ଆଜି ବିଜେଡିର ଜନ୍ମଦିନ ! ପୁରୀରେ ପାଳନ ହେବ ୨୦ତମ ପ୍ରତିଷ୍ଠା ଦିବସ, ସାମିଲ ହେବେ ହଜାର ହଜାର କର୍ମୀ ଓ ନେତା

90

କନକ ବ୍ୟୁରୋ: ଆଜି ବିଜୁ ଜନତା ଦଳର ଜନ୍ମଦିନ । ପୁରୀରେ ଶକ୍ତି ଦେଖାଇବ ବିଜେଡି । ଦୀର୍ଘ ୧୭ ବର୍ଷ ଧରି କ୍ଷମତାରେ ଥିବା ଶାସକ ବିଜେଡି ପୁରୀ ସହରରେ ପାଳନ କରୁଛି ୨୦ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ଶେଷ କରିଛନ୍ତି ନବୀନ ଆଣ୍ଡ ଟିମ୍ । ପୁରୀରେ ରୋଡ ସୋ ଜରିଆରରେ ଦମ ଦେଖାଇବ ବିଜେଡି । ଦଳର ଜନ୍ମଦିନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏକାଠି ହେବେ ତୃଣମୂଳରୁ ଶିଖରସ୍ତରର ନେତା ଓ କର୍ମୀ । ଯେଉଁଠି ପ୍ରସ୍ତୁତ ହେବ ୨୦୧୯ ପାଇଁ ନିର୍ବାଚନୀ ଖସଡ଼ା ।

ସେପଟେ, ପ୍ରଥମଥର ପାଇଁ ଭୁବନେଶ୍ୱର ବାହାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ସଚିବାଳୟ କ୍ୟାବିନେଟ୍ ପ୍ରକୋଷ୍ଠ ଛାଡ଼ି ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ ପୁରୀ ସର୍କିଟ ହାଉସରେ ପୂର୍ବାହ୍ନ ୧୧ଟାରେ ଏହି ବୈଠକରେ ଯୋଗଦେବେ। ବିଜେଡିର ୨୦ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ବୈଠକ ଡକାଯାଉଥିବାରୁ ସ୍ୱାଭାବିକ ଭାବେ ଏହାକୁ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି । ଆଗୁଆ ନିର୍ବାଚନକୁ ଲକ୍ଷ୍ୟ ରଖି ନବୀନ ଏହି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ଅଥବା ଲୋକପ୍ରିୟ ନିଷ୍ପତ୍ତି ଘୋଷଣା କରିପାରନ୍ତି ।

ଉଲ୍ଲେଖଯୋଗ୍ୟ, ଏକଦା ପୁରୀ ସ୍ୱର୍ଗଦ୍ୱାରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଚିତାଭସ୍ମ ଭିତରୁ ହିଁ ବିଜେଡିର ଜନ୍ମ ଜାତକ ଲେଖା ଆରମ୍ଭ ହୋଇଥିଲା । ଏହା ଏତେ ଶୁଭ ସାବ୍ୟସ୍ତ ହୋଇଛି ଯେ ଜନ୍ମ ହେବା ପରଠାରୁ ଦଳ କ୍ଷମତା ଭିତରେ ରହିଛି ଓ ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ । ଦୀର୍ଘ ୨୦ ବର୍ଷ ପରେ ସବୁଠାରୁ କଠିନ ପରୀକ୍ଷାର ପ୍ରସ୍ତୁତି ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଶ୍ରୀଜଗନ୍ନାଥ କ୍ଷେତ୍ର ପୁରୀକୁ ବାଛିଛନ୍ତି । ଯେଉଁଠି ସେ ବିଜେଡି ଜନ୍ମଦିନ ପାଳନ କରିବା ଛଳରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ଲାଗି ଶଙ୍ଖ ଫୁଙ୍କିବେ। ଏଥିପାଇଁ ଆଜି ପୁରୀରେ ଦଳ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରିଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପାଖାପାଖି ୩୦ ହଜାର କର୍ମୀ ଏହି ସମାବେଶରେ ଯୋଗଦେବେ ।

କାର୍ଯ୍ୟସୂଚୀ ଅନୁସାରେ, ନବୀନ ପଟ୍ଟନାୟକ ପୁରୀରେ ପହଞ୍ଚିବା ପରେ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିବେ ଓ ପରେ ସ୍ୱର୍ଗଦ୍ୱାରସ୍ଥିତ ବିଜୁ ବାବୁଙ୍କ ସମାଧି ସ୍ଥଳକୁ ଯାଇ ଆଶୀର୍ବାଦ ନେବେ । ସେଠାରୁ ସର୍କିଟ୍ ହାଉସ ଯାଇ ରାଜ୍ୟ କ୍ୟାବିନେଟ୍ ବୈଠକରେ ଯୋଗଦେଇ ପାରନ୍ତି । ଏହା ପରେ ସେ ତାଳବଣିଆସ୍ଥିତ ବିଜେଡି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ନ ସାଢେ ୧୨ଟାରୁ ୧ଟା ମଧ୍ୟରେ ନବୀନ ଜନ୍ମଦିବସର ଚିନ୍ତନ ରଖିବେ ଓ ଆସନ୍ତା ନିର୍ବାଚନ ପାଇଁ ଶଙ୍ଖକ୍ଷେତ୍ରରୁ ଶଙ୍ଖ ଫୁଙ୍କିବେ।