ଆଜି ଛତିଶା ନିଯୋଗ ବୈଠକ : ନୂଆ ଶ୍ରୀମନ୍ଦିର ପ୍ରଶାସକଙ୍କ ସହ ପ୍ରଥମ ସେବାୟତ ସମନ୍ୱୟ ବୈଠକ

39

କନକ ବ୍ୟୁରୋ : ଆଜି ବସିବ ଛତିଶା ନିଯୋଗ ବୈଠକ । ନୂତନ ଭାବେ ଦାୟିତ୍ୱ ନେଇଥିବା ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କର ସେବାୟତଙ୍କ ସହ ଏହା ପ୍ରଥମ ସମନ୍ୱୟ ବୈଠକ । ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ବୈଠକ ହେବ । ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା ନୀତି ନିର୍ଘଂଟ ଏବଂ ଶୃଙ୍ଖଳିତ କରିବା ପାଇଁ ସ୍ୱତନ୍ତ୍ର ଆଲୋଚନା କରାଯିବ । ତେବେ ଗତ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଏସପିଙ୍କ ସ୍ପର୍ଶ କଟକଣା ପରେ ଏବେ ପ୍ରସଙ୍ଗ ଅଧିକ ଜଟିଳ ହୋଇଛି ।

ଗତ ବର୍ଷ ସ୍ନାନଯାତ୍ରା ବିଶୃଙ୍ଖଳା ପରେ ଚଳିତ ବର୍ଷ ଶୃଙ୍ଖଳିତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ସ୍ନାନବେଦୀରେ ଓ ରଥ ଉପରେ ଅଧିକୃତ ପାଳିଆ ସେବାୟତଙ୍କ ତାଲିକା ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛନ୍ତି ପୁରୀ ଏସପି ।

ସେପଟେ ଶ୍ରୀବିଗ୍ରହ ସ୍ପର୍ଶ ପ୍ରସଙ୍ଗରେ ସେବାୟତଙ୍କ ଉପରେ କଟକଣା ନିଷ୍ପତିକୁ ନେଇ ଏବେ ଅସନ୍ତୋଷ ବଢିବାରେ ଲାଗିଛି । ଆଜି ଅପରାହ୍ନରେ ହେବାକୁ ଥିବାକୁ ବୈଠକରେ ଏହି ପ୍ରସଙ୍ଗକୁ ନେଇ ତମ୍ବିତୋଫାନ ହେବାର ସମ୍ଭାବନା ରହିଛି । ପୁଣି ଆସନ୍ତାକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ହେବ । କମିଟି ସଭାପତି ଗଜପତି ଏହି ସ୍ପର୍ଶ ପ୍ରସଙ୍ଗରେ ସୃଷ୍ଟି ହୋଇଥିବା ବିବାଦ ଉପରେ ଗୁରୁତ୍ୱ ଦେଲେ ସମାଧାନବାଟ ଫିଟିବ ବୋଲି ଆଶା ରଖିଛନ୍ତି ସେବାୟତ ।