ଆଜି ଦିଲ୍ଲୀ ଦରବାରରେ ଓଡିଶା କଂଗ୍ରେସର ଭାଗ୍ୟ ନିର୍ଦ୍ଧାରଣ ! ଦଳର ଛାମୁଆ ନେତାଙ୍କ ସହ ରାହୁଲଙ୍କ ଆଲୋଚନା

23

କନକ ବ୍ୟୁରୋ : ଖୁବ୍ ଶୀଘ୍ର ଦିଲ୍ଲୀ ଦରବାରରୁ ଆସିପାରେ ରାଜ୍ୟ କଂଗ୍ରେସର ନିଷ୍ପତି । ଆଜି ଦିଲ୍ଲୀରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିବେ ରାଜ୍ୟ କଂଗ୍ରେସର ତୁଙ୍ଗ ନେତା । ଆଜି ଦିଲ୍ଲୀରେ ହେବାକୁ ଥିବା ବୈଠକରେ ରାଜ୍ୟ କଂଗ୍ରେସର ୨୦ରୁ ଅଧିକ ନେତା ସାମିଲ ହେବେ । ପ୍ରଥମେ ବିଧାୟକଙ୍କ ସହ ବୈଠକ ପରେ ରାଜ୍ୟକଂଗ୍ରେସର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ରାହୁଲ ଗାନ୍ଧୀ । ପିସିସି ପରିବର୍ତନ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ଆଜିର ବୈଠକ ପରେ ଏକ ଚୁଡାନ୍ତ ନିଷ୍ପତି ଆସିବା ସଂଭାବନା ରହିଛି ।

ବୈଠକରେ ବିରୋଧୀ ଦଳ ନେତା, କଂଗ୍ରେସ ବିଧାୟକ, କଂଗ୍ରେସ ସାଂସଦଙ୍କ ସମେତ ରାଜ୍ୟ କଂଗ୍ରେସର ବହୁ ତୁଙ୍ଗ ନେତା ଯୋଗ ଦେଉଛନ୍ତି । ବିଶେଷ କରି ପଂଚାୟତ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ପଂଚାୟତ ନିର୍ବାଚନରେ ଦଳର ବିପର୍ଯ୍ୟୟ ପାଇଁ ଓଡ଼ିଶା ପ୍ରଭାରୀ ଇସ୍ତଫା ଦେବା ସହ ପ୍ରଦେଶ କଂଗ୍ରେସ ସଭାପତି ମଧ୍ୟ ଦୋଷ ମୁଣ୍ଡାଇଥିଲେ । ତେବେ ଆଜି ବସିବାକୁ ଥିବା ବୈଠକରେ ଏକ ବଡ ଧରଣର ପରିବର୍ତନର ଇସାରା ମିଳିବ ବୋଲି ସୂଚନା ମିଳିଛି ।