ଚର୍ଚ୍ଚାରେ ମାଷ୍ଟର ଟିଟୋର ସ୍ୱତନ୍ତ୍ର ଅପରେସନ୍ ଷ୍ଟାଇଲ୍ : ଅପରାଧ ଘଟାଉଥିଲା କିନ୍ତୁ ମିଳୁନଥିଲା ସଂପୃକ୍ତିର ସୁରାଗ୍

33

କନକ ବ୍ୟୁରୋ : ଚର୍ଚ୍ଚାରେ ଗ୍ୟାଙ୍ଗଷ୍ଟର ଟିଟୋର ଅପରେସନ୍ ଷ୍ଟାଇଲ । ଟିଟୋ ଇସାରାରେ ହେଉଥିଲା ହତ୍ୟା ଭଳି ସଙ୍ଗୀନ୍ ଅପରାଧ, କିନ୍ତୁ କେଉଁଠି ବି ଆସୁନଥିଲା ଟିଟୋର ନାଁ । ନିଜ ସହଯୋଗୀଙ୍କୁ ଏଭଳି କୌଶଳରେ ଟିଟୋ ପରିଚାଳନା କରୁଥିଲା ଯେ ପୁଲିସ୍ ମଧ୍ୟ ପାଉନଥିଲା ଟିଟୋ ସଂପୃକ୍ତିର କୌଣସି ବି ସୁରାକ୍ ।

ଗ୍ୟାଙ୍ଗୱାର୍ ଥିଲା ମାର୍ଶାଘାଇ ରାଜକିଶୋର ବେହେରା ହତ୍ୟାକାଣ୍ଡର ମୁଖ୍ୟ କାରଣ । ପାରାଦୀପରେ ଆଧିପତ୍ୟ ବିସ୍ତାର କରିବା ସ୍ୱପ୍ନ ଦେଖୁଥିବା ଟିଟୋ, ନିଜ ସହଯୋଗୀଙ୍କ ଦ୍ୱାରା ଘଟାଇଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ । ଟିଟୋ ଈଶାରାରେ ଲିଟୁ ଗ୍ୟାଙ୍ଗ୍ ସହଯୋଗୀ ରାଜକିଶୋରକୁ ଏକପ୍ରକାର ହଟାଇଦିଆ ଯାଇଥିଲା ରାସ୍ତାରୁ, ତେବେ ଅପରାଧରେ ଟିଟୋ ସଂପୃକ୍ତି ନେଇ ମିଳିନଥିଲା ସାମାନ୍ୟତମ ସୁରାଗ୍ । ମାର୍ଶାଘାଇ ପୁଲିସ୍ ନିକଟରେ ଟିଟୋ ସ୍ୱୀକାର କରିଥିବା ତଥ୍ୟ ଅନୁଯାୟୀ ୨୦୧୫ ଏପ୍ରିଲ୍ ୨୪ ତାରିଖରେ ରାଜକିଶୋର ଏକ ବାଇକରେ ତିଖିରିରୁ ନିଜ ଘରକୁ ଫେରୁଥିବା ବେଳେ ତାକୁ ବାଟରେ ଘେରିଯାଇଥିଲେ ଟିଟୋ ଗ୍ୟାଙ୍ଗର ଭବାନୀ ସାହୁ, କେଦାର ସ୍ୱାଇଁ ଓ ଶରତ ମହାରଣା ଏବଂ ଘଟାଇଥିଲେ ହତ୍ୟାକାଣ୍ଡ ।

ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧ ଶୈଳୀ ଥିଲା ଅଲଗା । ସିଧାସଳଖ ଅପରାଧରେ ସାମିଲ ନହୋଇ ସହଯୋଗୀଙ୍କୁ ବ୍ୟବହାର କରି ଘଟଣାକୁ ରୂପ ଦେଉଥିବାରୁ ପୁଲିସକୁ ମିଳୁନଥିଲା ସଂପୃକ୍ତିର ସୁରାଗ୍ । ଆଉ ଧଳା ପୋଷାକ ଆଢୁଆଳରେ କଳା କାରନାମା ଘଟାଇ ମଧ୍ୟ ପୁଲିସ ପାଖରେ ଟିଟୋ ଥିଲା ଅପହଁଚ ।

ରାଜକିଶୋର ହତ୍ୟା ପଛରେ ଟିଟୋ ଥିବା ମାନିବା ପରେ ପୁଲିସ୍ ଅଶ୍ୱଜିତ ସାହୁ ହତ୍ୟାକାଣ୍ଡରେ ମଧ୍ୟ ଟିଟୋ ସଂପୃକ୍ତ ଥିବା ସନ୍ଦେହ କରୁଛି । ୨୦୧୫, ସେପଟେମ୍ବର ୧୩ ତାରିଖରେ ମାର୍ଶାଘାଇ ଥାନା ୫ ନମ୍ବର ଜାତୀୟ ରାଜପଥରେ ଥିବା କୁସୁନପୁର ତାରିଣୀ ଢାବା ସମ୍ମୁଖରେ ଅଶ୍ୱଜିତ ସାହୁଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ମଧ୍ୟ ଟିଟୋକୁ ଜେରା କରିବ ପୁଲିସ୍ ।

ଟିଟୋ ଈଶାରାରେ ଅପରାଧ ଘଟାଉଥିଲେ ତାର ସହଯୋଗୀ । ବସର ଡାଏରିରୁ ନାଁ କଟିଲେ ଲୋକଙ୍କ ମୁଣ୍ଡ ଗଡ଼ାଇବାକୁ ବେଶୀ ସମୟ ମଧ୍ୟ ନେଉଥିଲେ ଟିଟୋ ଗ୍ୟାଙ୍ଗ୍ର ସାର୍ପ ସୁଟର୍ । କିନ୍ତୁ ହିନ୍ଦୀ ସିନେମାର ଦୃଶ୍ୟ ଭଳି ଟିଟୋ ଈଶାରାରେ ସବୁକିଛି ହେଉଥିଲେ ବି ତାର ଛବି ଥିଲା ବେଦାଗ୍ । ଟିଟୋ ଅପରାଧିକ ସାମ୍ରାଜ୍ୟର ପର୍ଦ୍ଦାଫାଶ୍ କରିବାରେ ଲାଗିଛି କ୍ରାଇମବ୍ରାଂଚ୍ ଏସଟିଏଫ୍ । କେନ୍ଦ୍ରାପଡ଼ା ଯାଇ ଉପଜିଲ୍ଲାପାଳଙ୍କ ଅଫିସରେ ବାଲିଘାଟ ଲିଜ୍ ନେଇ ଦସ୍ତାବିଜ୍ ସଂଗ୍ରହ କରିଛି ଏସଟିଏଫ୍ । ଅନ୍ୟ ପଟେ ଆଗାମୀ ଦିନରେ ଏହି ଗ୍ୟାଙ୍ଗଷ୍ଟରର ଆହୁରି କଳାକାରନାମାର ପର୍ଦ୍ଦାଫାଶ୍ ହେବା କୁହାଯାଉଛି ।