ଓଡିଶା ଆସୁଛନ୍ତି ଆନ୍ନା ହଜାରେ ! ନବନିର୍ମାଣ କୃଷକ ସଂଗଠନର ‘ଜୟ କିଷାନ’ ସମାବେଶରେ ହେବେ ସାମିଲ

73

କନକ ବ୍ୟୁରୋ: ଆଜି ଆସୁଛନ୍ତି ଆନ୍ନା ହଜାରେ । ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଏହି ଗାନ୍ଧିବାଦୀ ନେତା । ଆସନ୍ତାକାଲି ଜଗତସିଂହପୁରରେ ହେବାକୁ ଥିବା ଜୟ କିଷାନ ସମାବେଶରେ ସେ ସାମିଲ ହେବେ । ନବ ନିର୍ମାଣ ସଂଗଠନର ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବି ନେଇ ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଏହି ସମାବେଶ ଆୟୋଜିତ ହେଉଛି । ଏଥିରେ ଯୋଗଦେଇ ଆନ୍ନା ହଜାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୧୧ତାରିଖରେ ନୂଆଦିଲ୍ଲୀର ଜନ୍ତରମନ୍ତରରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ କୃଷକ ସମାବେଶରେ ଆନ୍ନା ହଜାରେ ଯୋଗଦେଇ ଆଗାମୀ ଦିନରେ ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ କରିବା ସହିତ କୃଷକଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁ ଆହ୍ଵାନ ଦେଇଥିଲେ । ରାଷ୍ଟ୍ରୀୟ ସ୍ତରରେ ଭିନ୍ନ ଭିନ୍ନ ରାଜ୍ୟରେ ଜାଗୃତି ଆଣିବା ପାଇଁ ଲୋକଙ୍କ ଭିତରକୁ ଯିବା ପାଇଁ ଆନ୍ନା ଘୋଷଣା କରିଥିଲେ। ଏହି ଆହ୍ଵାନର ପ୍ରଥମ କାର୍ଯ୍ୟକ୍ରମ ଜଗତସିଂହପୁରର ଜୟ କିଷାନ ‘ମହାସମାବେଶ’ରୁ ଆରମ୍ଭ ହେବ। ଏଥିପାଇଁ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।

ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ସୂଚନା ଅନୁଯାୟୀ, ଆନ୍ନା ହଜାରେ ଆଜି ଅପରାହ୍ନ ୧ଟା ସମୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଏକ ବିରାଟ ମୋଟରସାଇକେଲ ଶୋଭାଯାତ୍ରାରେ ରାଜ୍ୟ ଅତିଥି ଭବନ ପର୍ଯ୍ୟନ୍ତ ଅଣାଯିବ । ସେଠାରେ ଅପରାହ୍ଣ ୪ଟାରୁ ୫ଟା ୩୦ ପର୍ଯ୍ୟନ୍ତ ବିଭିନ୍ନ ରାଜନୈତିକ ନେତୃତ୍ୱ, ବିଭିନ୍ନ ଗଣମାଧ୍ୟମର ବରିଷ୍ଠ ସମ୍ପାଦକ ଓ ସାମ୍ବାଦିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସାମାଜିକ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ । ଏହାପରେ ସଂଧ୍ୟା ୬ଟାରେ ୟୁନିଟ-୧ସ୍ଥିତ କସ୍ତୁରବା ନାରୀ ମହଲରେ ସଂଗଠନର କର୍ମକର୍ତ୍ତାଙ୍କୁ ଉଦବୋଧନ ଦେବେ । ୨୩ତାରିଖ ସକାଳ ୯ଟା ୩୦ରୁ ବିରାଟ ଶୋଭାଯାତ୍ରାରେ ଜଗତସିଂହପୁର ଅଭିମୁଖେ ଯାଇ ସେଠାରେ ଚାଷୀମାନଙ୍କୁ ଉଦବୋଧନ ଦେବେ । ଏହାପରେ ଭୁବନେଶ୍ୱର ଫେରି ସଂଧ୍ୟା ୬ଟାରେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ । ୨୪ତାରିଖ ସକାଳୁ ପୁଣେ ଅଭିମୁଖେ ଯିବେ ବୋଲି ଅକ୍ଷୟ କୁମାର ସୂଚନା ଦେଇଛନ୍ତି ।