ଆଜି ସେନା ଦିବସ : ପାକିସ୍ତାନର ରାଷ୍ଟ୍ରପତି କରୁଥିଲେ ଏହି ମହାନ ଭାରତୀୟ ସୈନିକଙ୍କୁ ସଲାମ

202

ଜାନୁଆରି ୧୫ ସେନା ଦିବସ। ଭାରତୀୟ ସେନାକୁ ସମ୍ମାନ ଦେବା ପାଇଁ ଉତ୍ସର୍ଗୀକୃତ ଦିନଟିଏ । ୧୯୪୯ ମସିହାର ଏହି ଦିନରେ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର ଚିଫ୍ କେଏମ୍ କରିଅପ୍ପା ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ। ସେବେଠାରୁ ଏହି ଦିନଟିକୁ ବୀର ଓ ସାହସୀ ଭାରତୀୟ ସେନାଙ୍କ ପାଇଁ ଉତ୍ସର୍ଗ କରାଯାଇଛି।

କରିଅପ୍ପା ୧୯୪୭ ମସିହାରେ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧରେ ଅଦମ୍ୟ ସାହସ ଓ ଦମଦାର ନେତୃତ୍ୱର ପରିଚୟ ଦେଇଥିଲେ । ପାକିସ୍ତାନର ଯୁଦ୍ଧ ସମୟରେ ତାଙ୍କୁ ପଶ୍ଚିମ କମାନର ଜି-ଓ-ସି-ଇନ୍-ସି ଦାୟିତ୍ୱ ଦିଆଯାଇଥିଲା । ତାଙ୍କ ନେତୃତ୍ୱରେ ଭାରତ ଜୋଜିଲା, ଦ୍ରାସ ଓ କାରଗିଲରେ ପାକିସ୍ତାନୀ ସେନାଙ୍କୁ ହରାଇଥିଲା ।

ଫିଲ୍ଡ ମାର୍ଶଲ କରିଅପ୍ପା ନିଜ ସେବା ସମୟରେ ଅନେକ କାରନାମା କରିଥିଲେ କିନ୍ତୁ ଭାରତୀୟ ସେନାରୁ ବର୍ଷ ୧୯୫୩ରେ ଅବସର ନେବା ପରେ ତାଙ୍କ ଜୀବନରେ ଏମିତି ଘଟଣା ଘଟିଲା ଯାହା ଜାଣିଲେ ଆପଣଙ୍କ ଛାତି ଗର୍ବରେ ଫୁଲି ଉଠିବ । ୧୯୬୫ର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ କରିଅପ୍ପା ଅବସର ନେଇ କର୍ଣ୍ଣାଟକରେ ରହୁଥିଲେ । କରିଅପ୍ପାଙ୍କ ପୁଅ ସେହି ସମୟରେ ଭାରତୀୟ ବାୟୁସେନାରେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଥିଲେ । ଯୁଦ୍ଧ ସମୟରେ ତାଙ୍କ ବିମାନ ପାକିସ୍ତାନ ସୀମାରେ ପ୍ରବେଶ କରିଗଲା, ଯାହାକୁ ପାକ୍ ସୈନିକମାନେ ତଳେ ପକାଇଦେଲେ । କରିଅପ୍ପାଙ୍କ ପୁଅ ବିମାନରୁ ଡେଇଁ ନିଜର ଜୀବନ ତ ବଂଚାଇଦେଲେ, କିନ୍ତୁ ସେ ପାକ୍ ସୈନିକଙ୍କ ହାତରେ ଧରାପଡିଲେ ।

୧୯୬୫ ଯୁଦ୍ଧ ସମୟରେ ପାକ୍ ରାଷ୍ଟ୍ରପତି ଅୟୁବ ଖାନ ଥିଲେ । ଯିଏକି କେବେ କରିଅପ୍ପାଙ୍କ ଜୁନିୟର ଥିଲେ ଓ ଭାରତୀୟ ସେନାରେ ଚାକିରୀ କରିସାରିଥିଲେ । ତାଙ୍କୁ ଯେମିତି ଜଣାପଡିଲା କି କରିଅପ୍ପାଙ୍କ ପୁଅ ନନ୍ଦା ଧରାପଡିଛନ୍ତି, କରିଅପ୍ପାଙ୍କ ପାଖକୁ ତୁରନ୍ତ ଫୋନ କଲେ ଓ କହିଲେ କି ତାଙ୍କ ପୁଅକୁ ଛାଡି ଦିଆଯାଉଛି । କରିଅପ୍ପା ପୁଅ ମୋହ ତ୍ୟାଗ କରି କହିଲେ କି, “ସେ କେବଳ ମୋର ପୁଅ ନୁହେଁ, ଭାରତ ମାତାର ସନ୍ତାନ ମଧ୍ୟ । ତାକୁ ଛାଡିବା ବଦଳରେ ସାଧାରଣ ଯୁଦ୍ଧବନ୍ଦୀଙ୍କ ଭଳି ବ୍ୟବହାର କରନ୍ତୁ ।” ସେ ଆହୁରି କହିଲେ କି, ଆପଣ ସମସ୍ତ ଯୁଦ୍ଧବନ୍ଦୀଙ୍କୁ ଛାଡି ଦିଅନ୍ତୁ ଅଥବା କାହାକୁ ବି ନୁହେଁ । ଯୁଦ୍ଧ ଶେଷ ହେବା ପରେ ସେ ସମସ୍ତ ଯୁଦ୍ଧବନ୍ଦୀଙ୍କୁ ଛାଡିଦେଇଥିଲେ ।