ସାତକୋଶିଆରେ ସୁନ୍ଦରୀ ଭୟ, ସ୍କୁଲ ଯିବାକୁ ମାଡୁଛି ଡର : ଭୟରେ ଆସିଲେନି ଶିକ୍ଷକ, ପାଠପଢ଼ା ଠପ୍

51

କନକ ବ୍ୟୁରୋ : ସାତକୋଶିଆ ଅଭୟାରଣ୍ୟରେ ସୁନ୍ଦରୀ ଭୟ । ଗାଁରେ ଗାଁରେ ପଡିଛି ଆତଙ୍କ । ବାଘୁଣୀ ସୁନ୍ଦରୀରର ଆକ୍ରମଣରେ ୩ ଜଣ ଆହତ ହେବା ପରେ ଟିକରପଡା ପଂଚାୟତ କଟରଙ୍ଗା ଗାଁ ସମେତ ଆଖପାଖ ଅଂଚଳରେ ପଡିଛି କୋକୁଆ ଭୟ । ଲୋକଙ୍କ ଭିତରେ ଛନକା ପଶିଯାଇଛି । ସ୍ଥାନୀୟ ଶିକ୍ଷାଶ୍ରମ ସ୍କୁଲ ନିକଟରେ ବାଘୁଣୀ ଲୋକଙ୍କ ନଜରର ଆସିବା ପରେ ସ୍କୁଲକୁ ପାଠ ପଢାଇବାକୁ ଶିକ୍ଷକ ଆସୁନାହାନ୍ତି । ସୁନ୍ଦରୀ ଭୟରେ ଗତକାଲି ସ୍କୁଲ ବନ୍ଦ ରହିଥିଲା ।

ଗାଁ ପାଖରେ ବାଘୁଣୀ ବୁଲୁଥିବା ଲୋକେ ଆଶଙ୍କା କରୁଥିବାବେଳେ ବନ କର୍ମଚାରୀ ବି ଗାଁମଣ୍ଡରେ ଘୁରିବୁଲୁଛନ୍ତି । କଟରଙ୍ଗା ଗାଁରେ କେହି ଘର କାଢୁନାହାନ୍ତି । ନରସିଂହପୁର ଥାନା ଅନ୍ତର୍ଗତ ରେଗେଡା ରୁଗୁଡିସାହିର ଅକ୍ଷୟ ବେହେରା ଗାଁ ନିକଟରେ ମଇଁଷି ଗୋଠରେ ଥିବାବେଳେ ପଛପଟୁ ବାଘୁଣୀ ଝାମ୍ପ ମାରିଥିଲା । ସେ ଭୟରେ ହାତରେ ଧରିଥିବା କାଠରେ ପାହାରେ ପକାଇବାରୁ ବାଘୁଣୀ ପଳାଇଥିଲା ବୋଲି କହିଛନ୍ତି । ଏହାଛଡା ବନ୍ୟଜନ୍ତୁ ସଂରକ୍ଷଣ ବିଭାଗର ଜଣେ ୱାଚର ଉପରକୁ ବି ବାଘ ଦୌଡିପଳିଆସିଥିଲେ । ସେ ବାଘକୁ ଦେଖି ଦୌଡି ପଳାଇବା ବେଳେ ଗଛରେ ପିଟି ହୋଇଯାଇଥିବା ଜଣାପଡିଛି । ଏଭଳି ଘଟଣା ବନବିଭାଗକୁ ଚିନ୍ତାରେ ପକାଇଛି ।

sundari tigress

ସୂଚନାଯୋଗ୍ୟ ଦୁଇ ଦିନ ପୂର୍ବରୁ ବାଘୁଣୀ ସୁନ୍ଦରୀ ହାବୁଡରେ ପଡିଥିଲେ ଜଣେ ବନ କର୍ମଚାରୀ । ଦୌଡି ପଳାଇବା ସମୟରେ ଗଛରେ ଧକ୍କା ହୋଇ ସେ ଗୁରୁତର ଆହତ ହୋଇଥିଲେ । ଗତ ଜୁନ୍ ମାସ ୨୮ ତାରିଖରେ ବାନ୍ଧବଗଡ ଅଭୟାରଣ୍ୟରୁ ବାଘୁଣି ସୁନ୍ଦରୀକୁ ସାତକୋଶିଆ ଅଭୟାରଣ୍ୟକୁ ଅଣାଯାଇଥିଲା । କିଛି ଦିନ ଏନକ୍ଲୋଜରରେ ରହିବ ପରେ ଗତ ୧୮ ତାରିଖରେ ଏନକ୍ଲୋଜରରୁ ବାହାର କରି ଅଭୟାରଣ୍ୟରେ ଖୋଲାରେ ଛଡାଯାଇଥିଲା । ତେବେ ବାଘ ପାଇଁ ସେମିତି କିଛି ଭୟଭୀତ ହେବାର ନାହିଁ ବୋଲି କହିଛନ୍ତି ସାତକୋଶିଆ ବନଖଣ୍ଡ ଅଧିକାରୀ । ସାତକୋଶିଆରେ ମହାବଳ ଓ ସୁନ୍ଦରୀକୁ ଛଡାଯିବା ପରେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରୁଛନ୍ତି ।