ହାଇକୋର୍ଟରେ ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପାଣ୍ଠି ଅନିୟମିତତା ମାମଲାର ଶୁଣାଣି ! ଗଂଜାମ ଜିଲ୍ଲାପାଳ ଓ ରାଜ୍ୟ ନିର୍ବାଚନ କମିଶନଙ୍କୁ ବାଦ୍ ଦେବା ପାଇଁ ମୂଳ ଆବେଦନକାରୀଙ୍କ ପ୍ରାର୍ଥନା

26

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନିର୍ବାଚନ ପାଣ୍ଠିରେ ଅନିୟମିତତା ମାମଲାର ଶୁଣାଣି ଆଜି ହାଇକୋର୍ଟରେ ହେବ । ଏହି ମାମଲାରେ ଦ୍ୱିତୀୟ ପକ୍ଷ ଥିବା ରାଜ୍ୟ ନିର୍ବାଚନ କମିଶନ ଏବଂ ତୃତୀୟ ପକ୍ଷ ଗଂଜାମ ଜିଲ୍ଲାପାଳଙ୍କୁ ବାଦ୍ ଦେବା ପାଇଁ ହାଇକୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୂଳ ଆବେଦନକାରୀ ସୁବାଷ ମହାପାତ୍ର । ପୂର୍ବରୁ ବିଜେଡି ସୁବାଷ ମହାପାତ୍ରଙ୍କ ଏହି ଆବେଦନକୁ ନେଇ ଆପତ୍ତିି ଉଠାଇଥିଲା । ବିଜେଡିର କହିବା ଅନୁସାରେ ସୁବାଷ ମହାପାତ୍ର ହିଞ୍ଜିଳି ନିର୍ବାଚନ ମଣ୍ଡଳିର ହୋଇନଥିବା ବେଳେ ବିଧାୟକଙ୍କ ବିରୋଧରେ ନିର୍ବାଚନ ବି ଲଢ଼ୁନଥିଲେ ।

କିନ୍ତୁ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଓକିଲ ଆର.ଏନ୍ ହୁଡ୍ଡା କହିଛନ୍ତି- ଆବେଦନକାରୀଙ୍କ ପାଖରେ ଯଦି ଉପଯୁକ୍ତ ପ୍ରମାଣଥିବ ତେବେ ଭାରତର ଯେକୌଣସି ନାଗରିକ ଆବେଦନ କରିପାରିବ । ମାମଲାରେ ଭାରତୀୟ ନିର୍ବାଚନ କମିଶନ ପକ୍ଷଭୁକ୍ତ ହୋଇଛନ୍ତି । କମିଶନଙ୍କ ପକ୍ଷରୁ ଆସିଷ୍ଟାଂଟ ସଲିସିଟର ଜେନେରାଲ ପକ୍ଷ ରଖିଛନ୍ତି ।ସୂଚନାଯୋଗ୍ୟ ନିର୍ବାଚନରେ ବିଜେଡିର ଟଙ୍କା ଅନିୟମିତତା ପ୍ରସଙ୍ଗ ବେଶ କିଛି ଦିନ ହେବ ରାଜନୀତି ଜୋର ଧରିଛି । ଏ ନେଇ ମୁହାଁମୁହିଁ ହେଉଛନ୍ତି ବିଜେଡି-ବିଜେପି ।  ବିଜେଡି ବ୍ୟାଙ୍କ ଖାତାକୁ ସାର୍ବଜନୀନ କରିବା ପାଇଁ ବିଜେପି ଦାବି କରିଥିଲା ।