ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ : କିଏ ହେବେ ବିଶ୍ୱ ବାଦଶାହ ତା’ଉପରେ ରହିଛି ସମସ୍ତଙ୍କ ନଜର

35

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ମତଦାନ । ଓବାମାଙ୍କ ପରେ କିଏ ନେବ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ଦାୟିତ୍ୱ ସେନେଇ ଚୂଡାନ୍ତ ହେବ । ବିଭିନ୍ନ ଜନମତ ସର୍ଭେ ଡେମୋକ୍ରାଟ୍ ପ୍ରାର୍ଥୀ ହିଲାରି କ୍ଲିଂଟନଙ୍କ ସପକ୍ଷରେ ରହିଛି । ଏଫବିଆଇ ତାଙ୍କୁ କ୍ଲିନଚିଟ୍ ଦେବା ପରେ ହିଲାରି ପୁଣି ସମର୍ଥନ ଫେରି ପାଇବେ ବୋଲି ଆଶା କରାଯାଉଛି । ଆମେରିକାରେ ଇଲକ୍ଟୋରାଲ କଲେଜ ମାଧ୍ୟମରେ ରାଷ୍ଟ୍ରପତି ନିର୍ବାଚନ ହେଉଥିବାରୁ ଏକ ଜଟିଳ ପ୍ରକ୍ରିୟା ଦେଇ ଫଳାଫଳ ବାହାରିବାରେ ବିଳମ୍ବ ହେବ ।

କିଏ ହେବ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି, ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ହେବ ଭୋଟିଂ । ୫୦ଟି ରାଜ୍ୟ ଏବଂ ୱାସିଂଟନ୍ ଡିସି ସହରବାସୀ ନିର୍ଦ୍ଧାରଣ କରିବେ ଓବାମାଙ୍କ ପରେ କିଏ ନେବ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ଦାୟିତ୍ୱ । ମଇଦାନରେ ଡେମୋକ୍ରାଟ୍ ପ୍ରାର୍ଥୀ ହିଲାରି କ୍ଲିଂଟନ ଓ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ଫ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଚାଲିଥିବା ତୀବ୍ର ପ୍ରତିଦ୍ୱନ୍ଦ୍ୱିତା, ତିକ୍ତ ଭାଷଣବାଜି ଓ ଆରୋପ-ପ୍ରତ୍ୟାରୋପର ଅବସାନ ଘଟିଛି । ଏବେ ଅପେକ୍ଷା ମତଦାନ ଓ ପରିଣାମକୁ ।

ଭୋଟିଂର କିଛିଘଂଟା ପୂର୍ବରୁ ଡେମୋକ୍ରାଟ୍ ପ୍ରାର୍ଥୀ ହିଲାରି କ୍ଲିଂଟନଙ୍କୁ କ୍ଲିନଚିଟ୍ ଦେଇଛି ଆମେରିକା ଏଫବିଆଇ । ବୈଦେଶିକ ସଚିବ ଥିବା ସମୟରେ ନିଜ ବ୍ୟକ୍ତିଗତ ଇ-ମେଲ ବ୍ୟବହାର କରି ବହୁ ଗୁପ୍ତ ତଥ୍ୟ ପ୍ରଘଟ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଏବେ ଏଫବିଆଇ ତାଙ୍କୁ କ୍ଲିନଚିଟ ଦେଇଥିବାରୁ ଏହା ଜନମତକୁ ପ୍ରଭାବିତ କରିବା ସମ୍ଭାବନା ରହିଛି ।

ତେବେ କ୍ଲିନଚିଟକୁ ଓବାମା ପ୍ରଶାସନର ଚାଲ ବୋଲି ଅଭିଯୋଗ କରିଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ଫ । ତାଙ୍କ ସମର୍ଥକମାନେ ଜୋରଦାର ବିରୋଧ କରିଛନ୍ତି । ଏନେଇ ଆଇନଗତ ଲଢେଇ ଜାରି ରହିବ ବୋଲି କହିଛନ୍ତି ଟ୍ରମ୍ଫ । ସେହିପରି ନ୍ୟୁଜୱିକ ପତ୍ରିକା ହିଲାରିଙ୍କୁ ମାଡାମ ପ୍ରେସିଡେଂଟ ବୋଲି ଦର୍ଶାଇ ରିପୋର୍ଟ ପ୍ରକାଶ କରିଥିବାରୁ ଏହା ମଧ୍ୟ ଜନମତକୁ ପ୍ରଭାବିତ କରିବ ବୋଲି ଟ୍ରମ୍ଫ କହିଛନ୍ତି ।

ବିଭିନ୍ନ ସଂସ୍ଥାର ପ୍ରାକ ନିର୍ବାଚନୀ ସର୍ଭେ ଅନୁଯାୟୀ, ଡେମୋକ୍ରାଟ୍ ପ୍ରାର୍ଥୀ ହିଲାରିଙ୍କ ସପକ୍ଷରେ ଜନମତ ରହଛି । ରିଅଲ କ୍ଲିୟର ପଲିଟିକ୍ସ ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ, ହିଲାରିଙ୍କ ସପକ୍ଷରେ ୨୧୯ ଇଲୋକ୍ଟୋରାଲ କଲେଜ ଭୋଟ ରହିଛି । କିନ୍ତୁ ଟ୍ରମ୍ଫଙ୍କ ସପକ୍ଷରେ ରହିଛି ୧୬୮ ଇଲେକ୍ଟୋରାଲ ଭୋଟ୍ । ଅନ୍ୟ କେତେକ ସର୍ଭେରେ ମଧ୍ୟ ହିଲାରୀଙ୍କ ସପକ୍ଷରେ ୪୫ ପ୍ରତିଶତ ଓ ଟ୍ରମ୍ଫଙ୍କ ସପକ୍ଷରେ ୪୧ ପ୍ରତିଶତ ଜନମତ ଥିବା କୁହାଯାଇଛି ।

ହିଲାରିଙ୍କ ବିରୋଧରେ ଏଫବିଆଇ ତଦନ୍ତ ଚାଲିଥିବା ଖବର ଜଣାପଡିବା ପରେ ତାଙ୍କ ଲୋକପ୍ରିୟତା ହ୍ରାସ ପାଇଥିଲା ଓ ଟ୍ରମ୍ଫଙ୍କ ପ୍ରତି ସମର୍ଥନ ବଢିଥିଲା । ଏବେ ସମସ୍ତଙ୍କ ନଜର ନିର୍ବାଚନ ପରବର୍ତୀ ଏକଜିଟ ପୋଲ ଉପରେ ରହିଛି । ନିର୍ବାଚନ ସମୟରେ ଜେହାଦୀ ସଂଗଠନ ଆଇଏସଆଇଏସ ପକ୍ଷରୁ ହିଂସାକାଣ୍ଡ ଘଟାଇବାକୁ ଧମକ ଦିଆଯାଇଥିବାରୁ ଆଜି କଡା ସୁରକ୍ଷା ମଧ୍ୟରେ ଭୋଟ ଗ୍ରହଣ ହେବ ।