ଶ୍ରଦ୍ଧାଞ୍ଜଳି ଜ୍ଞାପନ ବେଳେ ବିଧାନସଭାରେ ଶୋଇ ପଡିଲେ ବିଷ୍ଣୁ । ବିରୋଧୀଙ୍କ ହୋହାଲ୍ଲା ବି ଭାଙ୍ଗିପାରିଲାନି ବିଷ୍ଣୁଙ୍କ ନିଦ

597

କନକ ବ୍ୟୁରୋ : ଅନନ୍ତ ଶୟନରେ ‘ବିଷ୍ଣୁ’ । ଆମେ ସୃଷ୍ଟିକର୍ତ୍ତା ଭଗବାନ ବିଷ୍ଣୁଙ୍କ କଥା ନୁହେଁ ବରଂ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ କଥା କହୁଛୁ । ସୃଷ୍ଟିକର୍ତ୍ତା ଭଗବାନ ବିଷ୍ଣୁ କ୍ଷୀରସାଗରରେ ଅନନ୍ତ ଶୟନ କରୁଥିବା ନେଇ ପୌରାଣିକ କଥା ରହିଛି । କିନ୍ତୁ ତିର୍ତ୍ତୋଲ ବିଧାୟକ ‘ବିଷ୍ଣୁ’ ଦାସ ବିଧାନସଭାରେ ଅନନ୍ତ ଶୟନ କରୁଥିବାର ଦୃଶ୍ୟ କ୍ୟାମେରା ଲେନ୍ସରେ କଏଦ ହୋଇଛି । ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବିଧାନସଭା ଚାଲୁଥିବା ସମୟରେ ନିଘୋଡ ନିଦରେ ଶୋଇପଡିଥିଲେ ବିଷ୍ଣୁ । ବିଧାୟକଙ୍କ ଗହଳି ଚହଳି ମଧ୍ୟ ବିଷ୍ଣୁଙ୍କ ନିଦରେ ବାଧା ସୃ୍ଷ୍ଟି କରିପାରିନଥିଲା । ଲାଗୁଥିଲା ଯେମିତି ରାଜଧାନୀର ଟାଣୁଆ ଖରା ବାଜିବା ପରେ କ୍ଲାନ୍ତ ହୋଇପଡିଥିଲେ ବିଷ୍ଣୁ । ଆଉ ବିଧାନସଭାର ଥଣ୍ଡା ପବନ ଯେପରି ବିଷ୍ଣୁଙ୍କର ସମସ୍ତ କ୍ଲାନ୍ତ ଦୂର କରି ଦେଇଥିଲା ଓ ଆପଣାଛାଏଁ ବିଷ୍ଣୁଙ୍କର ଆଖି ବନ୍ଦ ହୋଇଯାଇଥିଲା ।

ଗୋଟିଏ ପଟେ ବିଧାନସଭାରେ ଦିବଂଗତ ନେତା ଓ ସହିଦ ମାନଙ୍କ ପାଇଁ ଗୃହରେ ନିରବ ପ୍ରାର୍ଥନା ଚାଲିଥିଲା ଓ ଅନ୍ୟପଟେ ନିଘୋଡ ନିଦ୍ରାରେ ଶୋଇ ରହିଥିଲେ ବିଷ୍ଣୁ । ନିରବ ପ୍ରାର୍ଥନା ବେଳେ ସବୁ ବିଧାୟକ ଓ ବାଚସ୍ପତି ଛିଡା ହୋଇ ନିରବ ପ୍ରାର୍ଥନା କରୁଥିବା ବେଳେ ନିଜ ସିଟରେ ସେହିଭଳି ଶୋଇ ରହିଥିଲେ ବିଷ୍ଣୁ । କାହାକୁ ପରବାଏ ନଥିଲା ।

କିଛି ସମୟର ନିରବ ପ୍ରାର୍ଥନା ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଉ ଗୃହ ଆରମ୍ଭରୁ ହିଁ ବିରୋଧୀ ହଙ୍ଗାମା କରିଥିଲେ । ଏତେ ହୋହାଲ୍ଲା ଓ ନାରାବାଜି ହୋଇଥିଲେ ମଧ୍ୟ ବିଷ୍ଣୁଙ୍କର ନିଦ ଭାଙ୍ଗିନଥିଲା । ପାଖାପାଖି ୧୦ ମିନିଟ ଧରି ବିଷ୍ଣୁ ଦାସ ଶୋଇରହିିଥିଲେ । ବିଧାନସଭା ପରେ ସାମ୍ବାଦିକ ମାନେ ବିଷ୍ଣୁ ଦାସଙ୍କୁ ଶୋଇରହିବା ନେଇ ପ୍ରଶ୍ନ କରିଥିଲେ । କିନ୍ତୁ ଏନେଇ କଥା ବାଆଁରାଇଥିଲେ ବିଷ୍ଣୁ । ତେବେ ପ୍ରଶ୍ନ ଉଠୁଛି ବିଷ୍ଣୁ ଦାସଙ୍କ ଭଳି ଜଣେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବାରମ୍ବାର ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି । କିନ୍ତୁ ସହିଦ ଯବାନ ଓ ଦିବଙ୍ଗତ ନେତାଙ୍କ ପାଇଁ ଯେତେବେଳେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି ସେତେବେଳେ ବିଷ୍ଣୁ କିଭଳି ଶୋଇପଡିଲେ ତାହା ତାଙ୍କ ରାଜନୈତିକ ଅଭିଜ୍ଞତା ଉପରେ ପ୍ରଶ୍ନବାଚୀ ଛିଡା କରିଛି ।