ସାତକୋଶିଆରେ ବାଘ ଆତଙ୍କର ଅନ୍ତ ! ସୁନ୍ଦରୀକୁ କାବୁ କଲା ବନ ବିଭାଗ, ସୁରକ୍ଷିତ ଅଛି ବାଘୁଣୀ ।

120

କନକ ବ୍ୟୁରୋ : କାବୁ ହେଲା ସୁନ୍ଦରୀ । ଦୀର୍ଘ ୧୬ ଦିନର ଉଦ୍ୟମ ପରେ ଆଜି ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିଛି ବନ ବିଭାଗ । ଟ୍ରାଙ୍କୁଲାଇଜ୍ କରିବା ପରେ ଏବେ ସୁନ୍ଦରୀକୁ ରାଇଗୁଡ଼ାକୁ ଅଣାଯାଇଛି । ବାଘୁଣୀ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛି । ଏନଟିସିଏର ପରାମର୍ଶ ଅନୁସାରେ ତାକୁ କେଉଁଠି ରଖାଯିବ ସେନେଇ ନିଷ୍ପତି ନିଆଯିବ । ଏପଟେ ସୁନ୍ଦରୀ ଧରାପଡ଼ିବା ପରେ ସାତକୋଶିଆ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି ।

ଅଚେତ ଅବସ୍ଥାରେ ଶୋଇ ରଖିଥିବା ଇଏ ହେଉଛି ସାତକୋଶିଆର ସେଇ ସୁନ୍ଦରୀ, ଯିଏ ପ୍ରାୟ ଦୁଇ ମାସ ହେଲା ଲୋକଙ୍କ ନିଦ ହଜାଇ ଦେଇଥିଲା । ଆଉ ବନ ବିଭାଗ କର୍ମଚାରୀଙ୍କୁ ନାକେଦମ୍ କରି ରଖିଥିଲା । ଘନଘନ ସର୍ଚ୍ଚ ଅପରେସନ୍ ଏବଂ ୩-୩ଥର ଟ୍ରାଙ୍କୁଲାଇଜ୍ କରିବା ଉଦ୍ୟମ ବିଫଳତା ପରେ ଶେଷରେ କାବୁ ହୋଇଛି ବାଣୁଘୀ ସୁନ୍ଦରୀ ।

ଆଜି ଦିନ ୧୦ଟା ୪୫ରେ ସାତକୋଶିଆର ବେହେରାସାହି ଏବଂ ମଝିସାହି ଅଂଚଳରେ ବାଘୁଣୀର ଗତିବିଧି ସଂପର୍କରେ ଖବର ପାଇ ଛକି ରହିଥିଲେ ବିଶେଷଜ୍ଞ ଟିମ୍ । ଆଉ ବାଘୁଣୀକୁ ଆକର୍ଷିତ କରିବା ପାଇଁ ରଖାଯାଇଥିଲା ମାଂସ । ଦୀର୍ଘ ସମୟର ପ୍ରତିକ୍ଷା ପରେ ନଜର ଆସିଥିଲା ବାଘୁଣୀ । ଆଉ ଏହି ଘଡିଷନ୍ଧୀ ମୁହୂର୍ତ୍ତରେ ବୁଦା ଭିତରେ ଟ୍ରାଙ୍କୁଲାଇଜ୍ କରିବା ପାଇଁ ପ୍ରସ୍ତୁତ ଥିଲେ ସାତକୋଶିଆ ଏବଂ ନନ୍ଦନକାନନର ବିଶେଷଜ୍ଞ ଟିମ୍ । ହେଲେ ଏହି ଅପରେସନ୍ ପାଇଁ କୁମକୀ ହାତୀ ଯଶୋଦା ବଦଳରେ ବନବିଭାଗର ଗାଡ଼ି ନେଇ ବୁଦା ଭିତରେ ଲୁଚି ରହିଥିଲେ ଟ୍ରାଙ୍କୁଲାଇଜ୍ ଟିମ୍ । ଠିକ୍ ୧୦ଟା ୪୫ ମିନିଟ୍ ବେଳେ ସୁନ୍ଦରୀ ଦେହରେ ବାଜିଲା ନିଶ୍ଚେତକ ଗୁଳି । ଆଉ ନିସ୍ତେଜ୍ ହୋଇଗଲା ସୁନ୍ଦରି ।

ଆଉ ତା ପରେ ଯେଉଁ ଚିତ୍ର ସାମ୍ନାକୁ ଆସିଲା, ତାହା ସମସ୍ତଙ୍କୁ ଆଶ୍ୱସ୍ତ କରିଦେଇଛି । କାରଣ ସୁନ୍ଦରୀକୁ କାବୁ କରିବା ବନବିଭାଗ ପାଇଁ ଯେତିକି ବଡ ଚ୍ୟାଲେଂଜ୍ ଥିଲା, ବାଘୁଣୀ ଆକ୍ରମଣରେ ଦୁଇ-ଦୁଇ ଜଣଙ୍କର ମୃତ୍ୟୁ ନେଇ ଅଭିଯୋଗ ଘଟଣା ତାଠୁ ଅଧିକ ଲୋକଙ୍କୁ ଆତଙ୍କିତ କରିଥିଲା । ଏବେ ବାଘୁଣୀର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ତାକୁ ରାଇଗୁଡ଼ାରେ ରଖାଯାଇଛି । ରାଇଗୁଡ଼ା ହେଉଛି ସେହି ସ୍ଥାନ, ଯେଉଁଠି ସୁନ୍ଦରୀକୁ ମଧ୍ୟପ୍ରଦେଶରୁ ଆଣିବା ପରେ ପ୍ରଥମେ ରଖାଯାଇଥିଲା । ତେବେ ଏନଟିସିଏର ପରାମର୍ଶ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ପିସିସିଏଫ୍ । ବଡ କଥା ହେଉଛି, ଯେଉଁ ବାଘ ପ୍ରକଳ୍ପକୁ ନେଇ ଏତେ ବଡ ଧରଣର ବିତର୍କ ସୃଷ୍ଟି ହୋଇଛି, ତାହା ଜାରି ରହିବ ବୋଲି ସୂଚନା ଦିଆଯାଇଛି ।

ମତାମତ

Your email address will not be published.