ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବିରେ ବଲାଙ୍ଗୀରରେ ୨୪ ଘଂଟିଆ ବନ୍ଦ । ଦୋକାନ ବଜାର, ସ୍କୁଲ, କଲେଜ ବନ୍ଦ: ଗାଡି ଚଳାଚଳ ଠପ୍

ହାଇକୋର୍ଟ ବେଞ୍ଚ ଦାବିରେ ୨୪ ଘଣ୍ଟିଆ ବଲାଙ୍ଗୀର ବନ୍ଦ

66

କନକ ବ୍ୟୁରୋ : ହାଇକୋର୍ଟ ବେଞ୍ଚ ଦାବିରେ ୨୪ ଘଣ୍ଟିଆ ବଲାଙ୍ଗୀର ବନ୍ଦ ପାଳନ କରୁଛି ଓକିଲ ଓ ସାମାଜିକ ସଂଗଠନ । ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୬ଟାରୁ ଉଭୟ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ବନ୍ଦ ପାଳନ ହେଉଥିବାରୁ ସହରର ସମସ୍ତ ଦୋକାନ ବଜାର ଓ ଗାଡି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖାଯାଇଛି । କେବଳ ଗାଡି ମଟର ନୁହେଁ ବରଂ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ସରକାରୀ ଓ ଘରୋଇ ବ୍ୟାଙ୍କ ମଧ୍ୟ ବନ୍ଦ ରହିଛି । ସହରରେ ସଂଗଠନକ ସଦସ୍ୟମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ବେଳେ ରେଳ ଲାଇନରେ ମଧ୍ୟ ଆନ୍ଦୋଳନ କରାଯାଉଛି ।

 

ଆନ୍ଦୋଳନ ହେଉଥିବା କାରଣରୁ ସମ୍ବଲପୁର-ରାୟଗଡା ଇଣ୍ଟରସିଟି ଏକ୍ସପ୍ରେସ ଉଭୟ ପଟୁ ବାତିଲ ହୋଇଥିବା ବେଳେ ବିଶାଖପାଟଣା-ରାୟପୁର ପାସେଞ୍ଜର ଟ୍ରେନକୁ ବିଶାଖପାଟଣାରୁ ବାତିଲ କରାଯାଇଥିବା ସୂଚନା ମିଳିଛି । ତେବେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଏହି ଆନ୍ଦୋଳନ କରାଯାଉଥିବା ଜଣାପଡିଛି । ପୂର୍ବରୁ ଗତ ଶୁକ୍ରବାର ପଶ୍ଚିମ ଓଡିଶା ମହାବନ୍ଦ କରାଯାଇଥିଲା । ଏହି ବନ୍ଦକୁ ସ୍ଥାନୀୟ ଜନସାଧାରଣ ସମର୍ଥନ ଦେଇଥିବା ସମୟରେ ଆଜି ବନ୍ଦକୁ ମଧ୍ୟ ବିପୁଳ ଭାବରେ ସମର୍ଥନ ମିଳିଥିବା ଦେଖାଯାଉଛି । ବନ୍ଦ ପାଳନ ହେଉଥିବା କାରଣରୁ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।