ଜିଦରେ ଅଟଳ ଆନ୍ଦୋଳନକାରୀ ନର୍ସ ! ସେପଟେ ଆଜି ସରୁଛି ଡେଡଲାଇନ୍

21

କନକ ବ୍ୟୁରୋ: ଆଜି ସରିବ ଡେଡଲାଇନ୍ । ଏନଏଚଏମ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଆନ୍ଦୋଳନ କରୁଥିବା ନର୍ସଙ୍କ ଦେଇଥିବା ୨୪ ଘଂଟାର ମହଲତର ଆଜି ସରୁଛି । ତେବେ ନିର୍ଦ୍ଦେଶକଙ୍କ କଥାକୁ ନର୍ସମାନେ ମାନୁଛନ୍ତି କି ନାହିଁ ତାହା ଉପରେ ଏବେ ରହିଛି ସମସ୍ତଙ୍କ ନଜର । ଯଦି ନମାନୁଛନ୍ତି ତେବେ ବିଭାଗ ନିର୍ଦ୍ଦେଶ ଅମାନ୍ୟ କରୁଥିବା ନର୍ସଙ୍କ ବିରୋଧରେ କଣ ପଦକ୍ଷେପ ନେଉଛି ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିବା ନେଇ ଘୋଷଣା କରିବା ପରେ କିଛି ଠିକା ନର୍ସ ଏବେ ସୁଦ୍ଧା କାର୍ଯ୍ୟରେ ଯୋଗ ଦେଇନାହାନ୍ତି । ଯେଉଁମାନେ କାର୍ଯ୍ୟରେ ଯୋଗଦେଇନାହାନ୍ତି ତାଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି । ଯଦି ୨୪ ଘଂଟା ମଧ୍ୟରେ କାମରେ ଯୋଗନଦିଅନ୍ତି ବହିଷ୍କାର କରାଯିବ ବୋଲି ଶାଳିନୀ ପଣ୍ଡିତ କହିଛନ୍ତି । ସେପଟେ ନିଜ ଜିଦରେ ଅଟଳ ଅଛନ୍ତି ଧାରଣାରେ ବସିଥିବା ନର୍ସ  । ଲିଖିତ ପ୍ରତିଶୃତି ମିଳିବା ପରେ ଧାରଣା ପ୍ରତ୍ୟାହୃତ କରାଯିବ ବୋଲି ଭୁବନେଶ୍ୱର ଲୋୟର ପିଏଜିରେ ଧାରଣାରେ ବସିଥିବା ନର୍ସ କହିଛନ୍ତି  ।

ଉଲ୍ଲେଖ ଥାଉ କି, ଦାବି ପୂରଣରେ ଅଡ଼ି ବସିଛନ୍ତି ଠିକା ନର୍ସ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଓ ପ୍ରତିଶ୍ରୁତି ପରେ ମଧ୍ୟ ତାହାର କୌଣସି ପ୍ରଭାବ ଆନ୍ଦୋଳନ ଉପରେ ପଡ଼ିନି । ବରଂ ଆହୁରି ତୀବ୍ର ହୋଇଛି ଠିକା ନର୍ସଙ୍କ ଆନ୍ଦୋଳନ । ବୁର୍ଲାରୁ କଟକ, ଭୁବନେଶ୍ୱରରୁ ବ୍ରହ୍ମପୁର, ସବୁଠି ନର୍ସମାନେ କାର୍ଯ୍ୟ ବନ୍ଦ ଜାରି ରଖିଛନ୍ତି । ଯେଉଁଥିପାଇଁ ସାରା ରାଜ୍ୟରେ ରୋଗୀ ସେବା ବିଗିଡ଼ି ଗଲାଣି । ପରିସ୍ଥିତି ଦିନକୁ ଦିନ ଖରାପ ହେଉଥିବାରୁ ରୋଗୀମାନେ ଏବେ ସରକାରୀ ମେଡିକାଲ ଛାଡ଼ି ଏବେ ଘରୋଇ ହସ୍ପିଟାଲ ମୁହାଁ ହୋଇଛନ୍ତି । ରାଜ୍ୟର ୩ଟି ଯାକ ପ୍ରମୁଖ ମେଡିକାଲରେ ରୋଗୀଙ୍କୁ ସେବା ଯୋଗାଇବାକୁ ନର୍ସ ନାହାନ୍ତି । ଯେଉଁ ଅସ୍ଥାୟୀ ନର୍ସ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପକ୍ଷେ ବି ଦିନ ରାତି ୨୪ ଘଣ୍ଟା ସେବା ଯୋଗାଇବା ସମ୍ଭବପର ହେଉ ନାହିଁ । କଟକ ଶିଶୁ ଭବନରେ ବି ନର୍ସମାନେ ଆନ୍ଦୋଳନରେ ସାମିଲ ହୋଇଥିବାରୁ ଛୋଟ ପିଲାଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇ ପାରୁନି । ଏପରିକି ଗତକାଲି ନର୍ସିଂ ଛାତ୍ରମାନଙ୍କୁ ଶିଶୁଭବନରେ କାର୍ଯ୍ୟ କରିବା ପାଇଁ ଡକାଯାଇତଇଲା । ମାତ୍ର ଆନ୍ଦୋଳନକାରୀ ନର୍ସମାନେ ସେମାନଙ୍କୁ ଭିତରକୁ ଛାଡ଼ି ନ ଥିଲେ । ଜିଲ୍ଲା ମେଡିକାଲଗୁଡ଼ିକରେ ବି ସମାନ ଅବସ୍ଥା ଉପୁଜିଛି ।

ଲୋୟର ପିଏମଜିରେ ଧାରଣା ଦେଇଥିବା ନର୍ସମାନଙ୍କ କହିବା କଥା ହେଲା ସ୍ୱାସ୍ଥ୍ୟମନ୍ତ୍ରୀ ବାରମ୍ବାର ପ୍ରତିଶ୍ରୁତି ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ ଦାବି ପୂରଣ କରାଯିବ ବୋଲି କହିଥିଲେ । ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନ ଥିବାରୁ ଆନ୍ଦୋଳନକୁ ଓହ୍ଲାଇଛୁ । କୌଣସି ପରିସ୍ଥିତିରେ ପଛକୁ ହଟିବୁ ନାହିଁ । ଦାବିଗୁଡ଼ିକ ପୂରଣ କରିବା ଲାଗି ମନ୍ତ୍ରୀ ଯେଉଁ କଥା କହୁଛନ୍ତି ତାହାକୁ ଲିଖିତ ଆକାରରେ ଦିଅନ୍ତୁ। ନ ହେଲେ ଆନ୍ଦୋଳନ ସେଭଳି ଜାରି ରହିବ। ୨୫୦୦ ନର୍ସ ପେଟରେ ଓଦା କନା ଦେଇ ଆଉ କେତେଦିନ ଏଭଳି କାର୍ଯ୍ୟ କରିବୁ ବୋଲି ସେମାନେ କହିଛନ୍ତି ।