ତିତଲି ତାଣ୍ଡବ ପରେ କ୍ଷୟକ୍ଷତିର ଆକଳନ : ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ! ଗଜପତି , ରାୟଗଡା ଓ ଗଞ୍ଜାମ ରିପୋର୍ଟ ଉପରେ ନଜର

31

କନକ ବ୍ୟୁରୋ : ତିତଲି ବାତ୍ୟା ଜନିତ କେତେ କ୍ଷତି ହୋଇଛି ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ଜିଲ୍ଳାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । କ୍ଷୟକ୍ଷତିର ପ୍ରାଥମିକ ଚିଠା ଆକଳନ କରି ସରକାରଙ୍କୁ ରିପୋର୍ଟ ଦେବେ । ବିଭିନ୍ନ ବିଭାଗର ସଚିବଙ୍କୁ ମଧ୍ୟ ସେମାନଙ୍କ କ୍ଷୟକ୍ଷତିର ରିପୋର୍ଟ ପ୍ରସ୍ତୁତ କରିବା ଲାଗି କୁହାଯାଇଛି । ଗଞ୍ଜାମ, ଗଜପତି ସମେତ ୧୬ଟି ତିିତଲି ପ୍ରଭାବିତ ଜିଲ୍ଲାରୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି । ପ୍ରାଥମିକ ରିପୋର୍ଟ ଅନୁଯାୟୀ କେବଳ ଗଞ୍ଜାମ ଜିଲ୍ଳାରେ ୧୧ହଜାର ୮୩୦ ଘର ଉଡିଯାଇଛି, ପୁରୀ ଜିଲ୍ଳାରେ ୧୪୦୧ଘର, କଟକରେ ୯୩୨ଘର ଭାଙ୍ଗିଛି । ତେବେ ତିତଲି ପ୍ରଭାବରେ ସମୁଦାୟ ୧୬ହଜାର ୮୩୦ ଘର ଭାଙ୍ଗିଛି ବୋଲି ପ୍ରାଥମିକ ରିପୋର୍ଟ ଆସିଛି । ଏହି ସଂଖ୍ୟା ଆହୁରି ବଢ଼ିପାରେ । କେବଳ ଘର ନୁହେଁ, ବିଦ୍ୟୁତ୍ ଭିିତିଭୂମି, ପଶୁସମ୍ପଦ, ଚାଷ ଆଦି କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ସେପଟେ ‘ତିତଲି’ ବାତ୍ୟାର ପ୍ରଭାବରେ ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଖଜୁରୀପଦା ପଞ୍ଚାୟତ ରାଗେଇଝୁଳି ଗାଁ ନିଶ୍ଚିହ୍ନ ହୋଇଯାଇଛି। ନିକଟସ୍ଥ ପାବତରାଇଜ ପାହାଡ଼ରୁ ବଡ଼ ବଡ଼ ପଥର ଖଣ୍ଡ ଗଡ଼ି ଆସିବା ଫଳରେ ଗ୍ରାମର ସବୁ ଘରଗୁଡ଼ିକ ଭାଙ୍ଗିରୁଜି ଯାଇଛି। କାଜୁ ବଗିଚା ଉଜୁଡ଼ି ଯାଇଥିବା ବେଳେ ଜମିଗୁଡ଼ିକ ବାଲିଚର ମାଡ଼ିଯାଇଛି। ସମସ୍ତ ବାଡ଼ବଗିଚା ଭୁଲୁଣ୍ଠିତ ହୋଇ ଯାଇଥିବା ବେଳେ ଗ୍ରାମର ଗୃହପାଳିତ ପଶୁମାନଙ୍କ ଚିହ୍ନବର୍ଣ୍ଣ ମିଳୁନାହିଁ। ଗ୍ରାମବାସୀଙ୍କ ଆର୍ଥିକ ଅବସ୍ଥା ଦୋହଲି ଯାଇଛି। ବାତ୍ୟାପୂର୍ବରୁ ଶତାଧିକ ଗ୍ରାମବାସୀଙ୍କୁ ଖଜୁରୀପଦା ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଥିଲା । ସେଠାରେ ସେମାନେ ଆଜିଯାଏଁ ପଡ଼ି ରହିଛନ୍ତି । ବର୍ତ୍ତମାନ ସେମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଉ ନାହିଁ ବି ବିଶୁଦ୍ଧ ପାଣି ପିଇବାକୁ ମିଳୁନାହିଁ ।