ବିଚ୍ଛିନ୍ନାଂଚଳକୁ ଫିଟିବ ବାଟ : ଆଜି ଗୁରୁପ୍ରିୟା ସେତୁର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ମାଲକାନଗିରି ବିଚ୍ଛିନ୍ନାଂଚଳର ପ୍ରାୟ ୧୫୧ ଗାଁର ଲୋକଙ୍କୁ ମିଳିବ ସୁବିଧା

69

କନକ ବ୍ୟୁରୋ : ଆଜି ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁର ଉଦଘାଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ଏହି ଲୋକାର୍ପଣ ଉତ୍ସବ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଗୁରୁପ୍ରିୟା ସେତୁ ଦ୍ୱାରା ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଂଚଳକୁ ବାହରର ଦୁନିଆ ସହ ସଂଯୋଗର ବାଟ ଫିଟିବ ।ବିଚ୍ଛିନ୍ନାଂଚଳର ପ୍ରାୟ ୧୫୧ ଗାଁର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ଜଳବନ୍ଦୀରୁ ମୁକ୍ତି ପାଇବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ଗୁରୁପ୍ରିୟା ସେତୁର ଉଦଘାଟନ ନେଇ ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାରେ ହାଇଆଲର୍ଟ ଜାରି କରାଯିବା ସହ ସୀମାକୁ ସିଲ୍ କରି ଦିଆଯାଇଛି । ଗୁରୁପ୍ରିୟା ସେତୁକୁ ବିଏସଏଫ୍ ଯବାନ ଘେରି ରହିଛନ୍ତି ।

ମୁଖ୍ୟମନ୍ତ୍ରୀ ଏହି ଗସ୍ତ ଅବସରରେ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ୩ଶହ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ନୂତନ କୋଠାକୁ ଉଦଘାଟନ କରିବେ । ଏହାସହ ସ୍ଥାନୀୟ ଷ୍ଟାଡିୟମରେ ଏକ ସଭାରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ସାଧାରଣ ସଭାରେ ବହୁ ହିତାଧିକାରୀଙ୍କୁ ଭତ୍ତା, ସାଇକେଲ ଇତ୍ୟାଦି ବଣ୍ଟନ କରିବେ ବୋଲି ମଧ୍ୟ ସୂଚନାରହିଛି। ଏହାପରେ ମୁଖ୍ୟମନ୍ତ୍ରୀ ଜାନବାଇ ଘାଟରେ ପହଞ୍ଚି ବିଚ୍ଛିନ୍ନାଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ଗୁରୁପ୍ରିୟା ସେତୁକୁ ଉଦଘାଟନ କରିବେ।