ଟାଇମ୍ସ ନାଓର ସର୍ଭେ ! ୨୦୧୯ ରେ ବିଜେଡିକୁ ୧୭, ବିଜେପିକୁ ୪ ଲୋକସଭା ଆସନ, ଖାତା ଖୋଲି ପାରିବନି କଂଗ୍ରେସ ।

42

ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଅଗଷ୍ଟ ୧୪ ତାରିଖରେ ଓଡିଶାରେ ରାଜ୍ୟ କଂଗ୍ରେସ ପାଇଁ ଆସିଛି ଏକ ଦୁଃଖ ଖବର । ଏକ ଓପିନିୟନ ପୋଲରେ ଭବିଷ୍ୟବାଣୀ କରାଯାଇଛି ଯେ, ୨୦୧୯ ଲୋକସଭା ନିର୍ବାଚନରେ ପୁଣି ନିଜ ଦବଦବା ଜାହିର କରିବ ବିଜେଡି । ଆଉ ଗ୍ରାଣ୍ଡ ଓଲ୍ଡ ପାର୍ଟି କୁହାଯାଉଥିବା କଂଗ୍ରେସ ପୁଣି ଥରେ ରାଜ୍ୟରେ ବିଫଳ ହେବା ସହ ଗୋଟିଏ ହେଲେ ମଧ୍ୟ ସିଟ୍ ଜିତି ପାରିବ ନାହିଁ ।

ମଙ୍ଗଳବାର ସନ୍ଧ୍ୟାରେ ଟାଇମ୍ସ ନାଓରେ ପ୍ରସାରିତ ହୋଇଥିବା ରିପୋର୍ଟ ଅନୁଯାୟୀ, ବିଜେପି ୨୦୧୪ ଲୋକସଭା ନିର୍ବାଚନରେ ଗୋଟିଏ ଆସନ ଜିତିଥିବା ବେଳେ ୨୦୧୯ରେ ସେଥିରେ ବୃଦ୍ଧି ହୋଇ ଏହି ସଂଖ୍ୟା ୪ରେ ପହଞ୍ଚିବ । ଗତ ଥର ନିର୍ବାଚନରେ ଓଡିଶାରେ ମୋଦି ମ୍ୟାଜିକ କାମ କରିନଥିବା ବେଳେ ଏତର କିନ୍ତୁ ବିଜେପି ୪ଟି ସିଟ୍ ପାଇବ ବୋଲି ସର୍ଭେରୁ ଜଣାପଡିଛି । ସେପଟେ ବିଜେଡି ୨୦୧୪ ଲୋକସଭା ନିର୍ବାଚନରେ ୨୦ଟି ଆସନ ହାତେଇଥିବା ବେଳେ ଏତର କିନ୍ତୁ ଏହି ସଂଖ୍ୟା ୧୭ରେ ସୀମିତ ରହିବ ବୋଲି ଟାଇମ୍ସ ନାଓ ପ୍ରକାଶ କରିଛି । ତେବେ ସବୁଠାରୁ ବଡ କଥା ହେଉଛି ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ଗୋଟିଏ ହେଲେ ମଧ୍ୟ ସିଟ୍ ହାତେଇ ପାରିନଥିବା ବେଳେ ଏଥର ମଧ୍ୟ କଂଗ୍ରେସ ଖାତାକୁ କୌଣସି ସିଟ୍ ଯିବନାହିଁ ବୋଲି ସର୍ଭେରୁ ଜଣାପଡିଛି ।

ସେହିଭଳି ଏହି ଓପିନିୟନ ପୋଲ୍ ଜାତୀୟ ସ୍ତରର ସର୍ଭେ ରିପୋର୍ଟ ମଧ୍ୟ ପ୍ରକାଶ କରିଛି । ଯେଉଁଥିରେ ଜଣାପଡିଛି, ବିଜେପି ୨୦୧୪ ଲୋକସଭା ନିର୍ବାଚନରେ ୨୮୨ଟି ଆସନ ଜିତିଥିବା ବେଳେ ୨୦୧୯ରେ ଏଥିରେ ୫୭ଟି ସିଟ୍ ହ୍ରାସ ଘଟି ଏହି ସଂଖ୍ୟା ୨୨୭ରେ ପହଞ୍ଚିବ । ସେପଟେ କଂଗ୍ରେସ ଗତ ଥର ୪୪ଟି ଆସନ ହାତେଇଥିବା ବେଳେ ଏଥର କିନ୍ତୁ ଏହି ସଂଖ୍ୟା ୭୮କୁ ପହଞ୍ଚିବ ବୋଲି ଟାଇମ୍ସ ନାଓ ସର୍ଭେରୁ ଜଣାପଡିଛି । ତେବେ ଏହି ସର୍ଭେ ଏକ ରାଜନୈତିକ ଅନୁସନ୍ଧାନ ଏବଂ ସଂଚାର ଏଜେନ୍ସି ଦ୍ୱାରା କରାଯାଇଥିଲା ଯାହାକୁ ଯୁଦ୍ଧକ୍ଷେତ୍ର ରଣନୀତି କିମ୍ବା ୟୁଟୋପିୟା ପରାମର୍ଶ କୁହାଯାଇଥାଏ ।