ପାରାଦୀପ ପୌରାଂଚଳ ୬ ନମ୍ବର ୱାର୍ଡ ଓ ପଟ୍ଟାମୁଣ୍ଡାଇ ୧୭ ନମ୍ବର ୱାର୍ଡରେ ଉପନିର୍ବାଚନ ! ଲୋକଙ୍କ ବିପୁଳ ଭୋଟଦାନ ପରେ ଆଜି ଗଣତି

36

କନକ ବ୍ୟୁରୋ: ଆଜି ପାରାଦୀପ ପୌରାଂଚଳର ୬ ନମ୍ବର ୱାର୍ଡରେ ଉପନିର୍ବାଚନର ଭୋଟଗଣତି । ଏଠାରେ ମୋଟ ୭୯ ଦଶମିକ ୪୨ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ପାରାଦୀପ ପୌରାଂଚଳର ୬ ନମ୍ବର ୱାର୍ଡର କାଉନସିଲର ମଞ୍ଜୁଲତା ଜେନାଙ୍କର ଗତବର୍ଷ ମେ ୩୦ ତାରିଖରେ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଥିଲା । ଏଠାରେ ରାଜ୍ୟ ତିନି ପ୍ରମୁଖ ଦଳର ପ୍ରାର୍ଥୀ ରହିଛନ୍ତି । ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ସେହିପରି ପଟ୍ଟାମୁଣ୍ଡାଇର ୧୭ ନମ୍ବର ୱାର୍ଡରେ ମଧ୍ୟ ଉପନିର୍ବାଚନ ପାଇଁ ମତଦାନ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏଠାରେ ୯୦ ପ୍ରତିଶତ ଭୋଟିଂ ହୋଇଛି । ଆଜି ଏଠାରେ ମଧ୍ୟ ଭୋଟଗଣତି ହେବ ।

ଉଲ୍ଲେଖ ଥାଉ କି, ପାରାଦୀପର ୬ ନମ୍ବର ଓ୍ଵାର୍ଡରେ ଖାଲି ପଡ଼ିଥିବା ପଦବୀ ନିମନ୍ତେ ଗତକାଲି ଭୋଟଗ୍ରହଣ କରାଯାଇଥିଲା । ଏଠାରେ କାଉନସିଲର୍ ଥିବା ମଞ୍ଜୁଲତା ଜେନାଙ୍କ ଦେହାନ୍ତ ପରେ ଏହି ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଜେଡିରୁ ରଶ୍ମିତା ଦାସ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ଗାୟତ୍ରୀ ନାୟକ ଓ କଂଗ୍ରେସରୁ କଳ୍ପନା ବେହେରା ପ୍ରାର୍ଥୀ ହୋଇଛନ୍ତି । ରାଜନୈତିକ ଦୃଷ୍ଟିକୋଣରୁ ଏହି ଓ୍ଵାର୍ଡର ଉପନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଡା. ଦାମୋଦର ରାଉତ ମନ୍ତ୍ରୀ ପଦରୁ ଯିବା ପରେ ଏହାର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟ ଦୁଇ ଦଳ ବିଜେପି ଓ କଂଗ୍ରେସ ଏଠାରେ ସକ୍ରିୟ ଥିବାରୁ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ସ୍ପଷ୍ଟ ହୋଇଛି ।

ଗତକାଲି ସକାଳ ୮ଟାରୁ ସ୍ଥାନୀୟ ଅଠରବାଙ୍କୀ ସ୍ଥିତ ମା’ ଅମ୍ବିକା ବିଦ୍ୟାପୀଠରେ ମତଦାନ ଆରମ୍ଭ ହୋଇଥିଲା । ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଥିଲା। ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବିଶ୍ୱାଳ, କୁଜଙ୍ଗ ତହସିଲଦାର ବାସୁଦେବ ତ୍ରିପାଠୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁ ଚରଣ ମିଶ୍ର ଓ ଥାନା ଇନସପେକ୍ଟର ଶୁଭ୍ରାଂଶୁ ନାୟକ ପ୍ରମୁଖ ଉପସ୍ଥିତ ରହି ନିର୍ବାଚନ ପରିଚାଳନା କରିଥିଲେ । ସେହିଭଳି, ପଟ୍ଟାମୁଣ୍ଡାଇର ୧୭ ନମ୍ବର ଓ୍ଵାର୍ଡ ପାଇଁ ହୋଇଥିବା ଉପନିର୍ବାଚନରେ ୯୦ ପ୍ରତିଶତ ଭୋଟର ମତଦାନ କରିଥିଲେ । ଏହା ଏକ ରେକର୍ଡ ବୋଲି ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି । ଏହି ୱାର୍ଡର କାଉନସିଲର ଚତୁର୍ଭୁଜ ମଳିକଙ୍କ ଦେହାନ୍ତ ପରେ ହୋଇଥିବା ଉପନିର୍ବାଚନରେ ବିଜେଡିରୁ ରଂଜିତ ମଳିକ, କଂଗ୍ରେସରୁ ସୁବାସ ମଳିକ ଓ ବିଜେପିରୁ ବିପିନ ବିହାରୀ ମଳିକ ପ୍ରାର୍ଥୀ ହୋଇଛନ୍ତି । ବିଜୟ ପାଇଁ ସବୁଦଳ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାବେଳେ ଶେଷମୂହୂର୍ତ୍ତରେ ବିଜେପି ଓ କଂଗ୍ରେସ ମଧ୍ୟରେ ମୁଝାମଣା ହୋଇଥିବା ଜଣାପଡ଼ିଛି । ଫଳରେ, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ ।