ଶେଷ ମୁହୂର୍ତରେ ଦିଗ ବଦଳାଇ ଚମକାଇଦେଲା ତିତଲି, ଗୋପାଳପୁର ବଦଳରେ ଆନ୍ଧ୍ର ପଲାସାରେ ହେଲା ଲ୍ୟାଣ୍ଡଫଲ୍! ଉପୁଡି ପଡିଲା ବଡ ବଡ ଗଛ, ଆନ୍ଧ୍ରରେ ୮ଜଣଙ୍କ ମୃତ୍ୟୁ

38

କନକ ବ୍ୟୁରୋ : ଦକ୍ଷିଣ ଓଡିଶା ଓ ଆନ୍ଧ୍ରପ୍ରଦେଶରେ ତାଣ୍ଡବ ମଚାଇଲା ସାମୁଦ୍ରିକ ଝଡ ତିତଲି । ଓଡ଼ିଶାର ଗଂଜାମ, ଗଜପତି, ରାୟଗଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ତିତଲି । ବାତ୍ୟା ତିତଲି ପ୍ରଭାବରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲା । ଶ୍ରୀକାକୁଲମରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ବାସଗୃହ ଭାଙ୍ଗି ଯାଇଛି । ବଡ ବଡ ଗଛ ସହ ବିଦ୍ୟୁତ୍ ଖୁଣ୍ଟ ଓ ଟେଲିଫୋନ୍ ଖୁଂଟ ଉପୁଡି ପଡିଛି । ଆଉ ଏବେ ବାତ୍ୟା ବିପଦ ଟଳିଯିବା ପରେ ବର୍ଷା ନୂଆ ସମସ୍ୟା ହୋଇ ସାମ୍ନାକୁ ଆସିଛି । ଆସନ୍ତାକାଲି ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିପାଇଁ ରେଡ୍ ଆଲର୍ଟ ଜାରି ହୋଇଛି ।

ସମୟ ଭୋର ୪ଟା ୩୦ରୁ ୫ଟା ୩୦ ।ପଲାସା ନିକଟରେ ମାଡ଼ ହେଲା ‘ତିତଲି’ । ପୂର୍ବରୁ ଯାହା ଅନୁମାନ କରାଯାଉଥିଲା, ସ୍ଥଳ ଭାଗକୁ ଛୁଇଁଲା ବେଳେ ବଦଳିଗଲା ବାତ୍ୟାର ମୋଡ଼ । ଗୋପାଳପୁର ଠାରୁ ପ୍ରାୟ ୯୦ କିଲୋମିଟର ଦୂର ଆନ୍ଧ୍ର ଶ୍ରୀକାକୁଲମର ପଲାସାରେ ଭୋର ସାଢେ ଚାରିଟାରୁ ସାଢେ ପାଂଚଟା ମଧ୍ୟରେ ଲ୍ୟାଣ୍ଡଫଲ କରିଥିଲା ତିତଲି । ସେହି ସମୟରେ ସାଂଘାତିକ ରୂପ ନେଇଥିଲା ବାତ୍ୟା ।

ପଲାସା ରେଳ ଷ୍ଟେସନରେ ଘୁ’ ଘୁ’ ଶବ୍ଦରେ ୧୪୦ରୁ ୧୫୦ କିଲୋମିଟର ବେଗରେ ବହିଥିଲା ପବନ । ମଝିରେ ମଝିରେ ୧୬୫ କିଲୋମିଟର ବେଗରେ ପବନ ଦେଇଥିଲା ଝଟକା । ଯାହା ଫଳରେ ବ୍ୟାପକ କ୍ଷୟ କ୍ଷତି ହୋଇଛି । ତିତଲି ପ୍ରଭାବରେ ଶ୍ରୀକାକୁଲମରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶର ବିଜୟନଗରମ୍, ବିଶାଖାପଟ୍ଟନମ୍ ଓ ଶ୍ରୀକାକୁଲମ୍ ଉପରେ ଦାଉ ସାଧିଛି । ଅନେକ ଘର ଭାଙ୍ଗିଯିବା ସହ ବଡ ବଡ ଗଛ ସହ ବିଦ୍ୟୁତ୍ ଖୁଂଟ ଓ ଟେଲିଫୋନ୍ ଖୁଂଟ ଉପୁଡି ପଡିଛି । ଶ୍ରୀକାକୁଲମରେ ପ୍ରାୟ ୬ ହଜାରରୁ ୭ ହଜାର ବିଦ୍ୟୁତ୍ ଖୁଂଟ ଉପୁଡି ପଡିଛି । ପ୍ରାୟ ୪ ଲକ୍ଷରୁ ୫ ଲକ୍ଷ ଲୋକ ବିଦ୍ୟୁତ୍ ସରବରାହରୁ ବଂଚିତ ହୋଇଛନ୍ତି । ଯୁଦ୍ଧକାଳୀନ ଭିତିରେ ଚାଲିଛି ଉଦ୍ଧାର କାର୍ଯ୍ୟ ।

ଆନ୍ଧ୍ର ଅପେକ୍ଷା ଓଡ଼ିଶାରେ ବାତ୍ୟାର ପ୍ରକୋପ କମ୍ ଅଧିକ ନଥିଲା । ତେବେ ଦକ୍ଷିଣ ଓଡ଼ିଶା ବିଶେଷ କରି ଗଜପତି, ଗଂଜାମ ଓ ରାୟଗଡ଼ା ଜିଲ୍ଲାରେ ତାଣ୍ଡବ ରଚିଛି ତିତଲି । ଗୋପାଳପୁର, ସମୟ ଭୋର ୫ଟା ୪୦ ।ଲାଣ୍ଡ ଫଲ୍ ହେବା ପରେ ୧୨୬ କିଲୋମିଟର ବେଗରେ ବହିଥିଲା ପବନ । ଆରମ୍ଭ ହୋଇଥିଲା ପ୍ରକୃତିର ସାଂଘାତିକ ରୂପ । ଏହା ପୂର୍ବରୁ ତିତଲି ଯେତେବେଳେ ପାଖେଇ ଆସୁଥିଲା, ସେତେବେଳେ ଗୋପାଳପୁରରେ ସ୍ପଷ୍ଟ ଜଣା ପଡୁଥିଲା ପ୍ରଭାବ । ସମୁଦ ଅଶାନ୍ତ ହୋଇ ଯାଇଥିଲା, ପବନ ମଧ୍ୟ ବେଗ ବଢାଇ ଚାଲିଥିଲା ।

ପୂର୍ବ ଆକଳନ ଠାରୁ ଓଡ଼ିଶାରେ କ୍ଷୟକ୍ଷତି ଅପେକ୍ଷାକୃତ କମ ଥିଲେ ବି ଦକ୍ଷିଣ ଓଡ଼ିଶାକୁ ପ୍ରଭାବିତ କରିଛି ତିତଲି । ତିତଲିରେ ହୋଇଥିବା କ୍ଷୟକ୍ଷତି ନେଇ ସଚିବାଳୟରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗଜପତିର ସମସ୍ତ ବ୍ଲକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ମୋହନାରେ ସର୍ବାଧିକ ୩୧୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଗଜପତିରେ ଅଧିକ ଗଛ ଭାଙ୍ଗି ପଡିଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଗଂଜାମ ଓ ରାୟଗଡ଼ାରେ ମଧ୍ୟ ଅନେକ ଗଛ ଭାଙ୍ଗି ଯାଇଥିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡିପଡିଛି । ଯୁଦ୍ଧକାଳୀନ ଭିତିରେ ଚାଲିଛି ରାସ୍ତା ସଫେଇ କାର୍ଯ୍ୟ । ସେପଟେ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ତିତ୍ଲି । ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବା ପରେ ଆସନ୍ତାକାଲି ଏହା ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।