ସଂସଦରେ ଆଜି ଉଠିବ ପଶ୍ଚିମବଙ୍ଗ ପ୍ରସଙ୍ଗ । ସାଢ଼େ ୧୦ଟାରେ ବୈଠକ କରିବେ ବିରୋଧୀ, ରାହୁଲ କଲେ ସମର୍ଥନ

ସଂସଦରେ ଆଜି ଉଠିବ ପଶ୍ଚିମବଙ୍ଗ ପ୍ରସଙ୍ଗ । ସାଢ଼େ ୧୦ଟାରେ ବୈଠକ କରିବେ ବିରୋଧୀ

132

କନକ ବ୍ୟୁରୋ : ସଂସଦରେ ଆଜି ଉଠିବ ପଶ୍ଚିମବଙ୍ଗ ପ୍ରସଙ୍ଗ । ସାଢ଼େ ୧୦ଟାରେ ବୈଠକ କରିବେ ବିରୋଧୀ । ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ସିବିଆଇ- ପଶ୍ଚିମବଙ୍ଗ ବିବାଦ ନେଇ ଆଲୋଚନା ହେବ । ସିବିଆଇର କାର୍ଯ୍ୟକୁ ବିରୋଧ କରି ମମତା ଜାରି ରଖିଥିବା ଧାରଣାକୁ ସମର୍ଥନ କରିଛନ୍ତି ଏକାଧିକ ବିରୋଧୀ ଦଳ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମମତାଙ୍କୁ ସମର୍ଥନ କରିଛନ୍ତି  । ରାହୁଲ ଟ୍ୱିଟ୍ କରି କହିଛନ୍ତି ମୋଦି ଓ ବିଜେପିର ଏକଚ୍ଛତ୍ରବାଦ ବିରୁଦ୍ଧରେ ମମତାଙ୍କ ଲଢ଼େଇକୁ ସେ ସମର୍ଥନ କରୁଛନ୍ତି ଓ ବିରୋଧୀ ଏକାଠି ମିଶି ଲଢ଼ିବେ  ।

ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ଲେଖିଛନ୍ତି- ମୋଦିଙ୍କ କାର୍ଯ୍ୟକଳାପ ଗଣତନ୍ତ୍ର ବିରୋଧୀ । ମୋଦି ଦେଶର ଗଣତନ୍ତ୍ର ଏବଂ ସଂଘୀୟ ବ୍ୟବସ୍ଥା ପ୍ରତି ଉପହାସ କରିଛନ୍ତି । ପଶ୍ଚିମବଙ୍ଗରେ ସିବିଆଇର କାର୍ଯ୍ୟାନୁଷ୍ଠାନକୁ ସେ ନିନ୍ଦା କରିଛନ୍ତି  । ତେବେ ଆଜି କେଜ୍ରିୱାଲ କୋଲକାତା ଯାଇପାରନ୍ତି ବୋଲି ସୂଚନା ମିଳିଛି ।

ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ମମତାଙ୍କ ସମର୍ଥନରେ ବାହାରିଛନ୍ତି । ଟ୍ୱିଟ୍ କରି ଲେଖିଛନ୍ତି-ବିଜେପିର ଶୋଷଣକାରୀ ନେତାମାନେ ସିବିଆଇର ଦୂରୁପଯୋଗ କରୁଛନ୍ତି । ପଦକ୍ଷେପର ଜନତା ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି  । ସେହିପରି ଲାଲୁ ଯାଦବ ଟ୍ୱିଟରରେ ଲେଖିଛନ୍ତି- ନିର୍ବାଚନ ଜିତିବା ପାଇଁ ବିଜେପି ଦେଶବାସୀଙ୍କୁ ଏକ ଯୁଦ୍ଧ ଆଡକୁ ଠେଲି ଦେଉଛି । ଏହା ଏକଛତ୍ରବାଦର ନଗ୍ନ ନୃତ୍ୟ ବୋଲି ଲାଲୁ ଯାଦବ ତାଙ୍କ ଟ୍ୱିଟରେ ଲେଖିଛନ୍ତି । ମମତାଙ୍କୁ ସମର୍ଥନ କରି ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ଆଜି କୋଲକାତା ଯାଇପାରନ୍ତି ।