ପୁରୀରେ ପହଂଚିଲା ରଥକାଠ । ରଥ ନିର୍ମାଣ ପାଇଁ ବଡଦାଣ୍ଡରେ ପ୍ରଥମ ପର୍ଯ୍ୟାୟ ରଥକାଠ 

40

କନକ ବ୍ୟୁରୋ: ପୁରୀରେ ପହଂଚିଲା ରଥକାଠ । ରଥ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟ ରଥକାଠ ପହଂଚି ସାରିଛି । ଦଶପଲ୍ଲା ବନାଂଚଳ ଅଧୀନ ନୟାଗଡ଼ ବନଖଣ୍ଡରୁ ୫୩ ଖଣ୍ଡ ଅସନ ଓ ଧଉଳା କାଠ ଦୁଇଟି ଟ୍ରକରେ ଆସି ପୁରୀରେ ପହଂଚିଛି । ଧଉରା ୨୦ ଫୁଟିଆ ୧୦ ଖଣ୍ଡ ରହିଥିବା ବେଳେ ୧୨ ଫୁଟିଆ ୧୫ ଖଣ୍ଡ ରହିଛି । ସେହିଭଳି ଅସନ ୨୦ ଫୁଟିଆ ୨୧ ଖଣ୍ଡ ଥିବା ବେଳେ ୧୨ ଫୁଟିଆ ୭ ଖଣ୍ଡ ରହିଛି ।

ଗତ ବର୍ଷ ଠାରୁ ନୟାଗଡ଼ର ମହାବୀର ସେନା ଏକ ରଥ ଚକ ଓ ଜଙ୍ଗଲ ସୃଷ୍ଟି ଦାବି କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଏହି କାଠ ଆସିବା ବେଳେ ଟ୍ରକକୁ ଅଟକାଇଥିଲେ  ମହାବୀର ସେନା । ଚଳିତ ବର୍ଷ ରଥ ଚକା ପ୍ରଦାନ କରାଯିବା ପାଇଁ ସ୍ଥିର ପରିଚାଳନା କମିଟି କହିବା ପରେ ଟ୍ରକ ଛାଡ଼ିଥିଲେ ।

ସେମାନଙ୍କୁ ଏହି ଚକା ଚଳିତବର୍ଷ ପ୍ରଦାନ କରିବା ପାଇଁ ପରିଚାଳନା କମିଟିରେ ନିଷ୍ପତ୍ତି ନିଆଯିବାକୁ ସ୍ଥିର ହୋଇଛି । ରଥ ସଂହିତା ମୁତାବକ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବା ବେଳେ ପୂର୍ବ ବର୍ଷ ୧୮୪ ଖଣ୍ଡ କାଠ ମହଜୁଦ ରହିଛି । ଏଣୁ ଏଥର ୬୮୧ କାଠ ଆସିବାକୁ ରହିଛି । ଆସନ୍ତା ଶ୍ରୀପଞ୍ଚମୀରେ କାଠ ଚିରଟ ଅନୁକୂଳ ହେବାକୁ ଯୋଜନା ରହିଛି । ଆସିଥିବା କାଠରେ କୋଣଗୁଜ ନିର୍ମାଣ ହେବ ବୋଲି ଜଣାପଡ଼ିଛି ।