ଅତି ଭୟଙ୍କର ସାମୂଦ୍ରିକ ଝଡ଼ରେ ପରିଣତ ହୋଇପାରେ ‘ତିତଲି’ : ବିଦ୍ୟୁତ୍ କାଟ୍ କରିବା ପାଇଁ ପରାମର୍ଶ

120

କନକ ବ୍ୟୁରୋ : ଭୟଙ୍କର ସାମୂଦ୍ରିକ ଝଡ଼ରେ ପରିଣତ ହୋଇସାରିଛି ତିତଲି । ହେଲେ ତିତଲି ଅତି ଭୟଙ୍କର ସାମୂଦ୍ରିକ ଝଡ଼ରେ ପରିଣତ ହୋଇପାରେ ବୋଲି ଆକଳନ ହୋଇଛି । ଆସନ୍ତା ୧୨ ଘଂଟା ମଧ୍ୟରେ ବାତ୍ୟା ଅଧିକ ଘନୀଭୂତ ହୋଇପାରେ । ଆଚଳିକ ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ସାହୁ ସୂଚନା ଏନେଇ ସୂଚନା ଦେଇଛନ୍ତି । ବାତ୍ୟା ଘନୀଭୂତ ହେବା ପାଇଁ ବାତାବରଣ ଅନୁକୂଳ ରହଛି । ଏହାର ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ । ଗଞ୍ଜାମ ଓ ପୁରୀରେ ତିତଲିର ଅଧିକ ପ୍ରଭାବ ରହିବ । ଏହାସହ ବଡ଼ ଧରଣର ଝଡ଼ ଆଶଙ୍କା ମଧ୍ୟ କରାଯାଉଛି । ଯାହା ଅନେକ କ୍ଷୟକ୍ଷତି କରାଇପାରେ । ପବନର ବେଗ ଅଧିକ ରହିବା ଯୋଗୁଁ ଗଛ ଉପୁଡ଼ିବା ସହ ପୋଲ୍ ଭାଙ୍ଗିବାର ଆଶଙ୍କା ରହିଛି । ଏହାସହ ପୁରୀ ଓ ଗଞ୍ଜାମରେ ବିଦ୍ୟୁତ କାଟ କରିବା ଆବଶ୍ୟକ ବୋଲି କହିଛନ୍ତି ଶରତ ସାହୁ ।

ଏପଟେ ତିତଲି ଯୋଗୁଁ ବଂଶଧାରା ଓ ଋଷିକୁଲ୍ୟାରେ ବନ୍ୟା ଆଶଙ୍କା ରହିଛି । ବନ୍ୟା ପରିସ୍ଥିତି ନେଇ ଜଳ ସଂପଦ ବିଭାଗ ନଜର ରଖିଛି । ଏସଡ଼ିଓ ଓ ଜୁନିୟର ଇଞ୍ଜିନୟରମାନଙ୍କୁ ସଜାଗ ରହିବା ପାଇଁ ନର୍ଦ୍ଦେଶ ଦିଆଯାଇଛି । ତେବେ ତିତଲିର ଭୟାବହତା ଆଶଙ୍କା କରି ଛାତ୍ର ସଂସଦ ନିର୍ବାଚନ ବାତିଲ କରିଦେଇଛନ୍ତି ରାଜ୍ୟ ସରକାର । ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂପୁର ଏବଂ କେନ୍ଦ୍ରାପଡ଼ାରେ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ତିତଲି ପାଇଁ ୨ ଦିନ ଧରି ସମସ୍ତ ସ୍କୁଲ କଲେଜ ବନ୍ଦ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ସସସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ୍ କରାଇଯାଇଛି ।

ଅତି ଭୟଙ୍କର ବେଗରେ ମାଡ଼ି ଆସୁଛି ବାତ୍ୟା ତିତଲି । ଏହା ବର୍ତ୍ତମାନ ଘଣ୍ଟାକୁ ୧୫ କିଲୋମିଟର ବେଗରେ ସୁମୁଦ୍ର ଉପରେ ଗତି କରୁଛି । ତିତଲି ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ଠାରୁ ୨୩୦ କିଲୋମିଟର ଦୂରରେ ରହିଛି । ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ତିତଲି । ଆସନ୍ତାକାଲି ସକାଳ ୫ଟ ୩୦ ସୁଦ୍ଧା ଏହା ଓଡିଶା ଉପକୂଳ ଛୁଇଁବ । ଏହି ସମୟରେ ବାତ୍ୟାର ବେଗ ଘଣ୍ଟା ପ୍ରତି ୧୪୦ରୁ ୧୬୫ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଗଂଜାମ, ଗଜପତି, ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।