ଆଜିଠୁ ହକି ମହାକୁମ୍ଭ ! କଳିଙ୍ଗ ଷ୍ଟାଡିୟମରେ ହେବ ବିଶ୍ୱ ହକି ଲିଗର ଉଦଘାଟନୀ

34

କନକ ବ୍ୟୁରୋ: ବିଶ୍ୱ ହକି ଲିଗ ଆଜିଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଉଛି । ଏଥିଲାଗି ଷ୍ଟାଡିୟମର ପ୍ରସ୍ତୁତି କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଂଚିଛି । ୮ଦେଶର ବଛାବଛା ଷ୍ଟାର ଖେଳାଳିଙ୍କ ବଡବଡ ହୋଡିଂ ଷ୍ଟାଡୟମର ପରିସରରେ ଶୋଭାପାଉଛି । ଏଥିସହିତ ଦର୍ଶକଙ୍କୁ ସ୍ୱାଗତ କରିବାପାଇଁ ଭଳିକିଭଳି ରଙ୍ଗବେରଙ୍ଗର ଲାଇଟରେ ସଜାଯାଇଛି ।

ଉଦଘାଟନ ମ୍ୟାଚ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ପ୍ରାରମ୍ଭିକ ରିହଲସଲ କରାଯାଇଛି । ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦିନରେ ଗୋଟିଏ ମ୍ୟାଚରେ ଜର୍ମାନି ବନାମ ଇଂଲଣ୍ଡ ଏବଂ ଅନ୍ୟଏକ ମ୍ୟାଚରେ ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିଶେଷକରି ଏଥିପାଇଁ ଏଫଆଇଏଚ୍ ଏବଂ ହକି ଇଣ୍ଡିଆର ଅଧିକାରୀ ମାନେ କାର୍ଯ୍ୟକୁ ତଦାରଖ କରିଛନ୍ତି ।

ଆଜି ଭାରତ ଓ ବିଶ୍ୱ ଚମ୍ପିଅନ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା

ଏସିଆ ମହାଦେଶର ଶକ୍ତିଶାଳୀ ଭାରତୀୟ ଟିମ୍ ହକି ଓ୍ଵାଲର୍ଡ ଲିଗ ଫାଇନାଲରେ ନିଜର ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ କରିବ ।ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟର ପୁଲ-ବି ପ୍ରତିଯୋଗିତାରେ ଭାରତ ଓ ବିଶ୍ୱ ଚମ୍ପିଅନ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଖେଳାଯିବ । ପୁଲ-ବିରେ ଅଷ୍ଟ୍ରେଲିଆ ବ୍ୟତୀତ ଇଂଲଣ୍ଡ ଓ ଜର୍ମାନୀ ମଧ୍ୟ ଅଛନ୍ତି । ସେହିଭଳି ପୁଲ-ଏରେ ଅଲମ୍ପିକ ଚମ୍ପିଅନ ଆର୍ଜେଣ୍ଟିନା, ନେଦରଲାଣ୍ଡ, ବେଲଜିୟମ ଓ ସ୍ପେନ ଅଛନ୍ତି । ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଭାରତ-ଅଷ୍ଟ୍ରେଲିଆ ବ୍ୟତୀତ ଜର୍ମାନୀ ଓ ଇଂଲଣ୍ଡ ମଧ୍ୟରେ ମଧ୍ୟ ମ୍ୟାଚ ଖେଳାଯିବ ।

ଉପ-ମହାଦୀପରେ ଭାରତୀୟ ଟିମର ପ୍ରଭାବ ରହିଛି । ନିକଟରେ ବାଲାଂଦେଶର ରାଜଧାନୀ ଢାକାରେ ଆୟୋଜିତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଭାରତ ଚମ୍ପିଅନ ହୋଇଛି । ହକି ଓ୍ଵାଲର୍ଡ ଲିଗ୍ ଫାଇନାଲରେ ନିଜର ପ୍ରଭାବ ଜାରି ରଖିବାକୁ ହେଲେ, ଭାରତକୁ ନୂଆଁ ରଣନୀତି ଆପଣାଇବାକୁ ପଡ଼ିବ। ବିଶ୍ୱର ୨ୟ ସର୍ବଶ୍ରେଷ୍ଠ ଟିମ ଅଷ୍ଟ୍ରେଲିଆ ବିରୋଧରେ ଭାରତକୁ ବିଗତ କିଛି ମାସ ହେବ ସଫଳତା ମିଳି ନାହିଁ । ଚମ୍ପିଅନ ଟ୍ରଫି, ଆଜଲାନ ଶାହା ଓ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପରାସ୍ତ ହେବାକୁ ପଡ଼ିଛି । ଆଠଟି ଦେଶକୁ ନେଇ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ଭାରତର ନୂଆଁ କୋଚ ସୋର୍ଡ ମାରିନଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ହେବ ଅଗ୍ନୀ ପରୀକ୍ଷା । କାରଣ ସେ ୨ମାସ ତଳେ ରୋଲାଣ୍ଡ ଅଲ୍ଟମେସଙ୍କ ସ୍ଥାନ ନେଇଛନ୍ତି । ମାରିନ ଏସିଆ କପରେ ସଫଳ ହୋଇଛନ୍ତି କିନ୍ତୁ ହକି ଲିଗ ଫାଇନାଲ ତାଙ୍କ ପାଇଁ ନୂଆଁ ଅନୁଭୂତି ଆଣିବ ।

ସେହିପରି କମିଶନରେଟ ପୋଲିସ ପକ୍ଷରୁ ସମସ୍ତପ୍ରକାର ପ୍ରସ୍ତୁତି ସରିଛି । ଓଡିଶା ହକି ବିଶ୍ୱ ଲିଗ -୨୦୧୭ ଆଜିଠାରୁ ଆରମ୍ଭ ହେବ । ଏହି ଦିନ ମାନଙ୍କରେ ଟ୍ରାଫିକ ନିୟମ କିଭଳି ପାଳନ କରିବେ ତା ଉପରେ ଉପଦେଶନାମା ଜାରି କରିଛି କମିଶନରେଟ ପୋଲିସ । ଡିସେମ୍ବର ୧ତାରିଖ ଠାରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ମ୍ୟାଚ ଅନୁଷ୍ଠିତ ହେବ । ଏହି ହକି ମ୍ୟାଚ ଦେଖିବା ପାଇଁ ବହୁଲୋକ ଓ ଗାଡିମୋଟର କଳିଙ୍ଗ ଷ୍ଟାଡିୟମ ଆଡକୁ ଆସିବ । ଲୋକମାନଙ୍କ ସୁବିଧା ପାଇଁ ଓ ଯାନବାହାନଗୁଡିକର ଯାତାୟତକୁ ସୁନିୟନ୍ତ୍ରଣଳରିବା ପାଇଁ ପଦକ୍ଷେପ ନିଆଯାଇଛି ।

ଯାନବାହାନ ପାସ ନଥିବା କୌଣସି ଯାନବାହାନକୁ କଳିଙ୍ଗ ଷ୍ଟାଡିୟମ ଭିତରକୁ ପ୍ରବେଶ କରିପାରିବେ ନାହିଁ । ପାସ ଥିବା ସେବା ପ୍ରଦାନ ଗାଡିଗୁଡିକ ଗେଟନଂ-୨ ଓ ପାସ ଥିବା ଗଣମାଧ୍ୟମ ଗାଡିଗୁଡିକ ଗେଟ ନଂ-୯ରେ ପ୍ରବେଶ କରିପାରିବେ । ସେହିପରି ବ୍ୟକ୍ତିଙ୍କ ସହ ଗାଡି ପାସ ରଖିଥିବା ଲୋକମାନେ ଗେଟ ନଂ-୯ଦ୍ୱାର ଦେଇ କଳିଙ୍ଗ ଷ୍ଟାଡିୟମ ଭିତରକୁ ପ୍ରବେଶ କରିପାରିବେ । ସେହିପରି ଏଥର ପାର୍କିଂ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । କେବଳ ଦୁଇ ଚକିଆ ଗାଡି ୧ ନମ୍ବର ଗେଟ ନିକଟରେ ବେହେରା ସାହି ପାର୍କିଂ କରିପାରିବେ । ଭୁବନେଶ୍ୱର ସ୍ଥିତ ଆଂଚଳିକ ଶିକ୍ଷାନୁଷ୍ଠାନ ପଡିଆ ଓ ନୟାପଲ୍ଲୀ ରାବଣ ପୋଡି ପଡିଆରେ ଓ ନିକୋ ପାର୍କ ରୋଡରେ ସମସ୍ତପ୍ରକାର ଗାଡି ପାର୍କିଂର ବ୍ୟବସ୍ଥା କରାଯାଇଛି ।

ନନ୍ଦନକାନନ ପଟୁ ଗାଡିମୋଟରରେ ପାସ ବା ଟିକେଟଧାରୀ ବ୍ୟକ୍ତି ସେମାନଙ୍କ ଗାଡିମୋଟର ବେହେରା ସାହି ପାର୍କିଂସ୍ଥଳରେ ଗାଡି ରଖିପାରିବେ । ଖଣ୍ଡଗିରି ପଟୁ ବା ଏନଏଚ୧୬ରେ କଟକରୁ ଆସୁଥିବା ପାସ ବା ଟିକେଟ ଧାରୀ ଆଂଚଳିକ ଶିକ୍ଷାନୁଷ୍ଠାନ ପଡିଆରେ ଗାଡି ରଖି ଆଚାର୍ୟ୍ୟବିହାର ଦେଇ କଳିଙ୍ଗ ଷ୍ଟାଡିୟମକୁ ଯାଇପାରିବେ । ଯାନବାହାନ ପାସ ନଥାଇ ନିମନ୍ତ୍ରିତ ଅତିଥି ଯେକୌଣସି ଦିଗରୁ ଆସି ଏନଏଚ-୧୬କୁଯାଇ ଗେଟ ନଂ -୯ ଦେଇ କଳିଙ୍ଗ ଷ୍ଟାଡିୟମକୁ ପ୍ରବେଶ କରିପାରିବେ ।