ଆଜି ମହାଳୟା ! ପିତୃପୁରୁଷଙ୍କୁ ପିଣ୍ଡ ଦେବାକୁ ଶ୍ରୀମନ୍ଦିରରେ ଭିଡ

86

କନକ ବ୍ୟୁରୋ : ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା । ଆଜି କୂଳଦେବତାଙ୍କୁ ଆବାହନ କରାଯିବା ସହ ପିତୃପୁରୁଷଙ୍କ ଆବାହନ କରାଯାଇଥାଏ । ଆଉ ଆଜିର ଦିନରେ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯିବା ସହ ଶ୍ରାଦ୍ଧ ଅର୍ପଣ କରାଯାଇଥାଏ । ଆଜି ପୁରୀ ଶ୍ରୀମନ୍ଦିରରେ ମହାଳୟା ପାଳନ କରାଯିବାକୁ ଥିବାବେଳେ ବାଇଶି ପାହାଚରେ ଭକ୍ତମାନେ ପିଣ୍ଡଦାନ କରିବେ । ପବିତ୍ର ମହାଳୟା ଅବସରରେ ସମ୍ବଲପୁରର ମା ସମଲେଶ୍ୱରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଏହି ବେଶ ମାଙ୍କ ଅଢେଇ ଦିନ ପାଇଁ ରହିଥିବାବେଳେ ଅଢେଇ ଦିନ ପରେ ପୁଣି ଥରେ ମା’ଙ୍କ ବେଶ ପରିବର୍ତ୍ତନ କରାଯିବାର ପରମ୍ପରା ରହିଛି ।

ଭକ୍ତଙ୍କ ବିଶ୍ୱାସ ତଥା କିମ୍ବଦନ୍ତୀରୁ ଜଣାପଡେ ମହାଳୟରେ ଗଙ୍ଗା ନଦୀରେ ସ୍ନାନ କଲେ ଓ ଗଙ୍ଗା ମାତାଙ୍କ ଦର୍ଶନ କଲେ ପିତୃ ପୁରୁଷ ମୁକ୍ତି ପାଇଥାନ୍ତି । ସେହିଭଳି ଆଜି ସମଲେଶ୍ୱରୀ ମା ଙ୍କ ଧବଳମୁଖୀ ବେଶ ଦର୍ଶନ କଲେ ଗଙ୍ଗା ସ୍ନାନ ଭଳି ପୁଣ୍ୟ ମିଳିବା ସହିତ ପିତୃ ପୁରୁଷ ମୁକ୍ତି ପାଆନ୍ତି ବୋଲି କିମ୍ବଦନ୍ତୀ କହେ । ଆଜି ମା’ଙ୍କ ଠାରେ ସ୍ୱତନ୍ତ୍ର ଭାବରେ ବିରି ଓ ଗୁଡରେ ତିଆରି ଭୋଇ ଲଗାଯାଇଛି । ସକାଳୁ ଭକ୍ତମାନଙ୍କ ଲମ୍ବା ଲାଇନରେ ଠିଆ ହୋଇ ମା ଙ୍କ ଦର୍ଶନ କରନ୍ତି ।