ଯୋଗ କରନ୍ତୁ ସୁସ୍ଥ ରୁହନ୍ତୁ ! ଆଜି ସାରା ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ

47

କନକ ବ୍ୟୁରୋ: ଆଜି ସାରା ବିଶ୍ୱ ପାଳୁଛି ଯୋଗ ଦିବସ । ଚତୁର୍ଥ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେରାଡୁନରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏଠାରେ ସାମିଲ ହୋଇଥିବା ପ୍ରାୟ ୫୫ହଜାର ଲୋକଙ୍କ ସହ ମିଶି ମୋଦି ଯୋଗ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରାକ୍ଟିସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ୪୫ ମିନିଟ ପାଇଁ ଏହି ଯୋଗ ଶିବିର ହୋଇଥିଲା । ଏହି ଅବସରରେ ମୋଦି କହିଥିଲେ ଯୋଗ ବ୍ୟକ୍ତି, ପରିବାର,ସମାଜ. ଦେଶ, ବିଶ୍ୱ ତଥା ସମଗ୍ର ମାନବ ସମାଜକୁ ଯୋଡେ । ଯୋଗ ଦେହକୁ ସୁସ୍ଥ ରଖେ । ଦେହର ଫିଟନେସ ବଢାଇବାରେ ମଧ୍ୟ ଏହା ସହାୟକ ହୋଇଥାଏ । ବିଶ୍ୱର କୋଣ ଅନୁକୋଣରେ ଯୋଗାଭ୍ୟାସ ଚାଲିଛି । ଲୋକମାନଙ୍କୁ ସମାଜ ତଥା ବିଶ୍ୱ ସହ ଯୋଡି ରହିବାକୁ ଯୋଗ ଏକ ମାଧ୍ୟମ ପାଲଟିଛି । ସାରା ବିଶ୍ୱରେ ଯୋଗ କରୁଥିବା ଲୋକଙ୍କ ସଂଖ୍ୟା ଯଦି ଆକଳନ କରାଯାଏ ତେବେ ଆଶ୍ଚର୍ଯ୍ୟକର ତଥ୍ୟ ସାମନାକୁ ଆସିବ ବୋଲି ସେ କହିଥିଲେ । ବିଭିନ୍ନ ରୋଗ ସହିତ ସଂଗ୍ରାମ କରି ଜିତିବାରେ ଯୋଗ ସହାୟକ ହୋଇଥାଏ ।

ଶାନ୍ତି, ମୈତ୍ରୀ ଏବଂ ଭାଇଚାରା ପ୍ରତିଷ୍ଠା କରିବାରେ ମଧ୍ୟ ଯୋଗର ଅବଦାନ ରହିଛି । ଏକ ସୁସ୍ଥ ଜୀବନକୁ ରାସ୍ତା ଦେଖାଇଛି ଯୋଗ । ନିୟମିତ ଯୋଗ ଲୋକମାନଙ୍କୁ ମେଡିକାଲ ଖର୍ଚ୍ଚରୁ ବଂଚାଇଥାଏ । ତେଣୁ ସମସ୍ତେ ଯୋଗ ସହ ଯୋଡିହେବା ପାଇଁ ପ୍ରୟାସ କରିବା ଉଚିତ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରାଜ୍ୟପାଳ କେ କେ ପାଲ, ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାୱତ, କେନ୍ଦ୍ର ମନ୍ତ୍ରୀ ହରକ ସିଂହ ରାୱତ ପ୍ରମୁଖ ଭାଗ ନେଇଥିଲେ । ବିଶ୍ୱ ଯୋଗ ଦିବସ ଅବସରରେ ସାରା ଦେଶରେ ୫ହଜାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଦିଲ୍ଲୀରେ ୮ଟି ସ୍ଥାନରେ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା ।

ସେହିପରି ରାଜସ୍ଥାନର କୋଟାରେ ବାବା ରାମଦେବ ପ୍ରାୟ ଅଢେଇ ଲୋକଙ୍କ ସହ ମିଶି ଏକାଠି ଯୋଗ କରିଥିଲେ । ଏହି ଯୋଗ କରି ବାବା ରାମଦେବ ଗିନିସ ବୁକ ଅଫ ୱାର୍ଲଡ ରେକର୍ଡ କରିଛନ୍ତି । ତାଙ୍କ ସହିତ ସାମିଲ ହୋଇଥିଲେ କୋଚିଂ ସେଂଟର ଛାତ୍ର, ଆର୍ମି, ପୋଲିସ ଏବଂ ବହୁ ସଂଖ୍ୟାରେ ଗ୍ରାମାଂଚଳର ଲୋକ । ଗତ ୩ଦିନ ଧରି କୋଟାରେ ବାବା ରାମଦେବ ଲୋକମାନଙ୍କ ସହ ଯୋଗାଭ୍ୟାସ କରିଛନ୍ତି ।