ଆଜି ପଂଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ! ୨୬ ଜିଲ୍ଲାର ୫୮ ବ୍ଲକରେ ୧୫୦ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ ଗ୍ରହଣ

29

କନକ ବ୍ୟୁରୋ : ଆଜି ପଂଚାୟତ ନିର୍ବାଚନର ପଂଚମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ଅନୁଗୁଳ, ବୌଦ୍ଧ, ଝାରସୁଗୁଡା ଓ ମାଲକାନଗିରି ଛାଡି ବାକି ୨୬ଟି ଜିଲ୍ଲାର ୫୮ଟି ବ୍ଲକରେ ୧୫୦ଟି ଜିଲ୍ଲାପରିଷଦ ଆସନ ପାଇଁ ଚାଲିଛି ମତଦାନ । ୧୧୭୩ଟି ଗ୍ରାମପଂଚାୟତରେ ୪୪ଲକ୍ଷ ଭୋଟର ମତଦାନ କରିବେ । ଏହି ପର୍ଯ୍ୟାୟରେ ୫୯୧ଜଣ ଜିଲ୍ଲା ପରିଷଦଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା ।

ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ଭୋଟ୍ ଗ୍ରହଣ । ବିଭିନ୍ନ ବୁଥ୍ ଗୁଡିକରେ ଲାଇନ୍ ଲଗାଇ ଭୋଟ୍ ଦେଉଛନ୍ତି ଲୋକେ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟିଂ ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ । ପରେ ଅପରାହ୍ନ ଗୋଟାଏରୁ ଭୋଟ୍ ଗଣତି ହେବ ଏବଂ ସଂଧ୍ୟା ସୁଦ୍ଧା ଫଳାଫଳ ପ୍ରାୟ ଜଣାପଡିଯିବ । ଆସନ୍ତା ୨୫ରେ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା ହେବ ।

୧୫୦ ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ୧୧୭୩ ପଂଚାୟତରେ ସରପଂଚ ଓ ସମିତିସଭ୍ୟ ପଦବୀ ପାଇଁ ଚାଲିଛି ଭୋଟ୍ ଗ୍ରହଣ । ୧୬ ହଜାର ୧୪୮ ୱାର୍ଡମେମ୍ବର ପଦବୀ ପାଇଁ ବି ଚାଲିଛି ଭୋଟିଂ । ୨୬ ଜିଲ୍ଲାର ୫୮ଟି ବ୍ଲକରେ ୧୬ ହଜାର ୧୪୮ କେନ୍ଦ୍ରରେ ମୋଟ ୪୪ ଲକ୍ଷ ୫୦ ହଜାର ୮୯୩ ଭୋଟର ମତଦାନ ପ୍ରକ୍ରିୟାରେ ଭାଗ ନେଉଛନ୍ତି ।

ଗତକାଲି ସନ୍ଧ୍ୟା ସୁଦ୍ଧା ଏହି ସବୁ ମତଦାନ କେନ୍ଦ୍ରରେ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ମୟୂରଭଂଜ ଜିଲ୍ଲାରେ ସର୍ବାଧିକ ୭୩ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଲଢେଇ କରୁଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ୩୬ ଓ ଗଂଜାମ ଜିଲ୍ଲାରେ ୩୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ସେହିପରି ଯାଜପୁର ଜିଲ୍ଲାରେ ୨୫ କେନ୍ଦୁଝରରେ ୩୨, ଢେଂକାନାଳରେ ୨୯, କେନ୍ଦ୍ରାପଡାରେ ୧୬, ପୁରୀ ଜିଲ୍ଲାରେ ୨୧ ଓ କୋରାପୁଟରେ ୧୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସମ୍ବଲପୁର ଜିଲ୍ଲାରେ ସବୁଠାରୁ କମ୍ ୬ ଜଣ ଜିଲ୍ଲାପରିଷଦ ପ୍ରାର୍ଥି ମୈଦାନରେ ଅଛନ୍ତି । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଗତ ୧୩ ତାରିଖରୁ ରାଜ୍ୟରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।