କେଉଁଠି ରହିବ ସୁନ୍ଦରୀ ? ସାତକୋଶିଆର କୋର୍ ଏରିଆକୁ ଫେରିପାରେ ବାଘୁଣୀ ।

150

କନକ ବ୍ୟୁରୋ : ସୁନ୍ଦରୀ ରହିବ କେଉଁଠି ?  ସାତକୋଶିଆ ଅଭୟାରଣ୍ୟ ତା ଠିକଣା ହେବ ନାଁ ଆଉ କିଛି ? ଏମିତି ଚର୍ଚ୍ଚା ଯୋର ଧରିଥିବା ବେଳେ ଜଙ୍ଗଲର କୋର ଏରିଆକୁ ଫେରି ପାରେ ସୁନ୍ଦରୀ ବୋଲି ସୂଚନା ମିଳିଛି । ଗତକାଲି ଟ୍ରାଙ୍କୁଲାଇଜ୍ ହେବା ପରେ ସ୍ୱତନ୍ତ୍ର ଖୁଆଡରେ ରହିଛି ସୁନ୍ଦରୀ । ଏହାର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ । ପରବର୍ତି ସମୟରେ ସୁନ୍ଦରୀକୁ କୋର ଏରିଆରେ ଛଡାଯିବ ବୋଲି କୁହାଯାଉଛି ।

ଯନ୍ତା ଭିତରୁ ଲମ୍ଫ ମାରି ଏନକ୍ଲୋଜର ଭିତରକୁ ପ୍ରବେଶ କରିଥିଲା ସୁନ୍ଦରୀ  । ଠିକ୍ ଯେମିତି ମଧ୍ୟପ୍ରଦେଶରୁ ଓଡ଼ିଶା ଆସିବା ପରେ ରାଇଗୁଡ଼ା ଏନକ୍ଲୋଜରକୁ ଯାଇଥିଲା । ଟ୍ରାଙ୍କୁଲାଇଜ୍ ହେବା ପରେ ପ୍ରଥମେ ଷ୍ଟ୍ରେଜର, ପରେ ଯନ୍ତା ଏବଂ ଶେଷରେ ବନବିଭାଗର ଗାଡ଼ିରେ ରାଇଗୁଡ଼ା ଜଙ୍ଗଲକୁ ଆସିଛି ସାତକୋଶିଆର ସୁନ୍ଦରୀ । ଦୀର୍ଘ ୧୬ ଦିନର କସରତ ପରେ କାବୁ ହୋଇଛି ବାଘୁଣୀ  । ପ୍ରଶ୍ନ ହେଉଛି-କ’ଣ ହେବ ପରବର୍ତୀ ପଦକ୍ଷେପ । ତେବେ ଆମ ପ୍ରତିନିଧି କିଛି ଅଧିକାରୀଙ୍କ ସହ କଥା ହୋଇଥିଲେ । ସେମାନେ ନାଁ ଗୋପନ ରଖି ସୂଚନା ଦେଇ କହିଥିଲେ, ବର୍ତମାନ ରାଇଗୁଡ଼ା ଏନକ୍ଲୋଜରରେ ଥିବା ସୁନ୍ଦରୀର ଆଚରଣ ଓ ବିଚରଣ ଉପରେ ନଜର ରହିଛି । ଆଉ ଏହି ଗତିବିଧିକୁ ଅନୁଧ୍ୟାନ କରିବା ପରେ ପୁଣି ଥରେ ବାଘୁଣୀକୁ କୋର ଏରିଆକୁ ଛଡ଼ା ଯିବା ଉପରେ ନିଷ୍ପତି ହେବ ।

ସାତକୋଶିଆରେ ରହିବ ସୁନ୍ଦରୀ ? କୋର ଏରିଆକୁ ପୁଣି ଫେରିବ ବାଘୁଣୀ ? ବ୍ୟାଘ୍ର ପ୍ରକଳ୍ପ ଜାରି ରହିବ ବୋଲି ଆରସିସିଏଫ୍ ସ୍ପଷ୍ଟ କରିଥିବା ବେଳେ ସୁନ୍ଦରୀକୁ ଏବେ ଏନକ୍ଲୋଜରରେ ରଖାଯାଇଛି । ଆଉ ବାଘୁଣୀକୁ ସବୁଦିନ ଧରି ଏନକ୍ଲୋଜର ଭିତରେ ରଖିବା ସମ୍ଭବ ନୁହେଁ । ଏପଟେ ନନ୍ଦନକାନନକୁ ଅଣାଯିବା ପ୍ରସଙ୍ଗରେ କିଛି ସ୍ପଷ୍ଟ ସୂଚନା ନାହିଁ । କାରଣ ଏଦିଗରେ ଏନଟିସିଏର ପରାମର୍ଶକୁ ଅପେକ୍ଷା କରାଯାଇଛି । ଏହି ସବୁ ତଥ୍ୟ ହୁଏତ, ସୁନ୍ଦରୀର ଅବସ୍ଥିତି ନେଇ ସାତକୋଶିଆ ଅଭୟାରଣ୍ୟ ଆଡକୁ ଇସାରା କରୁଛି ।

ବଡ କଥା ହେଉଛି, ଯଦି ସୁନ୍ଦରୀକୁ କୋର ଏରିଆ ଭିତରକୁ ଛଡ଼ା ଯାଏ, ତେବେ ପୁଣି ଜନବସତି ଅଂଚଳକୁ ମାଡ଼ି ଆସିବାର ଆଶଙ୍କା ରହିଛି । କାରଣ ଏହା ପୂର୍ବରୁ ଅନେକ ଥର ଜନବସତି ଆଡକୁ ଚାଲି ଆସିଛି ସୁନ୍ଦରୀ । ଏଭଳି ସ୍ଥିତିରେ ବାଣ ଫୁଟାଇ ବାଘୁଣୀକୁ କୋର ଏରିଆ ଭିତରେ ସୀମିତ ରଖିବାକୁ ଉଦ୍ୟମ କରାଯିବ ବୋଲି ନାଁ ଗୋପନ ରଖି ବନବିଭାଗର ଅଧିକାରୀ ସୂଚନା ଦେଇଛନ୍ତି ।

କୁହାଯାଉଛି, ସୁନ୍ଦରୀ କୋର ଏରିଆକୁ ଫେରିବା ପରେ ମହାବୀର ସହ ମିଳାମିଶା କରିବା ପାଇଁ ସୁଯୋଗ ସୃଷ୍ଟି କରାଯିବ । ତେବେ ବାଘୁଣୀ ଆକ୍ରମଣରେ ଦୁଇ ଦୁଇ ଜଣଙ୍କ ମୃତ୍ୟୁ ନେଇ ଅଭିଯୋଗ ହେବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କର ବାତାବରଣ ଖେଳିଯାଇଥିଲା । ବାଘକୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ଦାବି ଜୋର ଧରିଥିଲା । ଏଭଳି ସ୍ଥିତିରେ ପୁଣି ଥରେ ସୁନ୍ଦରୀକୁ କୋର ଏରିଆ ଭିତରକୁ ଛାଡ଼ିବା ନେଇ ଚର୍ଚ୍ଚା ଆଲୋଚନା ହେଉଛି । ସୁନ୍ଦରୀ କାବୁ ହେବା ପରେ ସାତକୋଶିଆରେ ବାଘ ଭୟ ଟଳି ଯାଇଥିଲା । ଲୋକେ ପୁଣି ଥରେ ସ୍ୱାଭାବିକ୍ ଜୀବନ ବଂଚିବେ ବୋଲି ଖୁସିରେ କ୍ୟାମେରା ଆଗରେ କହିଥିଲେ । ହେଲେ ପୁଣି ଯଦି ସୁନ୍ଦରୀ କୋର ଏରିଆକୁ ଫେରେ କ’ଣ ହେବ ଲୋକଙ୍କ ପ୍ରତିକ୍ରିୟା, ତାକୁ ନେଇ ଏବେ ଉଠିଛି ବଡ ପ୍ରଶ୍ନ ।