ସର୍ବଦଳୀୟ ବୈଠକ ଆଜି ! ସରଗରମ ହେବ ମୌସୁମି ଅଧିବେଶନ( ବିରୋଧୀ ଦଳଙ୍କୁ ସ୍ଥିତି ଅବଗତ କରାଇବେ ସୁଷମା, ରାଜନାଥ)

36

କନକ ବ୍ୟୁରୋ : ସୋମବାରଠାରୁ ଆରମ୍ଭ ହେଉଥିବା ସଂସଦର ମୌସୁମି ଅଧିବେଶନ ବେଶ୍‌ ସରଗରମ ହେବ ବୋଲି ସଙ୍କେତ ମିଳିଲାଣି । ସିକିମିରେ ଭାରତ-ଚୀନ୍‌ ସୀମାରେ ତୀବ୍ର ଉତ୍ତେଜନା, ଦାର୍ଜିଲିଂ ଆନ୍ଦୋଳନ ଏବଂ ଲଗାତାର ଜଟିଳ ହେଉଥିବା କଶ୍ମୀର ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳ ସଜବାଜ ହେଉଛନ୍ତି । ଏଥିପାଇଁ ବିରୋଧୀ ଦଳ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଥିବା ବେଳେ ଅନ୍ୟପକ୍ଷରେ ମୌସୁମି ଅଧିବେଶନକୁ ସ୍ୱାଭାବିକ ରଖିବା ପାଇଁ ସରକାର ମଧ୍ୟ କସରତ ଆରମ୍ଭ କରିଦେଇଛନ୍ତି ।

ଅଧିବେଶନ ଆରମ୍ଭ ପୂର୍ବରୁ ଭାରତ-ଚୀନ୍‌ ସୀମା ବିବାଦ ଏବଂ କଶ୍ମୀର ପ୍ରସଙ୍ଗରେ ବିରୋଧୀ ଦଳକୁ ସ୍ଥିତି ଅବଗତ କରାଇବା ପାଇଁ ସରକାର ସର୍ବଦଳୀୟ ବେଠକ ଡକାଇଛନ୍ତି । ହେବାକୁ ଥିବା ଏହି ବୈଠକରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ଗୃହମନ୍ତ୍ରୀ ରାଜନାଥ ସିଂହ ବିରୋଧୀ ଦଳମାନଙ୍କୁ ସାଂପ୍ରତିକ ସ୍ଥିତି ଏବଂ ଏ ବାବଦରେ ସରକାରଙ୍କ ପଦକ୍ଷେପ ସଂପର୍କରେ ଅବଗତ କରାଇବେ । ଡୋକଲାମ ଅଂଚଳରେ ଭାରତ-ଚୀନ୍‌ ସୀମା ବିବାଦ ଜଟିଳ ସ୍ଥିତିରେ ପହଞ୍ଚିଥିବା ଏବଂ କଶ୍ମୀରରେ ହିଂସା ବୃଦ୍ଧି ପରିପ୍ରେକ୍ଷୀରେ ବିରୋଧୀ ଦଳଗୁଡ଼ିକ ଲଗାତାର ସରକାରଙ୍କୁ ସମାଲୋଚନା କରି ଆସୁଛନ୍ତି ।

ତେଣୁ ମୌସୁମି ଅଧିବେଶନ ପୂର୍ବରୁ ସରକାର ବିରୋଧୀ ଦଳଗୁଡ଼ିକୁ ଏ ବାବଦରେ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଚାହୁଛନ୍ତି । ଭାରତ-ଭୁଟାନ-ତିବ୍ଦତ ସୀମାର ଡୋକଲାମ ଅଂଚଳରେ ରାସ୍ତା ନିର୍ମାଣ ପାଇଁ ଚୀନ୍‌ ସେନାର ଉଦ୍ୟମକୁ ଭାରତ ବିରୋଧ କରିବା ପରେ ଡୋକଲାମରେ ଉତ୍ତେଜନା ସୃଷ୍ଟି ହୋଇଛି । ଉଭୟ ଭାରତ ଓ ଚୀନ୍‌ ସେମାନଙ୍କ ସୈନ୍ୟ ମୁତୟନ ବୃଦ୍ଧି କରିବା ପରେ ଏହି ମାମଲା ଜଟିଳ ହୋଇପଡ଼ିଛି । ଚୀନ୍‌ ସମଗ୍ର ଡୋକଲାମ ଅଂଚଳକୁ ନିଜର ବୋଲି ଦାବି କରିବା ସହ ଭାରୀ ଯୁଦ୍ଧାସ୍ତ୍ର ପରିବହନ ପାଇଁ ରାସ୍ତା ନିର୍ମାଣ କାମ ଆଗକୁ ବଢ଼ାଇବାକୁ ଚାହୁଛି ।

ଅନ୍ୟପକ୍ଷରେ ଭୁଟାନ ନିଜ ଅଂଚଳର ସୁରକ୍ଷା ପାଇଁ ଭାରତୀୟ ସେନା ଯଥୋଚିତ ପଦକ୍ଷେପ ନେବାକୁ ଅନୁରୋଧ କରିଛି । ଭାରତ ଭୁଟାନ ସହ ପୂର୍ବ ଚୁକ୍ତି ଆଧାରରେ ଏହି ଅଂଚଳକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପ୍ରୟାସ କରିବ ବୋଲି ଚୀନକୁ ଜଣାଇ ଦେଇଛି । ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀରରେ ବିଗତ ୩ ମାସ ମଧ୍ୟରେ ପ୍ରବଳ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୭ ଜଣ ଅମରନାଥ ଯାତ୍ରୀଙ୍କ ମୃତ୍ୟୁ ପରେ ମାମଲା ଆହୁରି ଗମ୍ଭୀର ହୋଇଛି ।

ଲସ୍କର ଆତଙ୍କବାଦୀଙ୍କ ଏହି ବର୍ବର କାଣ୍ଡର ଜବାବ ଦେବାକୁ ଭାରତୀୟ ସେନା ବଡ଼ ଧରଣର ଅପରେସନ ଆରମ୍ଭ କରିଛି । ରାଜ୍ୟର ୪ଟି ଜିଲ୍ଲା- ପୁଲଓ୍ଵାମା, କୁଲଗାମ, ସୋପିଆନ୍‌ ଏବଂ ଅନନ୍ତନାଗରେ ଲସ୍କର ଏବଂ ହିଜବୁଲ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ତୁହାକୁ ତୁହା ଆକ୍ରମଣ କରୁଛନ୍ତି । ଗତବର୍ଷ ଜୁଲାଇ ୮ ତାରିଖରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ହିଜବୁଲ ଆତଙ୍କବାଦୀ ବୁରହନ ଓ୍ଵାନିର ମୃତ୍ୟୁ ପରେ ଦକ୍ଷିଣ କଶ୍ମୀରରେ ଆରମ୍ଭ ହୋଇଥିବା ହିଂସା ଏବେ ସୁଦ୍ଧା ଜାରି ରହିଛି ।