ? ଆଜି ପ୍ରକାଶ ପାଇବ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକା

40

କନକ ବ୍ୟୁରୋ : କିଏ ରହିବ ଶ୍ରେଷ୍ଟ ଶହେ ତାଲିକାରେ । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ଆଜି ପ୍ରକାଶ କରିବ ଦେଶର ଶ୍ରେଷ୍ଠ ଶହେ ବିଶ୍ୱବିଦ୍ୟାଳୟ ତାଲିକା । ସାରାଦେଶରେ ଶିକ୍ଷା ଜଗତରେ ଏନେଇ ତର୍କ ଜାରି ରହିଥିବା ବେଳେ ଓଡିଶାରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ସରକାରୀ ବିଶ୍ୱବିଦ୍ୟାଳୟଗୁଡିକର ସ୍ଥିତି କିପରି ଅଛି ତାହା ଜାଣିବାକୁ ସାଧାରଣରେ ଉତ୍କଣ୍ଠା ରହିଛି । ପୁଣି ଗତ ବର୍ଷ ଏହି ତାଲିକାରେ ଥିବା ଦୁଇ ଘରୋଇ ବିଶ୍ୱବିଦ୍ୟାଳୟର ସ୍ଥିତି ମଧ୍ୟ ଜଣାପଡିବ । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟର ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ୍ ଫ୍ରେମୱର୍କ ପକ୍ଷରୁ ବିଶ୍ୱବିଦ୍ୟାଳୟକୁ ନେଇ ଏହି ସର୍ଭେ କରାଯାଉଛି ।

ଚଳିତ ବର୍ଷ ସାରା ଦେଶରି ୨ ହଜାର ୭୩୫ଟି ଶିକ୍ଷାନୁଷ୍ଠାନ ଏଥିରେ ସାମିଲ ହୋଇଛନ୍ତି । ଏହି ଶ୍ରେଷ୍ଠ ଶହେ ରାଙ୍କ ପାଇଁ କିଛି ନିର୍ଦ୍ଦିଷ୍ଟ ମାନଦଣ୍ଡ ରଖାଯାଇଛି । ଗତବର୍ଷ ନଭେମ୍ବର ୩୦ ସୁଦ୍ଧା ଶିକ୍ଷାନୁଷ୍ଠାନଗୁଡିକ ଆବେଦନ କରିଥିଲେ । ୨୦୧୬ରେ ପ୍ରକାଶ ପାଇଥିବା ଟପ୍ ଶହେ ତାଲିକାରେ ଓଡିଶାର କୌଣସି ସରକାରୀ ବିଶ୍ୱବିଦ୍ୟାଳୟ ନଥିଲା । ଏପରିକି ରାଜ୍ୟର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟ ବି ତାଲିକାକୁ ଆସିପାରିନଥିଲା ।

କେବଳ ଦୁଇଟି ଘରୋଇ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ୧୬ ନମ୍ବରରେ ରହିଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟ ୫୩ ନମ୍ବରରେ ରହିଥିଲା । ଅନ୍ୟପଟେ ସରକାରୀ ବିଶ୍ୱବିଦ୍ୟାଳୟଗୁଡିକର ଭିତିଭୂମି ବିକାଶ ଦିଗରେ ସରକାର ପଦକ୍ଷେପ ନେଉଛନ୍ତି ବୋଲି ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-