ଜାମ୍ମୁ-କାଶ୍ମୀର ବାରମୁଲା ସେକ୍ଟରରେ ସହିଦ ହୋଇଥିବା ଓଡ଼ିଆ ଯବାନ ହେମନ୍ତ ପଣ୍ଡାଙ୍କ ଆଜି ଆସିପାରେ ମରଶରୀର । ସେପଟେ ପୈତୃକ ଗାଁରେ ଶୋକର ଛାୟା

ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ଓଡ଼ିଆ ଯବାନ

224

କନକ ବ୍ୟୁରୋ : ସାରା ଦେଶ ଗଣତନ୍ତ୍ରର ଉତ୍ସବରେ ଉତ୍ସାହିତ ଥିବା ବେଳେ ସୀମାରୁ ଯବାନଙ୍କ ବଳିଦାନର ଖବର ଆସିଛି । ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ଓଡ଼ିଆ ଯବାନ । ଜାମ୍ମୁ-କାଶ୍ମରୀର ବାରାମୁଲା ଅଂଚଳରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ବେଳେ ପ୍ରାଣ ହରାଇଛନ୍ତି ଖୋର୍ଦ୍ଧା ବେଗୁନିଆ ଅଂଚଳର ହେମନ୍ତ କୁମାର ପଣ୍ଡା । ଆଜି ହେମନ୍ତଙ୍କ ମୃତଦେହ ତାଙ୍କ ପୈତୃକ ଗାଁକୁ ଆସିବ ବୋଲି ଜଣାପଡିଛି । ଯବାନଙ୍କ ସହିଦ ହେବା ଖବର ପହଂଚିବା ପରେ ବେଗୁନିଆ ଅଂଚଳରେ ଦୁଃଖର ଛାୟା ଖେଳିଯାଇଛି ।

ଯେଉଁ ଅଂଚଳରେ ଏହି ଯବାନ-ଆତଙ୍କବାଦୀ ଏନକାଉଣ୍ଟର ହୋଇଥିଲା, ସେହି ଅଂଚଳରେ କାଲି ସକାଳୁ ଦୁଇ ଜଣ ଆତଙ୍କବାଦୀ ଏନକାଉଣ୍ଟରରେ ନିହତ ହୋଇଛନ୍ତି । ବଡ କଥା ହେଉଛି- ଜାମ୍ମୁ-କାଶ୍ମୀର ଏହି ବାରାମୁଲା ଅଂଚଳକୁ ଆତଙ୍କବାଦୀ ମୁକ୍ତ ଅଂଚଳ ଭାବରେ ଘୋଷଣା କରାଯାଇଥିଲା । ହେଲେ ପୁଣି ଆତଙ୍କବାଦୀ ଗତିବିଧି ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । ଗଣତନ୍ତ୍ର ଦିବସ ଅବସରରେ ଭାରତ ଓ ପାକିସ୍ତାନର ଯବାନମାନେ ୱାଘା ବର୍ଡରରେ ଗୋଟିଏ ପକ୍ଷ ଆଉ ଗୋଟିଏ ପକ୍ଷରୁ ସ୍ୱତନ୍ତ୍ର ସାଲ୍ୟୁଟ୍ ଦେଉଥିବା ବେଳେ ଆତଙ୍କବାଦୀମାନେ ଭାରତ ସୀମାରେ ପଶି ଘଟାଇ ଚାଲିଛନ୍ତି ଅମାନବୀୟ କାଣ୍ଡ ।