ଗ୍ୟାଙ୍ଗଷ୍ଟର ଟିଟୋର ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ : ଅଡି ମିଳିବା ପରେ ୨୧ ଲକ୍ଷର ହାର୍ଲେ ଡାଭିଡସନ ବାଇକ ଥିବା ନେଇ ମିଳିଲା ତଥ୍ୟ

30

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଟିଟୋର ସଂପତିକୁ ନେଇ ଏସଟିଏଫ ଖୋଳତାଡ କରୁଥିବା ବେଳେ ସାମନାକୁ ଆସିଲା ଗ୍ୟାଙ୍ଗଷ୍ଟର ଟିଟୋର ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ । ଅଡି ପରେ ଟିଟୋର ହାର୍ଲେ ଡାଭିଡସନ ବାଇକ ଥିବା ତଥ୍ୟ ମିଳିଛି । ଯାହାର ମୂଲ୍ୟ ହେବ ୨୧ ଲକ୍ଷ । ତେବେ ଏହି ଦାମୀ ବାଇକଟି ଟିଟୋର ଜଣେ ସଂପର୍କୀୟ ନାଁରେ ରହିଛି । ଦ୍ୱିତୀୟ ରିମାଣ୍ଡରେ ଟିଟୋକୁ ନେଇ ଏସଟିଏଫ ଖୋଳତାଡ କରୁଥିବା ବେଳେ ଏହି ଦାମୀ ବାଇକ ଏବେ ସାମନାକୁ ଆସିଛି । ପୂର୍ବରୁ ମଧ୍ୟ ଗ୍ୟାଙ୍ଗଷ୍ଟରର ଏକ ଅଡି କାର ସିଜ ହୋଇଥିଲା । ସେଇଟା ବି ଟିଟୋର ଜଣେ ସଂପର୍କୀୟଙ୍କ ନାଁରେ ରହିଥିବା ଜଣାପଡିଛି । ଏପରିକି ଟିଟୋର ଆଉ ଏକ ଜାଗୁଆର କାରକୁ ମଧ୍ୟ ଖୋଜୁଛି ଏସଟିଏଫ । ଯେଉଁ ଗାଡି ଓଲିଉଡ ଫିଲ୍ମରେ ବ୍ୟବହାର ହୋଇଥିଲା । ଗ୍ୟାଙ୍ଗଷ୍ଟର ଟିଟୋକୁ ଜେରା ବେଳେ ଟିଟୋର କଳା ସମ୍ରାଜ୍ୟ ଓ ବିଳାସ ପୂର୍ଣ୍ଣ ଜୀବନର ଅନେକ ତଥ୍ୟ ସାମାନକୁ ଆସୁଛି । ବହୁ ଚାଲାକିର ସହ ଟିଟୋ ନିଜ ନାଁରେ କୌଣସି ବ୍ୟବସାୟୀ ପ୍ରତିଷ୍ଠାନ କିମ୍ବା ଗାଡି ନିଜ ନାଁରେ ନରଖି ସଂପର୍କୀୟ ନାଁରେ ସାମ୍ରଜ୍ୟ ବଢାଇବାରେ ଲାଗିଥିଲା ।

ସେପଟେ ଅଧାରୁ ବନ୍ଦ ହେଲା ଓଡିଆ ଫିଲ୍ମ ବିଶ୍ୱନାଥର ସୁଟିଂ । ଗତକାଲି ଫିଲ୍ମରେ ଗ୍ୟାଙ୍ଗଷ୍ଟର ଟିଟୋର ଟଙ୍କା ଲାଗିଥିବା ନେଇ ଜଣାପଡିବା ପରେ ସୁଟିଂ ବନ୍ଦ ହୋଇଥିବା କଥା ସାମନାକୁ ଆସିଛି । ଫିଲ୍ମଟି ନିର୍ମାଣଧୀନ ଥିବା ବେଳେ ଟିଟୋର ଟଙ୍କା ଫିଲ୍ମରେ ଲାଗିଥିବା ନେଇ କ୍ରାଇମବ୍ରାଂଚ ଏସଟିଏଫକୁ ଜେରା ବେଳେ ଜଣାପଡିଥିଲା । ଗଣେଶ ପୂଜାରେ ଏହି ଫିଲ୍ମ ରିଲିଜ୍ ହେବାର ଲକ୍ଷ୍ୟ ରଖାଯାଇଛି । ଦ୍ୱିତୀୟ ରିମାଣ୍ଡରେ ଆଣି ଟିଟୋକୁ ଗୁଡାଇ ତୁଡାଇ ଜେରା କରୁଛି ସ୍ୱତନ୍ତ୍ର ଟାକ୍ସ ଫୋର୍ସ । ତଦନ୍ତ ବେଳେ ସାମନାକୁ ଆସୁଛି ଗ୍ୟାଙ୍ଗଷ୍ଟରର କଳା ସାମ୍ରାଜ୍ୟର ଅନେକ ଗୁମର । ଫିଲ୍ମ ବିଶ୍ୱନାଥରେ ଗ୍ୟାଙ୍ଗଷ୍ଟର ସିଧାସଳଖ ସଂପୃକ୍ତ ନଥିଲେ ବି ନିଜ ସମ୍ପର୍କୀୟ ଭାଇଙ୍କ ଜରିଆରେ ଟଙ୍କା ଲଗାଇଥିବା ଜଣାପଡିଛି । ଫିଲ୍ମରେ ଲିଡ ରୋଲରେ ଅଛନ୍ତି ସମ୍ବିତ ଓ ସମ୍ଭାବନା । ଏଥିରେ ରାଇମୋହନ, ମିହିର ଦାଶ ବି ଅଭିନିୟ କରୁଥିବା ଜଣାପଡିଛି । ଏସଟିଏଫକୁ ଏ ନେଇ ସୁରାକ ମିଳିବା ପରେ ଆରମ୍ଭ ହୋଇଛି ଖୋଳତାଡ । ଫିଲ୍ମରେ ଟିଟୋର ଜାଗୁଆର ଗାଡି ବି ବ୍ୟବହାର ହେଊଥିବା ଜଣାପଡିଛି ।