ବିଳମ୍ବିତ ରାତିରୁ ସ୍ନାନନୀତି । ରାତି ୧ଟା ପରେ ଆରମ୍ଭ ହେବ ମହାବାହୁଙ୍କ ପହଣ୍ଡି ଯାତ୍ରା । ଛତିଶାନିଯୋଗ ବୈଠକ ପରେ ସ୍ନାନଯାତ୍ରା ନେଇ ହେଲା ନୀତି ନିର୍ଘଣ୍ଟ ।

358

କନକ ବ୍ୟୁରେ: କରୋନା କଟକଣା ଭିତରେ ଖୁସିର ଖବର । ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ଚୂଡ଼ାନ୍ତ ହେଲା ନୀତି ନିର୍ଘଣ୍ଟ । ଜୁନ ୫ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୁର୍ଣିମା ନେଇ ଛତିଶାନିଯୋଗରେ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ରାତି ୧ ଟାରୁ ଭୋର୍ ୪ ଟା ମଧ୍ୟରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଧାଡ଼ିପହଣ୍ଡି । ସେହିପରି ଭୋର୍ ୪ଟା ୩୦ ସମୟରେ ହେବ ମଙ୍ଗଳ ଆଳତୀ ।

ଏହାପରେ ଭୋର୍ ୪ଟା ୪୦ରେ ମଇଲମ ଓ ୫ ଟାରେ ତଡ଼ପ ଲାଗି, ଅଧର ପୋଛା, ଅବକାଶ, ରୋଷହୋମ, ବେଶଶେଷ, ସୂର୍ଯ୍ୟ ପୂଜା ଓ ଅନ୍ୟାନ୍ୟ ନୀତି ସେବା ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା ବୈଠକରେ ନିଷ୍ପତି ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏହାପରେ ୭:୩୦ରୁ ୯:୩୦ ମଧ୍ୟରେ ହେବ ଜଳ ବିଜେ, ପୂଜା ଓ ସ୍ନାନ ନୀତି । ୧୦:୩୦ ରେ ସ୍ନାନ ବେଦିରେ ଗଜପତି ମହାରାଜଙ୍କ ଦ୍ୱାରା ଛେରା ପହଁରା ନୀତି ଏବଂ ପରେ ଦିନ ୧୧ଟା ରୁ ୧୨ ଟା ମଧ୍ୟରେ ହାତୀବେଶରେ ଦର୍ଶନ ଦେବେ ମହାବାହୁ ।

ସେହିଭଳି ଦିନ ୧ ଟା ରୁ ୩ ଟା ମଧ୍ୟରେ ସକାଳ ଧୂପ ନୀତି , ସନ୍ଧ୍ୟା ୫ ଟା ରୁ ୮ ଟା ମଧ୍ୟରେ ଚତୁର୍ଦ୍ଧା ବିଗ୍ରହଙ୍କ ଅଣସର ଘରକୁ ବାହୁଡା଼ ପହଣ୍ଡି ନୀତି ଅନୁଷ୍ଠିତ ହେବ । ସବୁଠାରୁ ବଡ଼କଥା ହେଲା କି, ଚଳିତ ବର୍ଷ କରୋନା କଟକଣା ଯୋଗୁଁ ସହାଣ ମେଲା ଦର୍ଶନ ବନ୍ଦ ରଖିବା ନେଇ ମନ୍ଦିର ପରିଚାଳନା ବୈଠକରେ ନିଷ୍ପତ୍ତି ହୋଇଛି ।