ନୋଟ୍ ପାଇଁ ଭୋଟ୍ କାଳି ! କଳାଧନ ଜମା ରୋକିବାକୁ କେନ୍ଦ୍ରର ପଦକ୍ଷେପ

28

କନକ ବ୍ୟୁରୋ : ନୋଟ୍ ଅଚଳ ପରେ ଟଂକା ବଦଳକୁ ନେଇ ଆଜି ଭାରତ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଭୋଟ୍ ଭଳି ଟଙ୍କା ବଦଳ କରିବା ପରେ ଏଣିକି ଆଙ୍ଗୁଠିରେ କାଳି ଲଗାଇ ଦିଆଯିବ । ଜମାକାରୀଙ୍କୁ ଚିହ୍ନଟ କରିବା ପାଇଁ ବ୍ୟବହାର ହେବ ଅଲିଭା କାଳି । ଏହାଦ୍ୱାରା ସେହି ବ୍ୟକ୍ତି ପୁନର୍ବାର ଟଂକା ବଦଳ କରିପାରିବେ ନାହିଁ । ଆଉ ଏକ ଗୁରୁତ୍ୱପୂଣ୍ଣ ଘଟଣାକ୍ରମରେ ବଡ ନୋଟ୍ ବ୍ୟାନ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେବାକୁ ମନା କରିଦେଇଛନ୍ତି । ସେପଟେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି, ଖୁବ ଶୀଘ୍ର ଏସବିଆଇ ଏଟିଏମରେ ୫୦ ଓ ୨୦ ଟଙ୍କା ନୋଟ ମିଳିବ ।

ତେବେ ବଡ ନୋଟ ବ୍ୟାନ କରିବା ପରେ ମନ୍ଦିର ଓ ଧର୍ମାନୁଷ୍ଠାନ ହୁଣ୍ଡିକୁ ଦାନର ପରିମାଣ ବେଶ ବଢିଯାଇଛି । ଗତବୁଧବାର ଦିନ ଜଗନ୍ନାଥ ମନ୍ଦିର ହୁଣ୍ଡିରେ ଥିଲା-୩ ଲକ୍ଷ ୭ ହଜାର ୨୫୮ ଟଙ୍କା । ଶୁକ୍ରବାର ବେଳକୁ ଏହି ଦାନ ୪ ଲକ୍ଷ ୫୭ ହଜାର ୧୪୧ ଟଙ୍କାରେ ପହଂଚିଲା । ଶନିବାର ଦିନ ଏହି ଟଙ୍କାର ପରିମାଣ ବଢ଼ି ୬ ଲକ୍ଷ ୨୩ ହଜାର ୩୨୧ ଟଙ୍କାରେ ପହଂଚିଛି ।

ଅର୍ଥାତ୍ ୫ଶହ ଏବଂ ହଜରେ ଟଙ୍କା ନୋଟ ନିଷିଦ୍ଧ ହେବା ପରେ ଜଗନ୍ନାଥ ମନ୍ଦିର ହୁଣ୍ଡିରେ ଆୟ ବଢ଼ିବାରେ ଲାଗିଛି । ସେପଟେ ମୋଦି ସରକାର ମନ୍ଦିର ପ୍ରଶାସନଗୁଡିକୁ ଅନୁରୋଧ କରିଛନ୍ତି ସେମାନେ ତୁରନ୍ତ ଏହି ଟଙ୍କା ବ୍ୟାଙ୍କରେ ଜମା କରନ୍ତୁ ।

ସେପଟେ କଳାଧନକୁ ଧଳା କରିବା ପାଇଁ ଗରିବ ଲୋକଙ୍କ ଜନ-ଧନ ଆକାଉଂଟରେ ଜମା ବଡିବାରେ ଲାଗିଛି । ଜନ-ଧନ ଆକାଉଂଟକୁ ବ୍ୟବହାର କରି କିଛି ଲୋକ ବଡ ଧନରାଶି ଜମା କରୁଥିବା ନଜର ଆସିବା ପରେ ଏହା ସରକାରଙ୍କ ଦୃଷ୍ଟିକୁ ଆସିଛି । ତେଣୁ ନିଜର ଜନ-ଧନ ଆକାଉଂଟକୁ ଅନ୍ୟ କାହାରି କଳାଧନ ଜମା କରିବାରେ ବ୍ୟବହାର ନକରିବା ପାଇଁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।