ବିଦେଶ ବୁଲୁଛନ୍ତି ବାବୁ ହେଲେ ଏନକ୍ଲୋଜରରେ ବନ୍ଧା ପଡିଛି ସୁନ୍ଦରୀ । କ’ଣ ହେବ ବାଘୁଣୀର ଭବିଷ୍ୟତ, ଏନଟିସିଏ ଓ ବନ୍ୟପ୍ରାଣୀ ବିଭାଗର ବୈଠକକୁ ଅପେକ୍ଷା ।

178

କନକ ବ୍ୟୁରୋ : ଜେଲ ଭିତରେ ବନ୍ଦୀ ସୁନ୍ଦରୀ । ଆଉ ୮ ମାସ ଧରି ଏନକ୍ଲୋଜର ଭିତରେ ସୁନ୍ଦରୀ କେବେ ବାହାରିବ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି । ନ୍ୟାସନାଲ ଟାଇଗର କନଜରଭେସନ୍ ଅଥୋରିଟି ଓ ୱାଇଲଡ୍ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ବାରମ୍ବାର ଓଡିଶା ପିସିସିଏଫ ଚିଠି ଲେଖୁଥିଲେ ମଧ୍ୟ କିଛି ନିଷ୍ପତି ହୋଇପାରୁନାହିିଁ । କିମ୍ବା ବାଘୁଣୀ ସୁନ୍ଦରୀକୁ ଜଙ୍ଗଲକୁ ଛଡାଯିବା ନେଇ ଜଙ୍ଗଲ ବିଭାଗ ତତ୍ପରତା ଦେଖାଉ ନାହିଁ ।

ବନ୍ଧା ପଡିଛି ବାଘୁଣୀ । ବିଦେଶ ବୁଲୁଛନ୍ତି ବାବୁ । ମଧ୍ୟପ୍ରଦେଶର ବାନ୍ଧବଗଡରୁ ଓଡିଶାର ସାତକୋଶିଆ ଆସିଥିବା ବାଘୁଣୀ ସୁନ୍ଦରୀର ଭବିଷ୍ୟତ କ’ଣ ହେବ, ତାହା ନିର୍ଦ୍ଧାରଣ କରିବା ପାଇଁ ନ୍ୟାସନାଲ୍ ଟାଇଗର୍ କନଜରଭେସନ୍ ଅଥୋରିଟି ଓ ୱାଇଲଡ୍ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ସମୟ ମାଗିଛନ୍ତି ପିସିସିଏଫ୍ । ହେଲେ ଏନଟିସିଏ ଓ ୱାଇଲଡ୍ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଅଧିକାରୀ ଧରା ଛୁଆଁ ଦେଉନାହାନ୍ତି । ଏନକ୍ଲୋଜରରେ ବନ୍ଦିଥିବା ସୁନ୍ଦରୀର ଭବିଷ୍ୟତ ବାବଦରେ ଆଲୋଚନା ପାଇଁ ପିସିସିଏଫ ତିନି ତିନି ଥର ଚିଠି ଲେଖିଥିଲେ ସୁଦ୍ଧା ବୈଠକ ବସିପାରୁନାହିଁ । ଆଉ ଏହାର କାରଣ ବିଭାଗୀୟ ଅଧିକାରୀଙ୍କ ବିଦେଶ ଗସ୍ତ । ଅନେକ ବିଚାର ବିମର୍ଷ ପରେ ଆସନ୍ତା ଜୁଲାଇରେ ସୁନ୍ଦରୀ ପାଇଁ ବନ ବିଭାଗର ବୈଠକ ବସିବାକୁ ଯାଉଛି ।

ଏନକ୍ଲୋଜରରେ ଏକାକୀ ସୁନ୍ଦରୀ । ୮ ମାସ ହେଲା ବନ୍ଦୀ ବାଘୁଣୀ । ଘଂଚ ଜଙ୍ଗଲରେ ବୁଲି ଶିକାର କରୁଥିବା ସୁନ୍ଦରୀ ୮ ମାସ ହେଲା ସାତକୋଶିଆର ରାଇଗୁଡା ସ୍ୱତନ୍ତ୍ର ଏନକ୍ଲୋଜରରେ ବନ୍ଦୀ । ସୁନ୍ଦରୀକୁ ଜଙ୍ଗଲକୁ ଛାଡିବା ନିଷ୍ପତି ଅଧାରାସ୍ତାରେ ଅଟକି ଥିବାରୁ ଅଢେଇ ଏକର ବିଶିଷ୍ଟ ସ୍ୱତନ୍ତ୍ର ଖୁଆଡକୁ ୫ ଏକର କରିବା ପାଇଁ ରାଜ୍ୟ ସରକାରଙ୍କୁ ଟଙ୍କା ମାଗିଛି ବନବିଭାଗ । ଆଗକୁ ବର୍ଷା ଦିନ ଥିବାରୁ ମୁକ୍ତ ଜଙ୍ଗଲରେ ସୁନ୍ଦରୀକୁ ଛାଡିଲେ ସେ ସାତକୋଶିଆର ପରିବେଶ ସହ ଖାପ ଖୁଆଇ ପାରିବ ବୋଲି ଆଶା କରାଯାଉଛି । କିନ୍ତୁ ଦୀର୍ଘ ମାସ ଧରି ଏନକ୍ଲୋଜରରେ ରହିବା ପରେ ସୁନ୍ଦରୀର ଜଙ୍ଗଲୀ ଗୁଣରେ ପରିବର୍ତନ ହୋଇଥିବା ଆଶଙ୍କା କରୁଛନ୍ତି ପରିବେଶବିତ୍ । ସାତକୋଶିଆରେ ସୁନ୍ଦରୀକୁ ଏନକ୍ଲୋଜରରେ ରଖିବା ପରେ ମହାବଳ ବଂଶ ବୃଦ୍ଧି ନେଇ ଯେଉଁ ଯୋଜନା କରାଯାଇଥିଲା ତାହା ମଧ୍ୟ ଫଳପ୍ରଦ ହୋଇପାରୁନାହିଁ । କୋଟି କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଏନଟିସିଏ ଓ ପିସିସିଏଫର ନିଷ୍ପତି ଉପରେ ନିର୍ଭର କରୁଛି ।