ଆଜି ସରୁଛି ମାଟ୍ରିକ୍ ପରୀକ୍ଷା : ପ୍ରଶ୍ନପତ୍ର ଭାଇରାଲ୍ ଉପରେ ଲାଗୁନି ରୋକ, ତଦନ୍ତର ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠାଇଲେ ଶିକ୍ଷାବିତ୍

31

କନକ ବ୍ୟୁରୋ: ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ ଉପରେ ଲାଗୁନି ରୋକ। ପୂର୍ବରୁ ୩ଟି ବିଷୟର ପ୍ରଶ୍ନପତ୍ର ଭାଇରାଲ୍ ହୋଇସାରିଥିବା ବେଳେ ପୁଣିଥରେ ଭାଇରାଲ୍ ହୋଇଛି ବିଜ୍ଞାନ ବିଷୟ ପ୍ରଶ୍ନପତ୍ର। ପରୀକ୍ଷା ଚାଲିଥିବା ବେଳେ କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ ପରେ ଗୋଟିଏ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ଡେଇଁ ଚାଲିଥିଲା ପ୍ରଶ୍ନପତ୍ର । ଘଟଣା ପ୍ରଘଟ ପରେ ବ୍ଲକ୍ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ତଦନ୍ତ କରିଥିଲେ । ପରୀକ୍ଷକଙ୍କ ମୋବାଇଲକୁ ଜବତ କରି ଯାଞ୍ଚ କରିଥିଲେ ।

କୌଣସି ସୁରାକ୍ ମିଳି ନ ଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଘଟଣାକୁ ରୋକଠୋକ୍ ଖଣ୍ଡନ କରିଥିଲେ । କହିଥିଲେ, ପ୍ରଶ୍ନପତ୍ର ଭାଇରାଲ ନେଇ ଗୁଜବ କରାଯାଉଛି । ଏଥିରେ କୌଣସି ସତ୍ୟତା ନାହିଁ । ବଦନାମ କରିବାକୁ କେତେକ ସ୍ଥାନରେ ଏଭଳି ଚକ୍ରାନ୍ତ ହେଉଛି ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ପ୍ରଥମ ଥର ଲାଗି ମନ୍ତ୍ରୀ ଶ୍ରୀ ପାତ୍ର ଏଭଳି ସଫେଇ ଦେଇ ନ ଥିଲେ। ଯେତେଥର ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା ମନ୍ତ୍ରୀଙ୍କ ମୁହଁରେ ସେହି ଗୋଟିଏ ଉତ୍ତର ମିଳୁଛି । ଘଟଣାର ସତ୍ୟତା ନାହିଁ । ବଦନାମ କରାଯାଉଛି । ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରକୃତ କାରଣ ଖୁବଶୀଘ୍ର ପଦାକୁ ଆସିବ ବୋଲି ମନ୍ତ୍ରୀ କହିଥିଲେ ।

ଇତି ମଧ୍ୟରେ ପରୀକ୍ଷା ସରିବାକୁ ବସିଲାଣି । ଆଉ ଗୋଟିଏ ଦିନ ବାକି ରହିଛି । ହେଲେ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇପାରି ନାହିଁ । ପ୍ରଥମ ଦିନ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବାରୁ କ୍ରାଇମ୍ବ୍ରାଞ୍ଚର ଦୁଇ ଜଣିଆ ଟିମ୍ ସେଠାକୁ ଯାଇ ତଦନ୍ତ କରିଥିଲେ । କିନ୍ତୁ ଏହି ଘଟଣା ପରେ ଆଉ ୩ଟି ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲେ ମଧ୍ୟ ତାହାର କୌଣସି ପ୍ରକାର ତଦନ୍ତ କରାଯାଇ ନାହିଁ । କୌଣସି ଜିଲ୍ଲାକୁ ବି ଗସ୍ତ କରି ନ ଥିବା ଜଣାପଡ଼ିଛି । ତେଣୁ କ୍ରାଇମବ୍ରାଞ୍ଚର ତଦନ୍ତ ଆଗକୁ ବଢ଼ିବ ନା ସେଇଠି ହିଁ ସୀମିତ ହୋଇ ରହିଯିବ ତାହାକୁ ନେଇ ପ୍ରଶ୍ନ ଉଠିଛି ।

ଶିକ୍ଷାବିତଙ୍କ ମତରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଲାଗି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦିଆଯାଇଥିଲା । ପ୍ରଥମ ଦିନର ପ୍ରଶ୍ନପତ୍ର ଭାଇରାଲ୍ ହେବା ପରେ ଆଉ ଯେପରି ପ୍ରଶ୍ନପତ୍ର ଭାଇରାଲ୍ ନ ହେବ ତାହାକୁ ଦୃଷ୍ଟିରେ ରଖି ତଦନ୍ତ କରିବାକୁ କୁହାଯାଇଥିଲା । ପରୀକ୍ଷା କେନ୍ଦ୍ର ପ୍ରବେଶ ଉପରେ ବି କଟକଣା ଲାଗୁ ହୋଇଥିଲା । କିନ୍ତୁ ଏତେ ସବୁ ପରେ ବି ଏହା ବନ୍ଦ ହେଲା ନାହିଁ । ତେଣୁ କ୍ରାଇମବ୍ରାଞ୍ଚର ତଦନ୍ତର କୌଣସି ପ୍ରକାର ସୁଫଳ ମିଳିବା ପରି ମନେ ହେଉନି । ପୂର୍ବରୁ ମଧ୍ୟ ଅନେକ ସମୟରେ ଦେଖାଯାଇଛି ଯେ ମାଟ୍ରିକ୍, ଯୁକ୍ତ୨, ବିପିୟୁଟି ପ୍ରଶ୍ନପତ୍ର ଲିକ୍ ସମୟରେ ବି କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଇଛି । ଏକାଧିକ କମିଟି ଗଠନ କରାଯାଇ ତଦନ୍ତ ହୋଇଛି । କିନ୍ତୁ କୌଣସି ବି ସୁଫଳ ମିଳି ପାରି ନାହିଁ। ପରୀକ୍ଷା ଚାଲିଥିବା ସମୟରେ ହିଁ ତଦନ୍ତ କରାଯାଏ । ଏହାପରେ କେତେଜଣ ଅଭିଯୁକ୍ତ ଧରାହେଲେ କାହାରି ପାଖରେ ତଥ୍ୟ ନ ଥାଏ। ଏଥର ବି ସେଭଳି ହେବା ପରି ଲାଗୁଛି ।