ଆଜି ପୁଣି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ

38

କନକ ବ୍ୟୁରୋ: ଆଜି ପୁଣି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ । ଗତକାଲି ରାଜ୍ୟ କ୍ୟାବିନେଟ ବୈଠକ ବସିଥିବାବେଳେ ଆଜି କାହିଁକି ପୁଣି ବସୁଛି ବୈଠକ ସେ ନେଇ ଚର୍ଚ୍ଚା ଜୋର ଧରିଛି । ରାଜ୍ୟ କ୍ୟାବିନେଟରେ ଗତକାଲି ୧୯ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ଜିଏସଟି ଲାଗୁ ପରେ ନୂଆ ଦର ନେଇ ଜାରି ହୋଇଥିବା ବିଜ୍ଞପ୍ତିକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଜୁଲାଇ ୧ ତାରିଖରୁ ଦ୍ରବ୍ୟ ଓ ସେବା କର – ଜିଏସଟି ଲାଗୁ ହୋଇଥିବା ବେଳେ ନୂଆ ଦର ନେଇ ସରକାର ବିଜ୍ଞପ୍ତି ଜାରି କରିଥିଲେ ।

ରାଜ୍ୟ କ୍ୟାବିନେଟ୍ ଆଜି ତାକୁ ମଂଜୁରୀ ଦେଇଛି । ସେହିପରି ଚିଲିକାରେ ମାଛଧରାକୁ ନିୟନ୍ତ୍ରିତ କରିବାକୁ ଆସିବ ନୂଆ ଆଇନ । ବେଆଇନ ମାଛମରା ପାଇଁ ଆଇନରେ ୭ ବର୍ଷ ପର୍ଯ୍ୟନ୍ତ ଜେଲର ବ୍ୟବସ୍ଥା ରହିଛି । ପରବର୍ତୀ ସମୟରେ ବିଧାନସଭାରେ ଏହି ଆଇନକୁ ଆଗତ କରାଯିବ । କେନ୍ଦୁଝରରେ ୧୦୦ ସିଟ୍ ବିଶିଷ୍ଟ ମେଡିକାଲ୍ କଲେଜ ପ୍ରତିଷ୍ଠା ପାଇଁ ଟେଣ୍ଡରକୁ ଅନୁମୋଦନ ଦେଇଛି କ୍ୟାବିନେଟ୍ । ଜିଲ୍ଲା ଖଣିଜ ପାଣ୍ଠିରୁ ୩୧୪ କୋଟି ଟଙ୍କା ବ୍ୟୟରେ ଦୁଇ ବର୍ଷରେ ଏହି କଲେଜ ଓ ହସ୍ପିଟାଲ୍ ନିର୍ମାଣ ହେବ ।

ବାରିପଦା, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା ସହରରେ ପାନୀୟଜଳ ସମସ୍ୟା ଦୂର ପାଇଁ ୩୫୮ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି । ତୁରନ୍ତ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଗଠନ ପାଇଁ ଆଧ୍ୟାଦେଶ ଜାରି କରିବାକୁ କ୍ୟାବିନେଟ୍ ନିଷ୍ପତି ନେଇଛି । ଏହାଦ୍ୱାରା ରୁସାରୁ ଅର୍ଥ ଆସିବାରେ ସହଜ ହେବ । ଜିଏସ୍ଟି ସଂକ୍ରାନ୍ତ ଅଧିସୂଚନାକୁ କ୍ୟାବିନେଟ୍ ଅନୁମୋଦନ କରିଛି । ସେହିଭଳି କୃଷି, ଶକ୍ତି ଓ ପଂଚାୟତିରାଜ ବିଭାଗରେ କେତେକ କ୍ୟାଡରକୁ ପୁନର୍ଗଠନ କରାଯାଇଛି ।