ଇତିହାସରେ ପ୍ରଥମ ଥର ୬ ଦିନ ପାଇଁ ବନ୍ଦ ହେବ ତିରୁମାଲା ମନ୍ଦିର : ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ

53

କନକ ବ୍ୟୁରୋ : ତିରୁମାଲାର ପ୍ରସିଦ୍ଧ ଭେଙ୍କେଟେଶ୍ୱର ମନ୍ଦିର ଦୀର୍ଘଦିନ ପରେ ୬ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜଣାପଡିଛି । ଏହି ମନ୍ଦିରରେ ଆସନ୍ତା ୧୧ ଅଗଷ୍ଟରୁ ୧୬ ଅଗଷ୍ଟ ପର୍ଯ୍ୟନ୍ତ କୌଣସି ଶ୍ରଦ୍ଧାଳୁ ଭଗବାନଙ୍କୁ ଦର୍ଶନ କରିପାରିବେ ନାହିଁ । କାରଣ ଏହି ସମୟରେ ଭଗବାନଙ୍କର ଏକ ବିଶେଷ ପୂଜା ହେବ ବୋଲି ଜଣାପଡିଛି । ତେବେ ଏହି ସମୟରେ ଭକ୍ତଙ୍କ ଉପରେ କଟକଣା ଲଗାଇଛି ମନ୍ଦିର ପ୍ରଶାସନ । ମନ୍ଦିର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହା ପ୍ରଥମ ଥର ହେଉଛି କି ଭଗବାନଙ୍କ ଦର୍ଶନ ଉପରେ ଶ୍ରଦ୍ଧାଳୁଙ୍କ ଉପରେ କୌଣସି କଟକଣା ଲାଗୁ କରାଯାଇଛି ।

ମନ୍ଦିରର ଗର୍ଭଗୃହରେ ଏକ ବିଶେଷ ପୂଜା ହେବ ବୋଲି ଜଣାପଡିଛି । ତିରୁମାଲା ତିରୁପତି ଦେବସଂସ୍ଥାନ ବୋର୍ଡ(ଟିଟିଡି)ର ଅଧ୍ୟକ୍ଷ ପୁଟା ସୁଧାକାର ଯାଦବ କହିଛନ୍ତି ଯେ, ଆମେ ମାନେ ଏକ ବୈଠକରେ ସ୍ଥିର କରିଛୁ ବିଶେଷ ପୂଜା ସମୟରେ କୌଣସି ଭକ୍ତ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ସାରା ଦେଶରୁ ବହୁ ସଂଖ୍ୟରେ ଶ୍ରଦ୍ଧାଳୁମାନେ ଏଠାରେ ଆସି ପୂଜାର୍ଚ୍ଚନା କରିଥାଆନ୍ତି । ତେବେ ଅନେକ ଲୋକ ନିଜର ମାନସିକତା ପୂରଣ କରିବା ପାଇଁ ଏଠାରେ ଅନେକ ପ୍ରକାରର ପୂଜାର୍ଚ୍ଚନା କରାଇଥାଆନ୍ତି ।

 

କିନ୍ତୁ ମନ୍ଦିରର ଏକ ବିଶେଷ ପୂଜାପାଇଁ ଏପରି ନିଷ୍ପତ୍ତି ନେବାକୁ ପଡିଛି ବୋଲି ପ୍ରଶାସନ ପକ୍ଷରୁୁ ସୂଚନା ଦିଆଯାଇଛି । ଏପଟେ ମନ୍ଦିରରେ ଏପରି କଣ ବିଶେଷ ପୂଜା କରାଯାଏ ତାହା ଜାଣିବା ପାଇଁ ଅନେକଙ୍କ ମନରେ ଉକ୍ରଣ୍ଠା ରହିଛି । ସେଠାକାର ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି ଯେ, ଆମେ ମାନେ କେବେ ମନ୍ଦିର ଏତେ ସମୟ ଧରି ବନ୍ଦ କରିବା ଦେଖିନାହିଁୁ । ତେବେ ମନ୍ଦିର ପ୍ରଶାସନ ପକ୍ଷରୁ ବିଶେଷ ପୂଜାପାଇଁ ନିଷ୍ପତ୍ତି ନିଆଯାଇଛି । କେବଳ ଏତିକି ନୁହେଁ ସାଧାରଣ ଲୋକମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଇଛି ମଧ୍ୟ । ତେଣୁ ଲୋକମାନେ ମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ସମ୍ମାନ ଦେବା ସହ ଭଗବାନଙ୍କ ବିଶେଷ ପୂଜା କିପରି ସମ୍ପାଦନ ହେବ ସେ ବିଷୟରେ ଆମେମାନେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ସମସ୍ତଙ୍କର ଅପେକ୍ଷା ରହିଛି ଗର୍ଭଗୃହରେ କିପରି ଭାବରେ ଭଗବାନଙ୍କ ପୂଜା ଭଲରେ ହେବ ଓ ଅପେକ୍ଷାରତ ଭକ୍ତ ପୁଣି ଥରେ ଭଗବାନଙ୍କୁ ଦର୍ଶନ କରିବେ ।