ଆଜି ମହାନ ରାଜନେତା ବାୟପେୟୀଙ୍କ ଜନ୍ମଦିନ । କାହିଁକି ଅବିବାହିତ ରହିଗଲେ ପୂର୍ବତନ ପ୍ରଧାନମନ୍ତ୍ରୀ ?

98

ଭାରତର ରାଜନୈତିକ ଇତିହାସରେ ଜଣେ ସଫଳ ବ୍ୟକ୍ତିତ୍ୱ ହେଉଛନ୍ତି ଅଟଳ ବିହାରି ବାଜପେୟୀ , ଯିଏ ଜୀବନର ପ୍ରତି କ୍ଷେତ୍ରରେ ସଫଳତାର ଶୀର୍ଷକୁ ଛୁଇଁପାରିଛନ୍ତି । ସେ ଏକାଧାରରେ ଜଣେ ବିଚକ୍ଷଣ ରାଜନୀତିଜ୍ଞ, ପ୍ରଶାସକ, ଭାଷାବିତ, କବି, ସମ୍ବାଦିକ ଓ ଲେଖକ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଆଦର୍ଶରେ ଅନୁପ୍ରାଣିତ ହୋଇ, ଅଟଳ ବିହାରୀ ଉଦାରବାଦ, ସହନଶୀଳତା, ସମାନତାକୁ ନେଇ ରାଜନୀତିରେ  ପାଦ ଥାପିଥିଲେ । ସେ କେବେବି ନିଜ ବିଚାରଧାରା ସହ  ସାଲିସ କରିନଥିଲେ । ସେ  ହେଉଛନ୍ତି ଦେଶର ଜଣେ ସାଲିସବିହୀନ ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ।  ଆଜି ହେଉଛି ସେହି ମହାନ ରାଜନେତାଙ୍କ ଜନ୍ମଦିନ ।

ମଧ୍ୟପ୍ରଦେଶର ଗ୍ୱାଲିଅରରେ ୧୯୨୪ ମସିହା ଡିସେମ୍ବର ୨୫ରେ ଜନ୍ମଗ୍ରହଣ କରିଥିଲେ ଅଟଳ ।  ଆଜି ୯୩ ବର୍ଷରେ ପାଦ ଥାପିଛନ୍ତି  ଭାରତର ଏହି ମାନସ ସନ୍ତାନ । ତାଙ୍କ ବାପା ଥିଲେ ଶିକ୍ଷକ ଓ ମାଆ ସୁଗୃହିଣୀ । କିନ୍ତୁ ତାଙ୍କର ପ୍ରକୃତ  ଘର ଥିଲା ଉତ୍ତରପ୍ରଦେଶ ଆଗ୍ରା ଜିଲ୍ଲାର ବଟେଶ୍ୱର । ତାଙ୍କର ରାଜନୈତିକ ଜନ୍ମସ୍ଥଳୀ ଥିଲା ଉତ୍ତରପ୍ରଦେଶ । ରାଜଧାନୀ ଲଖନୋରୁ ସେ ଏମପି ଭାବେ ନିର୍ବାଚିତ ହୋଇଥିଲେ ।

ରାଜନୀତିରେ ତାଙ୍କ ଭଳି ବ୍ୟକ୍ତିତ୍ୱ ବିରଳ । ରାଜନୀତିରେ ସଂଖ୍ୟା  ବା ଯୋଡତୋଡରେ ବିଶ୍ୱାସ କରୁନଥିଲେ ଜନନାୟକ ଅଟଳବିହାରୀ ବାଜପେୟୀ । ଫଳରେ ମାତ୍ର ଗୋଟିଏ ଭୋଟ ପାଇଁ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ପଡିଥିଲା । ମାତ୍ର ୧୩ ଦିନର ଶାସନ ଭାଂଗିଯାଇଥିଲା । ଆଉ ଶେଷରେ ତାଙ୍କୁ ବିରୋଧୀ ଦଳ ନେତାର ଦାୟିତ୍ୱ ନିଭାଇବାକୁ ପଡିଥିଲା । ପରେ ହୋଇଥିବା ନିର୍ବାଚନରେ ସେ ଦୁଇ ଦୁଇ ଥର ଭାରତର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ ।

ସମଗ୍ର ଭାରତବାସୀଙ୍କ ସେବା  ପାଇଁ ଆଜୀବନ ଅବିବାହିତ ରହିଗଲେ ଏହି ବିରଳ ବ୍ୟକ୍ତିତ୍ୱ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଆଦର୍ଶରେ ଅନୁପ୍ରାଣିତ ହୋଇ ସାରା ଜୀବନ ଏକା ରହିବା ପାଇଁ  ନିଷ୍ପତ୍ତି ନେଇଥିଲେ । ତାଙ୍କର ବିଚକ୍ଷଣ ବୁଦ୍ଧି ବଳରେ ବିଜେପି ଦେଶର ଶାସନ ଭାର ସମ୍ଭାଳିଥିଲା । ୨୪ରୁ ଅଧିକ ଦଳଙ୍କୁ ନେଇ ସେ ଗଢିଥିଲେ ଏନଡିଏ  ବା ଜାତୀୟ ଗଣତାନ୍ତ୍ରିକ ମେଂଟ ।  ତାଙ୍କ ଶାସନକାଳରେ ୮୦ରୁୁ ଅଧିକ ମନ୍ତ୍ରୀ ହୋଇଥିଲେ । ଯାହାକୁ ଜମ୍ବୋ କ୍ୟାବିନେଟ କୁହାଯାଉଥିଲା । ତାଙ୍କ ବୁଦ୍ଧି ବଳରେ ସେ ପାଂଚ ବର୍ଷର ଶାସନ ପୂରଣ କରିଥିଲେ ।

ସେ ଥିଲେ ମହାନ ଚିନ୍ତାଧାରାର ଦେଶଭକ୍ତ । ଲାଲବାହାଦୂର ଶାସ୍ତ୍ରୀଙ୍କ  ସ୍ଲୋଗାନ “ଜୟ ଯବାନ, ଜୟ କିଷାନ”ରେ ଅଟଳ ଯୋଡିଥିଲେ ‘ଜୟ ବିଜ୍ଞାନ’ ।  ଭାରତର ସୁରକ୍ଷା ପ୍ରତି ସେ କେବେବି  ସାଲିସ କରୁନଥିଲେ ।  ସମଗ୍ର ବିଶ୍ୱକୁ ଚ୍ୟାଲେଂଜକୁ ଖାତିର ନକରି  ୧୯୯୮ରେ ରାଜସ୍ଥାନର ପୋଖରାନରେ ପରମାଣୁ ପରୀକ୍ଷା କରିଥିଲେ । ଏହାର ପରୀକ୍ଷା ପରେ ଆମେରିକା ସମେତ ଅନେକ ଦେଶ ଭାରତ ପ୍ରତି ଅର୍ଥନୈତିକ ପ୍ରତିବନ୍ଧକ ଲଗାଇଥିଲେ । କିନ୍ତୁ ନିଜର ଦୃଢ ରାଜନୈତିକ ଇଚ୍ଛା ଶକ୍ତି ଯୋଗୁ ଭାରତକୁ ଏପରି ସ୍ଥିତିରୁ ମୁକୁଳାଇଥିଲେ ଅଟଳ ବିହାରୀ ବାଜପେୟୀ । କାରଗିଲ ଯୁଦ୍ଧର ଭୟାବହତା ଭିତରେ ପାକିସ୍ତାନକୁ ଧୂଳି ଚଟାଇବାରେ ସକ୍ଷମ  ହୋଇଥିଲେ ପ୍ରଧାନମନ୍ତ୍ରୀ ବାଜପେୟୀ ।

ଦକ୍ଷିଣ ଭାରତର ବହୁ ପୁରୁଣା କାବେରୀ ଜଳ ବିବାଦର ସମାଧାନ ପାଇଁ ପ୍ରୟାସ କରିଥିଲେ ଅଟଳ । ଦେଶର ବିଭିନ୍ନ ପ୍ରାନ୍ତକୁ ସ୍ୱଣ୍ଣ ଚତୁର୍ଭୁଜ ଯୋଜନାର ସ୍ୱପ୍ନକୁ ବାସ୍ତବ ରୂପ ଦେଇଥିଲେ ଏହି ମହାନ ନାୟକ । ତା ସହ ପ୍ରତି ଗାଁ କୁ ମୁଖ୍ୟ ରାସ୍ତା ସହ ସଂଯୋଗ ପାଇଁ ପ୍ରତି ଗାଁକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନା ଆରମ୍ଭ କରିଥିଲେ ।