ତିତଲି ପ୍ରଭାବିତଙ୍କ ପାଇଁ ବଡ଼ ପ୍ୟାକେଜ୍ ! ୩୭ଟି କ୍ଷେତ୍ର ପାଇଁ ସହାୟତା ଯୋଗାଇ ଦେବେ ସରକାର ।

147

କନକ ବ୍ୟୁରୋ : ତିତଲି ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳର ଲୋକଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷ ବାସ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି । ଗୋପାଳନ, ମତ୍ସ୍ୟ ଚାଷ, ହସ୍ତତନ୍ତ ଓ ସେରିକଲଚର୍ ପାଇଁ ମଧ୍ୟ ସହାୟତା ପ୍ୟାକେଜ୍ ଦେଇଛନ୍ତି ରାଜ୍ୟ ସରକାର ।  କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଇନପୁଟ ସବସିଡି ଘୋଷଣା କରାଯାଇଛି । ଅଣଜଳସେଚିତ ଅଂଚଳରେ ୩୩ ପ୍ରତିଶତ କିମ୍ବା ତା’ଠାରୁ ଅଧିକ କ୍ଷତି ହୋଇଥିବା ଚାଷୀଙ୍କୁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ଓ ଜଳସେଚିତ ଜମି ପାଇଁ ୧୩ ହଜାର ୫୦୦ ଟଙ୍କା କ୍ଷତିପୂରଣ ଦିଆଯିବ । 

naveenବର୍ଷିକିଆ ଫସଲ ଯଥା ଆମ୍ବ, କାଜୁ, ନଡ଼ିଆ, ପାନ ବରଜ ପାଇଁ ଚାଷୀଙ୍କୁ ମିଳିବ ହେକ୍ଟର ପିଛା ୧୮ ହଜାର ଟଙ୍କା । ସେହିପରି ତିତଲି ପ୍ରଭାବିତ ଚାଷୀଙ୍କୁ ୨ ଲକ୍ଷ ବିହନ କିଟ୍ ପ୍ରଦାନ କରାଯିବ । ୨୦ ହଜାର ହେକ୍ଟର ଜମିରେ ନଷ୍ଟ ହୋଇଥିବା ଆମ୍ବ, କାଜୁ, କଦଳୀ, ନଡ଼ିଆ ଫସଲର ପୁନରୁଦ୍ଧାର ପାଇଁ ତିନି ବର୍ଷିଆ ସହାୟତା ଦିଆଯିବ । ହେକ୍ଟର ପିଛା ୨୦ ହଜାର ଟଙ୍କା ହାରରେ ପ୍ରଭାବିତ ଆଖୁ ଚାଷୀଙ୍କୁ ସହାୟତା ମିଳିବ । ୫୦ ପ୍ରତିଶତ ରିହାତି ଦରରେ ଏକ ହଜାର ପମ୍ପ ସେଟ୍ ଯୋଗାଇ ଦିଆଯିବ । ସେହିପରି ଗାଈ ଓ ମଇଁଷୀ ପାଇଁ ୩୦ ହଜାର ଟଙ୍କା, ବାଛୁରୀ ପାଇଁ ୧୬ ହଜାର ଟଙ୍କା, ଛେଳି ପାଇଁ ୩ ହଜାର ଟଙ୍କା ଦିଆଯିବ ।  ୧୦ ହଜାର ଲୋକଙ୍କୁ ଗାଈ ଗୁହାଳ ପାଇଁ ମିଳିବ ଏକ ଲକ୍ଷ ୧୩ ହଜାର ଟଙ୍କା ଲେଖାଁଏ ସହାୟତା । 

ସେହିପରି ୧୦ ହଜାର ଚାଷୀଙ୍କୁ ଛେଳି ଗୁହାଳ ପାଇଁ ମିଳିବ ୪୪ ହଜାର ଟଙ୍କା । ହଜାରେ ଚାଷୀଙ୍କୁ ଛେଳି ଚାଷ ପାଇଁ ୬୬ ହଜାର ଟଙ୍କା ୟୁନିଟରେ ୭୫ ପ୍ରତିଶତ ରିହାତି ଦିଆଯିବ । ପ୍ରଭାବିତ ଅଂଚଳର ୫ ହଜାର ଚାଷୀଙ୍କୁ ୫୦୦ କେଜିର ଗୋଖାଦ୍ୟ ଯୋଗାଇ ଦିଆଯିବ । ଯେଉଁମାନଙ୍କ ଗାଈର ମୃତ୍ୟୁ ଘଟିଛି ସେମାନଙ୍କ ଜୀବନ ଜୀବିକା ପାଇଁ ୩୫୦ଟି ଗାଈ ଦିଆଯିବାକୁ ନିଷ୍ପତି ହୋଇଛି । ୩୭ଟି କ୍ଷେତ୍ରରେ ଏହି ସହାୟତା ରାଶି ମିଳିବ । ୩୩ ପ୍ରତିଶତ ଅଧିକ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କ ଭୂମି କର ଓ ପାଣି କର ଛାଡ଼ କରାଯାଇଛି । ସେହିପରି ସ୍କୁଲ ଫି’ ଓ ପରୀକ୍ଷା ଫିସ୍ ମଧ୍ୟ ଛାଡ୍ କରାଯାଇଛି । ଛାତ୍ରଛାତ୍ରୀ ମାନଙ୍କୁ ଦୁଇ ପେୟାର୍ ସ୍କୁଲ ୟୁନିଫର୍ମ ଓ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯିବ ।