ସାମ୍ନାକୁ ଆସିଲା ତିତଲିର ଭୟାବହତା !ବାତ୍ୟା ନେଇଛି ୫୭ ଜଣଙ୍କ ଜୀବନ, ହିସାବ ଦେଲେ ସରକାର

64

କନକ ବ୍ୟୁରୋ : ବାତ୍ୟା ତିତଲି ରାଜ୍ୟରେ ୫୭ ଜଣଙ୍କ ଜୀବନ ନେଇଛି । ଗଜପତିରେ ସର୍ବାଧିକ ୩୯ ଜଣ ପ୍ରାଣ ହରାଇଥିବାବେଳେ ଏବେବି ୧୦ ଜଣ ନିଖୋଜ ଅଛନ୍ତି । ରାଜ୍ୟ ସରକାର ଆଜି ଏନେଇ ସ୍ପଷ୍ଟ କରିଛନ୍ତି । ତିତଲି ଯୋଗୁଁ ୨୨ ଶହ କୋଟି ଟଙ୍କାର କ୍ଷତି ହୋଇଛି । ତେବେ ତିତଲି ଯିବା ପରେ ଗଞ୍ଜାମ ଓ ରାୟଗଡା ଜିଲ୍ଲାରେ ସ୍ଥିତି ସ୍ୱାଭାବିକ ହୋଇଥିବା ସରକାର କହିଛନ୍ତି । ସେହିପରି ଗଜପତି ଜିଲ୍ଲାରେ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି ଏବଂ ଦିନେ ଦୁଇଦିନ ମଧ୍ୟରେ ସ୍ଥିତି ସାମାନ୍ୟ ହୋଇଯିବ ବୋଲି କହିଛନ୍ତି ସରକାର ।

ଭୋରରୁ ତିତ୍ଲି ମାଡ଼ ହେବା ପରେ ପ୍ରଳୟର ତାଣ୍ଡବ ରଚୁଥିଲା ଝଡ଼ ବର୍ଷା । ଗୋଟିଏ ପଟେ ସୋସିଆଲ୍ ମିଡିଆରେ ଚାଲୁଥିଲା ବାତ୍ୟା ଖବରକୁ ନେଇ ସମାଲୋଚନା, କିନ୍ତୁ ଅନ୍ୟପଟେ ଗଂଜାମ, ଗଜପତି ଓ ରାୟଗଡ଼ାରେ ଭୟଙ୍କର ଦାଉ ସାଜୁଥିଲା ପ୍ରକୃତି । ଏବେ ବି ଅନ୍ତ ହୋଇନାହିଁ ହଜାର ହଜାର ଲୋକଙ୍କ ଦୁର୍ଦ୍ଦଶା । ସରକାର ମଧ୍ୟ ମାନିଛନ୍ତି, ତିତଲି ଓ ଏହା ପରେ ହୋଇଥିବା ବାଦଲଫଟା ବର୍ଷା ନେଇଯାଇଛି ୫୭ ଜଣ ଲୋକଙ୍କ ଜୀବନ । ୧୦ ଜଣ ନିଖୋଜଙ୍କ ପତ୍ତା ମିଳୁନାହିଁ । ଗଜପତିରେ ସର୍ବାଧିକ ୩୯ ଜଣ, ଗଞ୍ଜାମରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ୨୨୦୦ କୋଟି ଟଙ୍କାର କ୍ଷତି ଘଟାଇଛି ଏହି ପ୍ରଳୟଙ୍କରୀ ଝଡ଼ ବର୍ଷା । ବାତ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତ୍ୟୁସଂଖ୍ୟା ବଢିବା ନେଇ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛି ବିଜେପି ଓ କଂଗ୍ରେସ । ସରକାର ବାତ୍ୟା ମୁକାବିଲାରେ ଫେଲ ମାରିଥିବା ଅଭିଯୋଗ କରିଛନ୍ତି ବିରୋଧୀ ।

titli

ବାତ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଗଜପତିର ବାରଘର ଅଂଚଳ ବୁଲି ଦେଖିଛନ୍ତି ନବୀନ । ମୁଖ୍ୟ୍ୟମନ୍ତ୍ରୀ ପ୍ରଭାବିତ ଅଂଚଳ ଗସ୍ତ କରି ମୃତକଙ୍କ ପରିବାର ସହ ଆଲୋଚନା କରିଛନ୍ତି । ମହେନ୍ଦ୍ରଗିରି ପାହାଡ଼ ଉପରେ ଥିବା ୭୬ ପରିବାର ଚିହ୍ନଟ କରାଯାଇଛି । ପାହାଡ଼ ପାଶ୍ୱର୍ବର୍ତ୍ତୀ ଅଂଚଳରେ ୪ ଡିସିମିଲ ଜାଗାରେ ସେମାନଙ୍କୁ ବିଜୁ ପକ୍କା ଘର ଯୋଗାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କୁ ଥଇଥାନ କରାଯିବା ଯାଏ ରିଲିଫ୍ କାର୍ଯ୍ୟ ଚାଲିବ ବୋଲି ଘୋଷଣା କରାଯାଇଛି । ବିପର୍ଯ୍ୟସ୍ତ ରାସ୍ତାଘାଟର ମରାମତି ଓ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବା ପାଇଁ ଯୁଦ୍ଧକାଳୀନ ଭିତିରେ ଆଗେଇ ଚାଲିଛି କାର୍ଯ୍ୟ ।