ରାୟଗଡାରେ ତିତଲି ଉଜାଡିଛି ଚାଷ : ପାଣିରେ ଶୋଇଛି ସୁନାର ଫସଲ, କ୍ଷେତ ଦେଖି ଚିନ୍ତାରେ ଚାଷୀ

51

କନକ ବ୍ୟୁରୋ : ପାଣିରେ ଶୋଇଛି ଧାନଗଛ । ସବୁଜ ସୁନ୍ଦର ଧାନ ଗଛରେ ସୁନ୍ଦର ସୁନ୍ଦର କେଣ୍ଡା ଦେଖି ଖୁସି ହେଉଥିଲା ଚାଷୀ । ହେଲେ ସାମୁଦ୍ରକ ଝଡ ତିତଲି ସ୍ଥଳଭାଗ ଛୁଇଁବା ପରେ ହୋଇଥିବା ବର୍ଷା ଆଉ ପବନ ରାୟଗଡା ଜିଲ୍ଲାର ଚାଷୀର ସେହୁ ଖୁସିକୁ ନଷ୍ଟ କରି ଦେଇଛି ।

ଜମିରେ ଅଂଟା ମୋଡି ପଡିଛି କେଣ୍ଡା ଧରିଥିବା ଧାନଗଛ । ତିତଲି ମାଡରେ ଛାରଖାର ହୋଇ ଯାଇଛି ସୁନାର କ୍ଷେତ । ଧାନ କ୍ଷୀର ଭରିବା ସମୟରେ ପାଣିରେ ଶୋଇଛି । ଯାହାକୁ ଦେଖି ଚାଷୀ ଆଖିରୁ ନିଦ ହଜିଯାଇଛି । ରାୟଗଡାର ୫୫, ୪୭୭ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ୩୫ ହଜାର ହେକ୍ଟର କ୍ଷେତରେ କପା ଚାଷ କରିଛନ୍ତି ଚାଷୀ । ଝଡ ତିତଲି ଯୋଗୁଁ ୩୫,୮୦୦ ହେକ୍ଟର ଜମିରେ ଧାନ ଚାଷ ପ୍ରଭାବିତ ହୋଇଛି । ୨୯ ହଜାର ହେକ୍ଟର ଜମିରେ କପା ଚାଷ ନଷ୍ଟ ହୋଇଛି । ଗତବର୍ଷ ଜିଲ୍ଲାରେ ୭୦୦ କୋଟି ଟଙ୍କାର କପା ବ୍ୟବସାୟ ହୋଇଥିଲା ।

ରାୟଗଡା ଜିଲ୍ଲାର ୧୧ଟି ବ୍ଲକ ମଧ୍ୟରୁ କାଶୀପୁର, କଲ୍ୟାଣସିଂହପୁର, ମୁନିଗୁଡା ଓ ଚନ୍ଦ୍ରପୁରକୁ ଛାଡି ଦେଲେ ବାକି ସବୁ ଜିଲ୍ଲାରେ ବାତ୍ୟା ତିତଲି ଯୋଗୁଁ ଚାଷ ନଷ୍ଟ ହୋଇଛି । ବାତ୍ୟା ପରର ବର୍ଷା ଯୋଗୁଁ ପାଣି ବିଲରେ ଶୋଇଥିବା ଧାନକୁ ଉଠାଇବା ପାଇଁ ଚେଷ୍ଟା କରୁଛି ଚାଷୀ । ସେପଟେ କ୍ଷୟକ୍ଷତି ଆକଳନ କରି ସବସିଡ୍ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା କୃଷି ଉପନିର୍ଦେଶକ । ଝଡ ମାଡରେ ରାଜ୍ୟର ବିଭିନ୍ନ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଚାଷ ବାସ ସବୁ ଉଜୁଡି ଯାଇଛି ।