ଟିଟିଲାଗଡ଼ ପାଲଟିଲା ତତଲାଗଡ଼ ! ୪୦ ଡିଗ୍ରି ଉପରେ ୯ ସହର

5

କନକ ବ୍ୟୁରୋ : ଟିଟିଲାଗଡ଼ ପାଲଟିଲା ତତଲାଗଡ଼ । ଗତକାଲି ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରି ରେକର୍ଡ ହୋଇଛି, ଯାହାକି ଚଳିତବର୍ଷର ସର୍ବାଧିକ । ପ୍ରଥମ ଥର ଲାଗି କୌଣସି ସହରର ତାପମାତ୍ରା ୪୩ ଡିଗ୍ରିରେ ପହଞ୍ଚିଛି । ପୂର୍ବରୁ ଏକାଧିକ ସହରର ତାପମାତ୍ରା ୪୨ ଡିଗ୍ରି ଟପିଥିଲେ ମଧ୍ୟ କୌଣସି ସ୍ଥାନରେ ୪୩ ଡିଗ୍ରି ଛୁଇଁ ନ ଥିଲା । ପ୍ରଥମ ଥର ଲାଗି ଏଠାରେ ପ୍ରବଳ ତାତି ଅନୁଭୂତ ହୋଇଛି । କେବଳ ଟିଟିଲାଗଡ଼ ନୁହେଁ । ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରି ଟପିଯାଇଛି । ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ ହ୍ରାସ ପାଇଛି । କେତେକ ସ୍ଥାନରେ ବର୍ଷା ହୋଇଥିବାରୁ ଆସନ୍ତାକାଲି ମଧ୍ୟ ତାପମାତ୍ରା ସେତେଟା ବୃଦ୍ଧି ପାଇବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଗୁରୁବାର ମଧ୍ୟ ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିବ । ଅଧିକାଂଶ ସହରର ତାପମାତ୍ରା ୪୧ ଡିଗ୍ରି ଉପରକୁ ଚାଲିଯିବ । ଟିଟିଲାଗଡ଼, ତାଳଚେର, ଅନୁଗୁଳ, ଝାରସୁଗୁଡ଼ା, ବଲାଙ୍ଗୀର, ଭବାନୀପାଟଣା, ସମ୍ବଲପୁରରେ ଖରାର ପ୍ରକୋପ ଅଧିକ ରହିବ। ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ତାତି ଅନୁଭୂତ ହେବ । ଉପକୂଳ ଓ ଉତ୍ତର ଓଡ଼ିଶାବାସୀଙ୍କୁ କିନ୍ତୁ ଆଶ୍ୱସ୍ତି ମିଳିବ । ୧୯ ତାରିଖ ଅପରାହ୍ଣରେ ଉତ୍ତର ଓଡ଼ିଶା ସମେତ ଖୋର୍ଧା, ନୟାଗଡ଼, କନ୍ଧମାଳ, ପୁରୀ, ଗଞ୍ଜାମ, ଗଜପତି ଜିଲ୍ଲାରେ କାଳବୈଶାଖୀ ହୋଇପାରେ । ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ହେବ । ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ପାଗରେ ସେଭଳି କୌଣସି ପରିବର୍ତନ ଆସିବ ନାହିଁ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।

ଟିଟିଲାଗଡ଼ ବ୍ୟତୀତ ବଲାଙ୍ଗୀରରେ ୪୨.୮ ଡିଗ୍ର, ଭବାନୀପାଟଣା ୪୧.୫, ହୀରାକୁଦ ୪୧.୧, ତାଳଚେର, ଅନୁଗୁଳ ଓ ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୦.୭, ମାଲକାନଗିରିରେ ୪୦ ଡିଗ୍ରି ରହିଥିଲା । ଭୁବନେଶ୍ୱରର ତାପମାତ୍ରା ହ୍ରାସ ପାଇ ୩୮.୪ ଡିଗ୍ରିରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହୋଇଛି । ଢେଙ୍କାନାଳରେ ୧୩ ମି.ମି. ବର୍ଷା ହୋଇଥିବା ବେଳେ ବାରିପଦାରେ ୧୧.୬, ଦାରିଙ୍ଗବାଡ଼ିରେ ୧୧, କଟକରେ ୯.୬, ଭବାନୀପାଟଣାରେ ୭, ସୁନ୍ଦରଗଡ଼ରେ ୪, ଅନୁଗୁଳରେ ୩.୬, ତାଳଚେର ଓ ଫୁଲବାଣୀରେ ୩ ମି.ମି. ଲେଖାଏ, ଝାରସୁଗୁଡ଼ାରେ ୨.୪, ମାଲକାନଗିରିରେ ୨ ମି.ମି. ବର୍ଷା ହୋଇଛି । ଭୁବନେଶ୍ୱରରେ ମଧ୍ୟ ବର୍ଷା ସହ ପବନ ହୋଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Comments are closed.