ତିନି ତଲାକ ବିଲକୁ ପାରିତ କରିବାକୁ ମୋଦି ସରକାରଙ୍କ ପ୍ରସ୍ତୁତି । ସଂଶୋଧନ ପରେ ଆଜି ଲୋକସଭାରେ ବିଲ ଉପରେ ହୋଇପାରେ ଆଲୋଚନା, କଂଗ୍ରେସ ଉପରେ ନଜର

96

କନକ ବ୍ୟୁରୋ : ଲୋକସଭାରେ ଆଜି ତିନ୍ ତଲାକ୍ ବିଧେୟକ ଉପରେ ହୋଇପାରେ ଆଲୋଚନା । ଦୀର୍ଘ ଦିନ ହେବ ପଡିରହିଥିବା ତିନ୍ ତଲାକ୍ ବିଲକୁ ଲୋକସଭାରେ ପାରିତ କରିବା ପାଇଁ ଆଜି ସମସ୍ତ ପ୍ରସ୍ତୁତି କରିଛି କେନ୍ଦ୍ର ସରକାର । ତିନତଲାକ ବିଧେୟକ ଉପରେ ଆଲୋଚନା ପାଇଁ ପୂର୍ବରୁ ଆଜି ଦିନକୁ ସ୍ଥିର କରାଯାଇଥିଲା । ମୁସଲିମ ମହିଳା ବିବାହ ଅଧିକାର ସଂରକ୍ଷଣ ବିଧେୟକ-୨୦୧୮ ଉପରେ ଅଲୋଚନାରେ ଭାଗ ନେବା ପାଇଁ ପୂର୍ବରୁ ସହମତି ପ୍ରକାଶ କରିଛି କଂଗ୍ରେସ । ଏହି ବିଧେୟକ ଉପରେ ଆଲୋଚନା ପାଇଁ ଗତ ସପ୍ତାହରେ ସରକାର ଲୋକସଭାରେ ଉପସ୍ଥାପନ କରିଥିଲେ ।

ଅନ୍ୟପଟେ ଆଜି ଏହି ବିଲ୍ ଉପରେ ଭୋଟିଂ ହେବାର ସମ୍ଭାବନା ରହିଥିବାରୁ ବିଜେପିର ସମସ୍ତ ସାଂସଦଙ୍କୁ ଉପସ୍ଥିତ ରହିବା ପାଇଁ ଦଳ ପକ୍ଷରୁ ହ୍ୱିପ୍ ଜାରି କରାଯାଇଛି । ତିନି ତଲାକକୁ ଦଣ୍ଡାତ୍ମକ ଅପରାଧ ଭାବେ ଘୋଷଣା କରୁଥିବା ଏହି ବିଧେୟକକୁ ଡିସେମ୍ବର ୧୭ରେ ସରକାର ଲୋକସଭାରେ ଉପସ୍ଥାପନ କରିଥିଲେ । ଏହାକୁ ତିନତଲାକ ସମ୍ବନ୍ଧିତ ଅଧ୍ୟାଦେଶ ସ୍ଥାନରେ ଅଣାଯିବ । ଏହି ପ୍ରସ୍ତାବିତ ଆଇନ ଅନୁଯାୟୀ ଏକାଥରରେ ତିନ ତଲାକ ଦେବା ବେଆଇନ । ଏହାର ଅମାନ୍ୟ କଲେ ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ମିଳିପାରେ ।

ତିନି ତଲାକ ବିଲକୁ କେତେକ ଦଳର ବିରୋଧକୁ ନଜରରେ ରଖି ଏହି ବିଲରେ ଦୋଷୀକୁ ଜାମିନର ବ୍ୟବସ୍ଥା ସହିତ ଆଉ କିଛି ସଂଶୋଧନ କରିଛନ୍ତି ସରକାର । ତେଣୁ ଯଦି ଆଜି ଏହି ବିଲ୍ ଲୋକସଭାରେ ପାରିତ କରାଇବାରେ ସରକାର ସଫଳ ହ୍ରୁଅନ୍ତି ତେବେ ଆଗାମୀ ସପ୍ତାହରେ ରାଜ୍ୟସଭାରେ ଏହି ବିଲକୁ ଉପସ୍ଥାପନ କରିବେ ସରକାର । ଆଉ ଏହି ବିଲ୍ ଆଗାମୀ ନିର୍ବାଚନରେ ମଧ୍ୟ ବଡ ପ୍ରଭାବ ପକାଇପାରେ ।