୮ ମାସ ହେଲା ଏନକ୍ଲୋଜରରେ ବାଘୁଣୀ: ତାରଜାଲି ଘେରାରେ ଘନ ଜଙ୍ଗଲକୁ ଝୁରୁଛି ସୁନ୍ଦରୀ ।

ମଣିଷ ଶିକାର ଅଭିଯୋଗ ଆସିବା ପରେ ୮ ମାସ ହେଲା ବନ୍ଦୀ ଜୀବନ ବିତାଉଛି ସୁନ୍ଦରୀ ।

154

କନକ ବ୍ୟୁରୋ: କେମିତି ଅଛି ସୁନ୍ଦରୀ? ସାତକୋଶିଆ ସ୍ୱତନ୍ତ୍ର ଏନକ୍ଲୋଜର ଭିତରେ ବାଘୁଣୀ ସୁନ୍ଦରୀର ସ୍ଥିତି ସ୍ପଷ୍ଟ ହେଉନାହିଁ । ମଣିଷ ଶିକାର ଅଭିଯୋଗ ଆସିବା ପରେ ୮ ମାସ ହେଲା ବନ୍ଦୀ ଜୀବନ ବିତାଉଛି ସୁନ୍ଦରୀ । ଦୀର୍ଘ ମାସ ଏନକ୍ଲୋଜରରେ ରହିବା ପରେ ଜଙ୍ଗଲକୁ ଛାଡିବା ନେଇ ଦେଖାଦେଇଛି ଅନିଶ୍ଚିତତା । ଏବେ ସ୍ଥିତି ଏପରି ହୋଇଛି ଯେ, ଏନଟିସିଏ ଓ ବନବିଭାଗର ନିଷ୍ପତି ଉପରେ ନିର୍ଭର କରୁଛି ବାଘୁଣୀ ସୁନ୍ଦରୀର ଭବିଷ୍ୟତ ।

ଘଂଚ ଜଙ୍ଗଲରେ ବୁଲି ଶିକାର କରୁଥିବା ସୁନ୍ଦରୀ ୮ ମାସ ହେଲା ବନ୍ଦୀ ଜୀବନ ବିତାଉଛି । ସାତକୋଶିଆରେ ମହାବଳ ବାଘ ବଂଶ ବୃଦ୍ଧି ପାଇଁ ବାନ୍ଧବଗଡରୁ ଆସିଥିବା ସୁନ୍ଦରୀର ଠିକଣା ସାତକୋଶିଆର ସ୍ୱତନ୍ତ୍ର ଏନକ୍ଲୋଜର । ମଣିଷ ଶିକାର ଅଭିଯୋଗ ଆସିବା ପରେ ଅଭୟାରଣ୍ୟର ରାଇଗୁଡାରେ ଅଢେଇ ଏକର ପରିସୀମା ବିଶିଷ୍ଟ ଜଙ୍ଗଲରେ ୧୮ ଫୁଟ ଉଚର ତାରଜାଲି ଘେରା ଖୁଆଡରେ ସୁନ୍ଦରୀ । ବାଘୁଣୀ ଗତିବିଧି ଉପରେ ୨୪ ଘଂଟିଆ ନଜର ରଖିଛନ୍ତି ଅଭୟାରଣ୍ୟ କର୍ତୃପକ୍ଷ । ଦୀର୍ଘ ମାସ ଧରି ଏନକ୍ଲୋଜରରେ ରହିବା ପରେ ସୁନ୍ଦରୀର ଜଙ୍ଗଲୀ ଗୁଣରେ ପରିବର୍ତନ ହୋଇଥିବା ଆଶଙ୍କା କରୁଛନ୍ତି ପରିବେଶବିତ୍ ।

ବର୍ତମାନ ସୁନ୍ଦରୀକୁ ନେଇ ଅନେକ ଦ୍ୱନ୍ଦ ସୃଷ୍ଟି ହୋଇଛି 

  • ଏନକ୍ଲୋଜରରେ ରହିବ ନା ଜଙ୍ଗଲରେ ଛଡା ଯିବ ।
  • ଚିଡିଆଖାନାକୁ ଯିବ ନା ପୁଣି ଥରେ ବାନ୍ଧବଗଡ ଫେରି ଯିବ ।
  • ଜଙ୍ଗଲରେ ଛଡା ଗଲେ ବନ୍ଦୀ ଥିବା ବାଘୁଣୀ ପୁଣି ଥରେ ନିଜେ ଶିକାର କରିପାରିବତ?

ଏ ସବୁ ଭିତରେ ଆଉ ଏକ କଥାକୁ ଏଡାଇ ଦିଆଯାଇନପାରେ । ଯେଉଁ ଉଦେଶ୍ୟରେ କୋଟି କୋଟି ଟଙ୍କା ଖର୍ଚରେ ବାନ୍ଧବଗଡରୁ ସୁନ୍ଦରୀକୁ ଅଣାଯାଇଥିଲା, ସେ ଉଦେଶ୍ୟରେ ଜବରଦସ୍ତ ରୋକ ଲାଗିଛି । ସାତକୋଶିଆରେ ମହାବଳ ବଂଶ ବୃଦ୍ଧି ପାଇଁ କାହ୍ନାରୁ ମହାବଳ ବାଘ ମହାବୀର ଓ ବାନ୍ଧବଗଡରୁ ସୁନ୍ଦରୀକୁ ଅଣାଯାଇଥିଲା । ଏହାରି ଭିତରେ ମହାବୀରର ଅସ୍ୱଭାବିକ ମୃତ୍ୟୁ ହୋଇସାରିଛି । ସୁନ୍ଦରୀ ମଣିଷ ଶିକାର କରିବା ଅଭିଯୋଗରେ ସାତକୋଶିଆରେ ଲଙ୍କାକାଣ୍ଡ ହେବା ପରେ ତାକୁ ସ୍ୱତନ୍ତ୍ର ଏନକ୍ଲୋଜର ଭିତରେ ରଖାଯାଇଛି । ଏବଂ ଏବେ ସୁନ୍ଦରୀ ସୁସ୍ଥ ଥିବା କହିଛନ୍ତି ଆରସିସିଏଫ ପ୍ରଦୀପ ରାଜ୍ କାରାତ୍ ।