ରାଜ୍ୟରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଛି ତିତଲି । ଦୁର୍ବଳ ହେଲାଣି ହେଲେ ପ୍ରକୋପ କମିନି

6

କନକ ବ୍ୟୁରୋ : ମାତ୍ର ୨୪ ଘଣ୍ଟା ମଧ୍ୟରେ ୨ଟି ବ୍ଲକରେ ୩୦୦ ମିଲିମିଟର, ୨୧ଟି ବ୍ଲକରେ ୨୦୦ରୁ ୩୦୦ ମିଲିମିଟର ଓ ୬୩ଟି ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ଭୀଷଣ ସାମୁଦ୍ରିକ ବାତ୍ୟା ତିତଲି ବିପର୍ଯ୍ୟୟକୁ ଏମିତି ବଢାଇ ଦେଇଛି ଯେ ଦକ୍ଷିଣ, ଉପକୂଳ ଓ ଉତ୍ତର ଓଡ଼ିଶା ସ୍ଥିତି ବେହାଲ ହୋଇଗଲାଣି। ବାତ୍ୟା ଠାରୁ ବଳିଗଲାଣି ବନ୍ୟା ବିପର୍ଯ୍ୟୟର ବିଭୀଷିକା। ଦୁର୍ବଳ ହୋଇ ଅବପାତରେ ପରିଣତ ହେଲାଣି, ତଥାପି ପ୍ରକୋପ କମିନି।

 

ଋଷିକୂଲ୍ୟା ଓ ବଡନଦୀ ଓ ବାହୁଦା ନଦୀର ବନ୍ୟା ଗଞ୍ଜାମ ଜିଲ୍ଲାକୁ ଶୋଚନୀୟ ପରିସ୍ଥତି ଭିତରକୁ ଟାଣି ନେଇଛି। ଗଞ୍ଜାମ ଜିଲ୍ଲାର ଆସ୍କା, ପୁରୁଷୋତ୍ତମପୁର, ଧରାକୋଟ ସ୍ଥିତି ସଙ୍ଗିନ୍। ସହର ଓ ଗାଁରେ ପେଟେ ପାଣି। ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି ଅଧିକାଂଶ ଅଞ୍ଚଳ। ଜନଜୀବନ ଅସ୍ତବ୍ୟସ୍ତ। ଗତ ଦୁଇ ଦଶନ୍ଧି ଭିତରେ ଏମିତି କେବେ ପରିସ୍ଥିତି ସୃଷ୍ଟି ହୋଇନଥିଲା ଗଞ୍ଜାମ ଜିଲ୍ଲାରେ।

 

ବଂଶଧାରା ଓ ମହେନ୍ଦ୍ରତନୟା ନଦୀର ବନ୍ୟା ରାୟଗଡା ଓ ଗଜପତି ଜିଲ୍ଲାବାସୀଙ୍କ ଦୁଃଖକୁ ମଧ୍ୟ ଦ୍ବିଗୁଣିତ କରିେଦଇଛି। ଯଦିଓ ବନ୍ୟାର ପ୍ରକୋପ କମିଲାଣି ଓ ବର୍ଷା ଆଉ ନାହିଁ, ତଥାପି ସ୍ଥିତି ନିୟନ୍ତ୍ରଣକୁ ଆସିପାରିନାହିଁ। ଏପଟେ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲାଣି। ବୁଢାବଳଙ୍ଗ ଓ ଜଳକାରେ ବି ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ନେବା ଆଶଙ୍କାକୁ ଏଡାଇ ଦେଇ ହେବନାହିଁ। ଜଳସଂପଦ ବିଭାଗ ପୂର୍ବାନୁମାନ କରୁଛି, ତିତଲି ପ୍ରଭାବରେ ମୟୂରଭଂଜ, ସୁନ୍ଦରଗଡରେ ବର୍ଷା ହେବ।

 

ଭୀଷଣ ସାମୁଦ୍ରିକ ଝ଼ଡ ତିତଲି ଏବେ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଏହା ଉତ୍ତର ପୂର୍ବ ଆଡକୁ ଗତି କରିବା । ପଶ୍ଚିମ ବଙ୍ଗ, ଆସାମ, ମେଘାଳୟ, ମିଜୋରାମ, ତ୍ରିପୁରା ପର୍ଯ୍ୟନ୍ତ ଏହାର ପ୍ରଭାବ ଲମ୍ବିବ ବୋଲି ଭାରତର ପାଣିପାଗ ବିଭାଗ ଆକଳନ କରିଛି।

 

 ବର୍ଷା ପ୍ରଭାବରେ ବଂଶଧାରା, ମହେନ୍ଦ୍ରତନୟା, ଋଷିକୂଲ୍ୟା, ବଡ଼ନଦୀ ଓ ବାହୁଦାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବଂଶଧାରା ଗୁଣୁପୁରରେ ବିପଦ ସଙ୍କେତ ଠାରୁ ତଳକୁ ଖସିଲାଣି। କାଶୀନଗରରେ ପାଣି କମୁଥିଲେ ହେଁ, ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଋଷିକୂଲ୍ୟା ପୁରୁଷୋତ୍ତମ ପୁରଠାରେ ବିପଦ ସଙ୍କେତ ଠାରୁ ପାଖାପାଖି ୨ମିଟର ଉପରେ ରହିଛି। ଏପଟେ ଜଳକା ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, ଏଯାଏ ୫ଟି ଘାଇ ଋଷିକୂଲ୍ୟାରେ ହୋଇଛି। ସେହିପରି ବୈତରଣୀ ଅବବାହିକାରେ ବର୍ଷା କାରଣରୁ ସେଠାରେ ମଧ୍ୟ ଏକ ଛୋଟ ବନ୍ୟା ସୃଷ୍ଟି ହେବ ବୋଲି ବିଭାଗ ଆଗୁଆ ସତର୍କ କରାଇଛି।

Comments are closed.